ନୂଆଦିଲ୍ଲୀ: ଭାରତରେ 'ହନି-ଟ୍ରାପ୍' ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବେ ଭାରତୀୟ ଅଧିକାରୀଙ୍କ ପାଖରୁ ସୂଚନା ହାସଲ କରିବା ପାଇଁ ମନୋବିଜ୍ଞାନୀଙ୍କର ସହାୟତା ନେଉଥିବା ଜଣାପଡ଼ିଛି । ISI ବହୁ ସଂଖ୍ୟାରେ ତାଲିମପ୍ରାପ୍ତ ମନୋବିଜ୍ଞାନୀଙ୍କୁ ନିଯୁକ୍ତି ଦେଇ ସୋସିଆଲ୍ ମିଡିଆରେ ମହିଳାଙ୍କ ନାମରେ ଜାଲ୍ ପ୍ରୋଫାଇଲ୍ ତିଆରି କରୁଛି । 

ସଂବେଦନଶୀଳ ପଦବୀରେ ଥିବା ଅଧିକାରୀମାନଙ୍କର ସୋସିଆଲ୍ ମିଡିଆ ପୋଷ୍ଟରୁ ସେମାନଙ୍କର ବ୍ୟକ୍ତିଗତ ସମସ୍ୟା, ନିରାଶା ଏବଂ ଦୁର୍ବଳତାକୁ ମନୋବିଜ୍ଞାନୀମାନେ ପରଖୁଛନ୍ତି। ଅର୍ଥ କିମ୍ବା ଧମକ ବଦଳରେ ଏବେ 'ସହାନୁଭୂତି' ଓ 'ମାନସିକ ସପୋର୍ଟ'କୁ ଅସ୍ତ୍ର କରାଯାଉଛି। ୨ ରୁ ୩ ମାସ କଥାବାର୍ତ୍ତା କରି ଅଧିକାରୀଙ୍କ ବିଶ୍ୱାସ ଜିତିବା ପରେ ସେମାନଙ୍କୁ ସାପୋର୍ଟ କରାଯାଉଛି। 

ବିଶ୍ୱାସ ହାସଲ ପରେ ଅଧିକାରୀଙ୍କ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଚୀନ୍-ନିର୍ମିତ ସ୍ପାଏୱେୟାର୍ ଏବଂ ମାଲୱେୟାର୍ ଇନଷ୍ଟଲ୍ କରାଯାଇ ଗୁପ୍ତ ସୂଚନା ଚୋରି କରାଯାଉଛି।   ISIର ନୂଆ କୌଶଳ ଅନୁସାରେ, ଅଧିକାରୀଙ୍କୁ ଧମକ ଦେବା ବଦଳରେ ସେମାନଙ୍କୁ ସହାନୁଭୂତି ଦେଖାଯାଉଛି ।

ମନୋବିଜ୍ଞାନର ସାହାରା ନେଇ ପୀଡ଼ିତ ଅଧିକାରୀଙ୍କ ମାନସିକ ସ୍ଥିତ ପରଖୁଛନ୍ତି ମନୋବିଜ୍ଞାନୀ । ବିଶ୍ବାସ ବଢ଼ିବା ପରେ, ଆରମ୍ଭ ହେଉଛି ଅସଲି ଖେଳ । ଏନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ କ୍ରମାଗତ ସତର୍କତା ଜାରି କରାଯାଉଥିଲେ ସୁଦ୍ଧା ଅଧିକାରୀମାନେ ଏହି ଜାଲରେ ଫସୁଥିବାରୁ ଗୁଇନ୍ଦା ଏଜେନ୍ସିଗୁଡ଼ିକର ଚିନ୍ତା ବହୁଗୁଣିତ ହୋଇଛି ।।