ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୁଟିୟନସ୍ ଦିଲ୍ଲୀ ସ୍ଥିତ ଦିଲ୍ଲୀ ଜିମଖାନା କ୍ଲବକୁ ଜୁନ ୫ ତାରିଖ ସୁଦ୍ଧା ପରିସର ହସ୍ତାନ୍ତର କରିବାକୁ କହିଛନ୍ତି। ସରକାର କହିଛନ୍ତି ଯେ ୨୭.୩ ଏକରର ଏହି ଭୂଖଣ୍ଡ ପ୍ରତିକ୍ଷା ଭିତ୍ତିଭୂମି ସୁରକ୍ଷିତ କରିବା ପାଇଁ ଜରୁରି। ସରକାରଙ୍କ ଏହି ଆଦେଶ ପରେ ପାଖାପାଖି ୧୦୦ ବର୍ଷ ହେଲା ଦିଲ୍ଲୀର ପ୍ରଭାବଶାଳୀ ଓ ଆଭିଜାତ୍ୟ ବର୍ଗଙ୍କ ମିଳାମିଶାର କେନ୍ଦ୍ର ଥିବା ଏହି କ୍ଲବ ଉପରେ ଏବେ ବନ୍ଦ ହେବାର ବିପଦ ଘନେଇଛି। ଦିଲ୍ଲୀ ଲୁଟିୟନସ୍ ରୋଡର ମଝାମଝି ୨ ସଫଦରଜଙ୍ଗ ରୋଡରେ ଥିବା ଏହି ବିଶାଳ ଭୂ ଖଣ୍ଡକୁ ଲିଜରେ ଦିଆଯାଇଥିଲା। ଆସନ୍ତୁ ଜାଣିବା କେଉଁ ୩ଟି କାରଣରୁ ସରକାର ଏହି ଆଦେଶ ଜାରି କରିଛନ୍ତି।

୧-ବଡ଼ କାରଣ ସୁରକ୍ଷା
ଲୁଟିୟନସ୍ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ଥିବା ବିଶାଳ ଦିଲ୍ଲୀ ଜିମଖାନା କ୍ଲବ୍ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନର ଖୁବ୍ ନିକଟରେ। ଏହା ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। ଏଠାରେ ଅନେକ କେନ୍ଦ୍ର ସରକାରୀ ସଂସ୍ଥା ଓ ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟ ରହିଛି।

୨- ସାର୍ବଜନିକ ହୀତ
ଲ୍ୟାଣ୍ଡ ଆଣ୍ଡ ଡେଭଲରମେଣ୍ଟ ଅଫିସ (ଏଲଏଣ୍ଡଡିଓ) ୨୨ ମେ ନୋଟିସ୍ ରେ କହିଛି ଯେ ୨, ସଫଦରଜଙ୍ଗ ରୋଡ ସ୍ଥିତ ପରିସର ମୂଳତଃ ଇମ୍ପେରିୟାଲ ଦିଲ୍ଲୀ ଜିମଖାନା କ୍ଲବ ଲିମିଟେଡକୁ ସାମାଜିକ ଓ ଖେଳ କ୍ଲବ ସଞ୍ଚାଳନ ଲାଗି ପଟ୍ଟାରେ ଦିଆଯାଇଥିଲା। ଏବେ ଆଖପାଖରେ ସରକାରୀ ଭୂମି ସମ୍ପର୍କିତ ବ୍ୟାପକ ଲୋକକଲ୍ୟାଣକାରୀ ପ୍ରକଳ୍ପର ନିର୍ମାଣ ନିମନ୍ତେ ଏବେ ଏହାର ଆବଶ୍ୟକତା ପଡୁଛି।

୩-କେନ୍ଦ୍ର ସରକାର ଜମି
କେନ୍ଦ୍ର ସରକାରଙ୍କ ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରାଳୟ ଲୁଟିୟନସ୍ ଦିଲ୍ଲୀରେ ବିଭିନ୍ନ ସଂସ୍ଥାରୁ ପଟ୍ଟାରେ ଆବଣ୍ଟିତ ଅଧିକାଂଶ ଜମିର ମାଲିକ। ଆଦେଶରେ କୁହାଯାଇଛି ଯେ ଭାରତର ରାଷ୍ଟ୍ରପତି ପଟ୍ଟା ଆଇନର ଧାରା ୪ରେ ଭୂମି ଓ ବିକାଶ କାର୍ଯ୍ୟାଳୟ ମାଧ୍ୟମରେ ସେହି ଜମିର ପଟ୍ଟା ତତ୍କାଳ ପ୍ରଭାବରେ ସମାପ୍ତ କରିଛନ୍ତି ଓ ଏହାକୁ ପୁଣି ନିଜ ହାତକୁ ନେବାକୁ ଆଦେଶ ଦେଇଛନ୍ତି।

ଏବେ କ’ଣ କହୁଛି କ୍ଲବ?
କ୍ଲବ ନିଜ ସଦସ୍ୟଙ୍କୁ ପଠାଇଥିବା ଏକ ଅଧିକାରୀକ ବାର୍ତ୍ତାରେ କହିଛି ଯେ ଅଚାନକ ଘଟଣାକ୍ରମ ଦୃଷ୍ଟିରୁ ଜିମଖାନା କ୍ଲବ ରବିବାର ଜରୁରି ବୈଠକ କରିଛି। ଏଥିରେ ବିସ୍ତୃତ ବିଚାର ବିମର୍ଷ ପରେ କ୍ଲବ ସଦସ୍ୟ ଓ କର୍ମଚାରୀଙ୍କ ହୀତରେ ଅନେକ ପ୍ରସଙ୍ଗରେ ସ୍ପଷ୍ଟିକରଣ ମାଗିବା ଲାଗି ଏଲ ଆଣ୍ଡ ଡିଓଙ୍କୁ ତତ୍କାଳ ଜବାବ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଏହା ବି କୁହାଯାଇଛି ଯେ କ୍ଲବ ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରାଳୟ ଅଧିକାରୀଙ୍କୁ ଭେଟିବାକୁ ସମୟ ମାଗିଛି। କ୍ଲବ ଏହା ବି କହିଛି ଯେ କ୍ଲବ ସଞ୍ଚାଳନ ବିନା କୌଣସି ବାଧାରେ ଜେପରି ଜାରି ରହେ ତାହା ସୁନିଶ୍ଚିତ କରିବା କ୍ଲବର ତତ୍କାଳ ପ୍ରାଥମିକତା। ମାମଲାରେ ସରକାରଙ୍କ ଉତ୍ତର ମିଳିବା ପରେ ପରବର୍ତ୍ତି ଘଟଣାକ୍ରମ ସମ୍ପର୍କରେ ଜଣାଇ ଦିଆଯିବ।