ନୂଆଦିଲ୍ଲୀ: ଆମେରିକାରେ ଭାରତୀୟମାନଙ୍କ ବିରୋଧରେ ହେଉଥିବା ବର୍ଣ୍ଣବୈଷମ୍ୟବାଦ (Racial Comments) କୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ (Marco Rubio) ଏକ ବଡ଼ ବୟାନ ଦେଇଛନ୍ତି। ନୂଆଦିଲ୍ଲୀରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ରୁବିଓ ଆମେରିକାର ପକ୍ଷ ରଖି କହିଛନ୍ତି ଯେ, ‘ଦୁନିଆର ପ୍ରତ୍ୟେକ ଦେଶରେ କିଛି ମୂର୍ଖ ଲୋକ ଥାଆନ୍ତି।’

ସାମ୍ବାଦିକ ସମ୍ମିଳନୀରେ କ’ଣ କହିଲେ ରୁବିଓ ?

ମିଳିତ ପ୍ରେସ୍ କନଫରେନ୍ସ ସମୟରେ ଜଣେ ସାମ୍ବାଦିକ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ପ୍ରଶ୍ନ କରିଥିଲେ ଯେ, ଆମେରିକାରେ ଭାରତୀୟମାନଙ୍କ ପ୍ରତି କ୍ରମାଗତ ଭାବେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରାଯାଉଛି, ଏହା ଉପରେ ଆମେରିକା ସରକାରଙ୍କ ଆଭିମୁଖ୍ୟ କ’ଣ ? ରୁବିଓ ପାଲଟା ପ୍ରଶ୍ନ କରିଥିଲେ ଯେ, ‘ଏହି ଟିପ୍ପଣୀ ପ୍ରକୃତରେ କିଏ କରିଛି?’ସାମ୍ବାଦିକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନେଇନଥିଲେ, କିନ୍ତୁ ସେ କହିଥିଲେ ଯେ, ସୋସିଆଲ ମିଡିଆରେ ଏଭଳି ପୋଷ୍ଟଗୁଡ଼ିକୁ ବହୁତ ସମର୍ଥନ ମିଳୁଛି ଏବଂ ସମସ୍ତେ ଏହା ଦେଖୁଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ‘ମୁଁ ଜାଣିନାହିଁ ଏହାର କିପରି ପ୍ରତିକ୍ରିୟା ଦେବି, କିନ୍ତୁ ମୁଁ ଏହାକୁ ବହୁତ ଗମ୍ଭୀରତାର ସହ ନେବି। ମୁଁ ନିଶ୍ଚିତ ଯେ, କିଛି ଲୋକ ଅନଲାଇନରେ ଏବଂ ଅନ୍ୟତ୍ର ଏପରି ମନ୍ତବ୍ୟ ଦେଇଛନ୍ତି, କାରଣ ବିଶ୍ୱର ପ୍ରତ୍ୟେକ ଦେଶରେ ମୂର୍ଖ ଲୋକ ଅଛନ୍ତି। ମୁଁ ନିଶ୍ଚିତ ଯେ ଏଠାରେ ମୂର୍ଖ ଲୋକ ଅଛନ୍ତି, ଏବଂ ଆମେରିକାରେ ମୂର୍ଖ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଅର୍ଥହୀନ କଥା କୁହନ୍ତି।’

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟ

ସୂଚନାଯୋଗ୍ୟ ଯେ, ଏହି ପ୍ରଶ୍ନ ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟର ସଙ୍କେତ ଥିଲା। କିଛି ଦିନ ପୂର୍ବରୁ ଟ୍ରମ୍ପ ଏକ ପୋଷ୍ଟ ସେୟାର କରି ଭାରତକୁ ‘ହେଲହୋଲ୍’ (Hellhole) ବା ନର୍କ ଭଳି ସ୍ଥାନ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ସ୍ପଷ୍ଟୀକରଣ ଦେଇଥିଲେ । ସେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଥିଲେ । କିନ୍ତୁ ଏହି ବିଷୟକୁ ନେଇ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।