ନୂଆଦିଲ୍ଲୀ: ଗତ କିଛି ମାସ ଧରି ଚାଲିଥିବା ଯୁଦ୍ଧ, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଆଞ୍ଚଳିକ ଅଶାନ୍ତି ମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ଆଶ୍ଵାସନାଜନକ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହେବାର ସମ୍ଭାବନା ରହିଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ 'ହର୍ମୁଜ ପ୍ରଣାଳୀ' (Strait of Hormuz) ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଖୋଲିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସବୁଠାରୁ ବଡ଼କଥା ହେଲା ଇରାନ ପକ୍ଷରୁ ଏଭଳି କିଛି ସୂଚନା ସାମ୍ନାକୁ ଆସିଛି।

ଇରାନର ସରକାରୀ ସମ୍ବାଦ ସଂସ୍ଥା 'ତାସନିମ' (Tasnim) ଅନୁଯାୟୀ, ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଆଲୋଚନା ଚାଲିଥିବା ଚୁକ୍ତିର ପ୍ରାରମ୍ଭିକ ସର୍ତ୍ତ ମୁତାବକ, ଚୁକ୍ତି ସ୍ଵାକ୍ଷରିତ ହେବାର ୩୦ ଦିନ ମଧ୍ୟରେ ହର୍ମୁଜରେ ଜାହାଜ ଚଳାଚଳ ପୂର୍ବ ଭଳି ସ୍ୱାଭାବିକ ହୋଇଯିବ। ଏହି ସମୟ ମଧ୍ୟରେ ଜଳପଥ ଚାରିପାଖରେ ଥିବା ସାମୁଦ୍ରିକ ଅବରୋଧକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ ଏବଂ ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ବିଦେଶରେ ଜମା ଥିବା ଇରାନର କିଛି ଅର୍ଥକୁ ମଧ୍ୟ ମୁକ୍ତ କରାଯିବ।

ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଥିଲା ବାଣିଜ୍ୟ

ଗତ ଫେବ୍ରୁଆରୀ ମାସରେ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ଏହି ସାମୁଦ୍ରିକ ପଥରେ ଜାହାଜ ଚଳାଚଳ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଥିଲା। ଯୁଦ୍ଧ ପୂର୍ବରୁ ପ୍ରତିଦିନ ପ୍ରାୟ ୧୨୫ ରୁ ୧୪୦ଟି ଜାହାଜ ଏହି ପ୍ରଣାଳୀ ଦେଇ ଯାତାୟାତ କରୁଥିଲେ। ମାତ୍ର ବିବାଦ ପରେ ଇରାନ ଏହି ମାର୍ଗ ଉପରେ କଟକଣା କଡ଼ାକଡ଼ି କରିଥିଲା ଏବଂ ଆମେରିକା ମଧ୍ୟ ଇରାନର ବନ୍ଦରଗୁଡ଼ିକ ସହ ଜଡ଼ିତ ଜାହାଜ ଉପରେ ପ୍ରତିବନ୍ଧକ ଲଗାଇଥିଲା, ଯାହାଫଳରେ ବାଣିଜ୍ୟିକ କାରବାର ବହୁତ କମିଯାଇଥିଲା।

Also Read- ସବୁ ଦେଶରେ କିଛି ମୁର୍ଖ ଥାଆନ୍ତି... କାହିଁକି ଏଭଳି କହିଲେ Marco Rubio ?

ଆଲୋଚନାରେ ଅଗ୍ରଗତି ନେଇ ସଂକେତ

ଭାରତ ଗସ୍ତରେ ଥିବା ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଏହି ଚୁକ୍ତି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆଲୋଚନାରେ ଯଥେଷ୍ଟ ଅଗ୍ରଗତି ହୋଇଛି, ତେବେ ଏହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରୂପ ନେଇ ନାହିଁ।

ଅପରପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ପୋଷ୍ଟ କରି କହିଛନ୍ତି ଯେ ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଶାନ୍ତି ଚୁକ୍ତିର ରୂପରେଖ ପ୍ରାୟତଃ ସ୍ଥିର ହୋଇସାରିଛି। ଏହାର ଚୂଡ଼ାନ୍ତ ବିବରଣୀ ଉପରେ ଆଲୋଚନା ଚାଲିଛି ଏବଂ ଶୀଘ୍ର ଏହାର ଘୋଷଣା କରାଯିବ। ଏହି ବୁଝାମଣାରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି।

ପରମାଣୁ ପ୍ରସଙ୍ଗରେ ଆଲୋଚନା ବାକି

ଏହି ଶାନ୍ତି ଚୁକ୍ତିରେ ସାମୁଦ୍ରିକ ପଥ ଖୋଲିବା ନେଇ ସହମତି ପ୍ରକାଶ ପାଇଥିଲେ ହେଁ, ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରତିବନ୍ଧକକୁ ଗ୍ରହଣ କରିନାହିଁ। ରିପୋର୍ଟ ଅନୁସାରେ, ଜଳପଥ ପାଇଁ ୩୦ ଦିନର ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ପରମାଣୁ ପ୍ରସଙ୍ଗରେ ଭବିଷ୍ୟତର ଆଲୋଚନା ପାଇଁ ୬୦ ଦିନର ପୃଥକ ସମୟ ଦିଆଯାଇଛି।

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ ସେମାନେ ପରମାଣୁ ଅସ୍ତ୍ର ନିର୍ମାଣ କରୁନାହାନ୍ତି ବୋଲି ବିଶ୍ୱକୁ ଆଶ୍ୱାସନା ଦେବାକୁ ପ୍ରସ୍ତୁତ, କିନ୍ତୁ ଦେଶର ସମ୍ମାନ ଏବଂ ସାର୍ବଭୌମତ୍ୱ ସହ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ।

Also Read- ଦିଲ୍ଲୀ ଜିମଖାନା କ୍ଲବକୁ କାହିଁକି ହଟାଇବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର? ଜାଣନ୍ତୁ ୩ ବଡ଼ କାରଣ

ବିଶ୍ୱ ବଜାର ଉପରେ ପ୍ରଭାବ

ଏହି ଚୁକ୍ତି ସଫଳ ହେଲେ ବିଶ୍ୱର ଶକ୍ତି ବଜାର (Energy Market) ବହୁତ ଉପକୃତ ହେବ। ବିବାଦ ଆରମ୍ଭ ହେବା ପରେ ବ୍ରେଣ୍ଟ ଅଶୋଧିତ ତୈଳ (Brent crude) ମୂଲ୍ୟରେ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିଲା, ଯାହାଫଳରେ ବିଶ୍ୱର ବିଭିନ୍ନ ଦେଶରେ ଇନ୍ଧନ ଏବଂ ସାମଗ୍ରୀର ମୂଲ୍ୟ ବହୁତ ବଢ଼ିଯାଇଥିଲା। ଏହି ପଥ ଖୋଲିବା ଦ୍ୱାରା ଆନ୍ତର୍ଜାତୀୟ ବଜାରରେ ତୈଳ ଦର ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।