ୱାସିଂଟନ: ଆର୍ଟିମିସ୍-୨ ମିସନ ନିମନ୍ତେ ନାସା ନା କେବଳ ଖାସ ଉପକରଣ ପଠାଇଛନ୍ତି ବରଂ ୪ ଜଣ ମହାକାଶଚାରୀଙ୍କ ସହିତ ଆପଲ ଫ୍ଲାଗସିପ୍ ମଡେଲ ଆଇଫୋନ ୧୭ ପ୍ରୋ ମ୍ୟାକ୍ସ ମଧ୍ୟ ପଠାଇଛନ୍ତି। ଏହା ଶୁଣିବାକୁ ଏକ ସାଧାରଣ କଥା ଲାଗି ପାରେ ହେଲେ ଏହା ଏକ ଅସାଧାରଣ ଘଟଣା। ନାସାଙ୍କ ଆର୍ଟିମିସ୍-୨ ମିସନ ଏକ ଡିପ-ସ୍ପେସ୍ ଫ୍ଲାଇଟ୍, ଯେଉଁଥିରେ ୪ ମହାକାଶଚାରୀ ଏବେ ଓରିୟନ ମହାକାଶଯାନରେ ଚନ୍ଦ୍ର ପରିକ୍ରମା କରୁଛନ୍ତି। ଏଥି ପାଇଁ ମହାକାଶଚାରୀମାନେ ପୃଥିବୀରୁ ପାଖାପାଖି ୨,୫୦,୦୦୦ ମାଇଲ ଦୂରତା ଅତିକ୍ରମ କରିଛନ୍ତି। ଆମ ଗ୍ରହରୁ ଏ ପର୍ଯ୍ୟନ୍ତ ମାନବ ଅତିକ୍ରମ କରିଥିବା ଦୂରତା ଠାରୁ ଏହା ବେଶ୍ ଦୀର୍ଘ।

ମହାକାଶଚାରୀ ଓ ନାସା ପୂର୍ବରୁ ସେୟାର କରିଥିବା ଫଟୋ ଚିତ୍ରରେ ପୃଥିବୀର ଆକର୍ଷକ ଦୃଶ୍ୟ ଦେଖା ଯାଇଛି। ଯେଉଁଥିରେ ପୃଥିବୀ ଏକ ଦୂରରେ ଥିବା ଗ୍ରହ ଭଳି ଦେଖା ଯାଉଛି। ଏହା ସହିତ ଚନ୍ଦ୍ର ପୃଷ୍ଠର ମଧ୍ୟ ଫଟୋଗ୍ରାଫ ସେୟାର କରାଯାଇଛି। ତେବେ ସବୁଠୁ ଯାହା ବଡ଼ କଥା ଏହି ସବୁ ଫଟୋଚିତ୍ର ପାରମ୍ପରିକ ସ୍ପେସ୍ କ୍ୟାମେରାରୁ ଆସି ନାହିଁ, ବରଂ ପ୍ରତ୍ୟେକ ମହାକାଶଚାରୀଙ୍କ ପାଖରେ ଥିବା ଆଇଫୋନରୁ ନିଆଯାଇଛି। ଏହାକୁ ମିସନ ଡକ୍ୟୁମେଣ୍ଟ କରିବା ପାଇଁ ବ୍ୟବହାର କରାଯାଉଛି।

ସେପ୍ଟେମ୍ବର ୨୦୨୫ରେ ଲଞ୍ଚ ହୋଇଥିଲା ଆଇଫୋନ ୧୭ ପ୍ରୋ ମ୍ୟାକ୍ସ
ଆର୍ଟିମିସ୍-୨ ମିସନ ଲାଗି ନାସା ଆଇଫୋନ ୧୭ ପ୍ରୋ ମ୍ୟାକ୍ସକୁ ସେତେବେଳେ ମଞ୍ଜୁର କଲେ ଯେତେବେଳେ ଫୋନ ସମ୍ପର୍କିତ ସୁରକ୍ଷାକୁ ନେଇ କଡ଼ା ଯାଞ୍ଚ ଶେଷ ହୋଇଥିଲା ଓ ଏଥିରେ କିଛି ଅପରେସନ କଟକଣା ଲାଗୁ ହୋଇଥିଲା। ହେଲେ ଏହାର ହାର୍ଡୱେର ପ୍ରାୟତଃ ସେଇଆ ରହିଛି ଯାହା ପଥିବୀରେ ମିଳୁଥିବା ମଡେଲ। ତେବେ ଏହାକୁ ଯେଉଁ ପ୍ରକାର କନଫିଗର କରାଯାଇଛି ଓ ଉପଯୋଗ କରାଯାଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ। ବାସ୍ତବ କଥା ହେଉଛି ପ୍ରଥମ ଥର କୌଣସି ଆଧୁନିକ କଞ୍ଜ୍ୟୁମର ସ୍ମାର୍ଟ ଫୋନକୁ ଡିପ୍ ସ୍ପେସ୍ ଫ୍ଲାଇଟରେ ଉପଯୋଗ କରିବା ପାଇଁ ଅନୁମତି ଦିଆଯାଇଛି।

ନାସା କରିଛନ୍ତି ପରିବର୍ତ୍ତନ
ରିପୋର୍ଟ ଅନୁସାରେ ଡିପ୍ ସ୍ପେସ୍ ଫ୍ଲାଇଟ ଲାଗି ଆଇଫୋନକୁ ମଞ୍ଜୁରୀ ଦେବା ପୂର୍ବରୁ ନାସା ଏହାକୁ ସେପରି ଯାଞ୍ଚ କରିଥିଲେ ଯେପରି ମହାକାଶଯାନରେ ଥିବା ଅନ୍ୟ ଉପକରଣର ଯାଞ୍ଚ ହୁଏ। ଏହା କେବଳ ଉପରୁ ଦେଖାଯାଉଥିବା ମଜଭୁତର ଯାଞ୍ଚ ନୁହେଁ ଏହି ଡିଭାଇସକୁ ଅନେକ ପର୍ଯ୍ୟାୟର ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡିଛି। ଯେଉଁଥିରେ ଏହାର ମେଟେରିଆଲ, ନିର୍ମାଣ ଶୈଳୀ, ଦୃଢତା ଓ ମାଇକ୍ରୋଗ୍ରାଭିଟି ପରିବେଶରେ ଏହାର କାମ କରିବାର ଉପାୟ ଆକଳନ କରାଯାଇଥିଲା। ବିଶେଷଜ୍ଞ ଏହାର ଟାଇଟାନିୟମ ଫ୍ରେମ, ଭିତରେ ଥିବା ଯନ୍ତ୍ରପାତି, ସେରାମିକ୍ ସିଲଡ୍ ଗ୍ଲାସ୍ ଓ ସଫାୟାର କ୍ୟାମେରା ଲେନ୍ସର ତନ୍ନତନ୍ନ ଯାଞ୍ଚ କରିଥିଲେ।

ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହାକାଶଯାନ ଭଳି ନିବୁଜ ପରିବେଶରେ ଏ ସବୁ ଜିନିଷ କିପରି କାମ କରିବେ ଓ କିପରି ଆଚରଣ କରିବେ। ଏଥିରେ ସବୁଠୁ ବଡ଼ ଚିନ୍ତାର ଯାହା କାରଣ ଥିଲା ତାହା ହେଉଛି ଭାଙ୍ଗିରୁଜି ଯିବାର ରିସ୍କ। ଯଦି ଏହାର ଡିସପ୍ଲେ ଓ କ୍ୟାମେରା ଲେନ୍ସ ଭାଙ୍ଗି ଯାଏ ତେବେ ଏହାର ଖଣ୍ଡ କେବଳ ତଳେ ପଡିବନି ବରଂ କ୍ୟାବିନ ମଧ୍ୟରେ ଭାସି ବୁଲିବ। ଓରିୟନ ଭଳି ମହାକାଶ ଯାନର ନିବୁଜ ପରିବେଶରେ ମହାକାଶଚାରୀଙ୍କ ଆଖି ଓ ନିଶ୍ୱାସ ସମ୍ପର୍କିତ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାନ୍ତା।

ଫୋନରେ କରାଯାଇଛି ଏହି ସବୁ ପରିବର୍ତ୍ତନ
ଆର୍ଟିମିସ୍-୨ ମିସନ ନିମନ୍ତେ ବଛା ଯାଇଥିବା ଆଇଫୋନରେ କିଛିଟା ପରିବର୍ତ୍ତନ କରାଯାଇଛି। ଏବେ ଏହା ସୀମିତ କନଫଗୁରେସନ ସହିତ କାମ କରୁଛି ଓ ଏଥିରେ ଏକ ଖାସ ସ୍ପେସ୍ ମୋଡ ରହିଛି, ଯାହାକୁ ମହାକାଶର ପରିବେଶ ପାଇଁ ଡିଜାଇନ କରାଯାଇଛି। ଏହି ମୋଡରେ ସବୁ ବେତାର ସଞ୍ଚାର ମାଧ୍ୟମ ବନ୍ଦ ହୋଇଯାଏ। ସେଲୁଲାର, ବ୍ଲୁଟୁଥ, ୱାଇ-ଫାଇ ଫଙ୍କସନ ବନ୍ଦ ହୋଇଯାଏ। ଏହା ଦ୍ୱାରା ମହାକାଶଯାନର ନେଭିଗେସନ ସିଷ୍ଟମରେ ସମ୍ଭାବିତ ବାଧା ଉପୁଜିବ ନାହିଁ। ତେବେ ଏହି ସାର୍ଟିଫିକେସନ ପ୍ରକ୍ରିୟାରେ ଆପଲ ସାମିଲ ନଥିଲା। ନାସା ନିଜେ ସ୍ୱତନ୍ତ୍ର ରୂପେ ଏହାର ମୂଲ୍ୟାୟନ କରି ଖାସ ସର୍ତ୍ତ ସହିତ ଏହି ଡିଭାଇସ ଉପଯୋଗ କରିବାକୁ ମଞ୍ଜୁରୀ ଦେଇଛନ୍ତି।

ବ୍ୟାଟେରୀ ଟେଷ୍ଟିଂ
ଏହାଛଡା ଫୋନ ଲଞ୍ଚ ପୂର୍ବରୁ ଏହାର ବ୍ୟାଟେରୀ ସ୍ଥିରତାର କଡ଼ାକଡ଼ି ଯାଞ୍ଚ ହୋଇଥିଲା। ଲିଥିୟମ-ଆୟନ ବ୍ୟାଟେରୀକୁ ଏପରି ପରୀକ୍ଷଣ କରାଯାଇଥିଲା ଯେଉଁଥିରେ ଏହାକୁ ରେଡିଏସନ ଓ ବାୟୁମଣ୍ଡଳୀୟ ପ୍ରଭାବରେ ତଳଉପର କରି ଦେଖା ଯାଇଥିଲା। ନାସା ଏହାର ଅଫ ଗ୍ୟାସିଂ ପରୀକ୍ଷଣ ମଧ୍ୟ କରିଥିଲେ। ଏଥିରୁ ପକ୍କା କରାଯାଇଥିଲା ଯେ ଫୋନ ଭିତରେ ଥିବା ମ୍ୟାଟେରିୟାଲ ଯେପରି ମହାକାଶଯାନର ବାୟୁ ସଞ୍ଚାର ସିଷ୍ଟମରେ ହାନିକାରକ ବାସ୍ପ ନ ଛାଡେ। ଏଇଭଳି ପରୀକ୍ଷଣ ଉଡାଣ ପ୍ରମାଣିତ ହାର୍ଡୱେର ଲାଗି ଏକ ମାନକ ପ୍ରକ୍ରିୟା।

ଏକ ସ୍ପେସ୍ କ୍ୟାମେରା ଭଳି ହେଉଛି ଉପଯୋଗ
ଆଇଫୋନର ଉଦ୍ଦେଶ୍ୟ ଏବେ ଉପଯୋଗ ହେଉଥିବା ଇମେଜିଂ ଉପକରଣର ସ୍ଥାନ ନେବନି। ମହାକାଶଚାରୀ ଜରୁରି ଡକ୍ୟୁମେସନ ନିମନ୍ତେ ଡିଏସଏଲଆର ଓ ଗୋ ପ୍ରୋ କ୍ୟାମେରା ଉପଯୋଗ କରୁଛନ୍ତି। ତେବେ ଏହି ସ୍ମାର୍ଟ ଫୋନ ଏକ ଅଲଗା ଭୂମିକା ନିର୍ବାହ କରୁଛି। ଏହା ସାଙ୍ଗେ ସାଙ୍ଗେ ଉପଲବ୍ଧ ହେଉଛି, ଏଣୁ ଏହାକୁ ପାଖରେ ରଖିବା ବେଶ୍ ସହଜ। ଏହାଛଡା ବିନା ପୂର୍ବ ପ୍ରସ୍ତୁତିରେ ସାମ୍ନାକୁ ଆସୁଥିବା କ୍ଷଣକୁ ଏଥିରେ ଆବଦ୍ଧ କରିବା ଏକଦମ ଠିକ୍ ଭାବେ ହେଉଛି।

Also Read..NASA Artemis II: ପରିସ୍ରା ଫ୍ରିଜ୍, କାମ କଲାନି କିଛି, ଅନ୍ତରୀକ୍ଷରୁ ଫେରୁଥିବା ମହାକାଶଚାରୀଙ୍କ ସମସ୍ୟା ବଢିଲା