ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ନାବାଳିକା ଛାତ୍ରୀଙ୍କ ପିତାଙ୍କ ସହ ମାରପିଟ୍ ମାମଲା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ପୋଲିସ ସ୍ଵତନ୍ତ୍ର ଭରଦ୍ଵାଜଙ୍କୁ ଗିରଫ କରିଛି। ଆଉ ଏହାରି ପ୍ରତିବାଦରେ ହିନ୍ଦୁ ସୁରକ୍ଷା ଦଳର କାର୍ଯ୍ୟକର୍ତ୍ତା ସ୍ଵତନ୍ତ୍ର ଭରଦ୍ଵାଜଙ୍କ ସମର୍ଥନରେ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ପହଞ୍ଚିଛନ୍ତି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ସେମାନେ ଭୁଲ୍ ବୋଲି ଦର୍ଶାଇଛନ୍ତି।

ଦିଲ୍ଲୀ ପୋଲିସ ଶୁକ୍ରବାର ସ୍ଵତନ୍ତ୍ରଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ଏଫଆଇଆର ରୁଜୁ କରିଥିଲା। ନାବାଳିକାଙ୍କ ପକ୍ଷରୁ ଅନଲାଇନରେ ଧମକ ମିଳୁଥିବାର ଅଭିଯୋଗ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ପ୍ରଥମେ ରୁଜୁ କରିଥିବା ଏଫଆଇଆରରେ ଏସସି/ଏସଟି ଆକ୍ଟର ଧାରା ଯୋଡ଼ିଥିଲା। ଏବେ ପୋଲିସର ଏହି ଆକ୍ସନକୁ ବିରୋଧ କରି ହିନ୍ଦୁ ରକ୍ଷା ଦଳର କର୍ମୀ ଥାନା ପହଞ୍ଚିଛନ୍ତି।

Also Read: LACରେ ଭାରତର ‘ମାଷ୍ଟରପ୍ଲାନ୍’ ! ଚୀନ୍ ସୀମାକୁ ଅସ୍ତ୍ର ପହଞ୍ଚାଇବାକୁ ତିଆରି ହେଉଛି ନୂଆ ମାର୍ଗ

ଜନ୍ତର-ମନ୍ତରରେ କଣ ଘଟିଥିଲା ?

ଜନ୍ତର ମନ୍ତରରେ ସିଜେପିର ପ୍ରଦର୍ଶନ ସମୟରେ ୨୦୨୬ ଜୁନ ୨୩ ସନ୍ଧ୍ୟାରେ ବିବାଦର ଆରମ୍ଭ ହୋଇଥିଲା। ଜଣେ ବ୍ୟକ୍ତି ନିଜର ୧୪ ବର୍ଷର ଝିଅ ସହ ସେଠାରେ ଉପସ୍ଥିତ ଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ବ୍ୟକ୍ତିଜଣକ ମୋବାଇଲରେ ଭିଡିଓ ତିଆରି କରୁଥିଲେ। ଏହି ସମୟରେ କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଅଭିଯୋଗ ହୋଇଛି ଯେ, ତାଙ୍କୁ ଦୁଇ ତିନି ଜଣ ଯୁବକ ଘେରି ଯାଇଥିଲେ ଏବଂ ମାରପିଟ୍ କରିଥିଲେ। ଏପରିକି ତାଙ୍କ ମୁଣ୍ଡରେ ଆକ୍ରମଣ କରାଯିବା ସହ ଲୁହାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଆଘାତ ଲାଗିବା ପରେ ତୁରନ୍ତ ତାଙ୍କୁ ଆରଏମଏଲ ହସ୍ପିଟାଲ୍ ନିଆଯାଇଥିଲା। ଏହି ମାମଲାରେ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏଫଆଇଆର ରୁଜୁ କରାଯାଇଥିଲା। ଏଥିରେ ସ୍ଵତନ୍ତ୍ର ଭରଦ୍ଵାଜ ଓ ସୁରଜ କୁମାରଙ୍କ ନାଁ ମଧ୍ୟ ସାମିଲ୍।

ପୋଡକାଷ୍ଟ କ୍ଲିପ ପରେ ଧରିଲା ପୋଲିସ୍

ଏସବୁ ଘଟଣା ମଝିରେ ସୋସିଆଲ ମିଡିଆରେ ଏକ ପଡକାଷ୍ଟ କ୍ଲିପ୍ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ଖୋଦ୍ ସ୍ଵତନ୍ତ୍ର କୁମାର ଛାତ୍ରୀଙ୍କ ପିତାଙ୍କୁ ମାଡ଼ ମାରିଥିବା ସ୍ଵୀକାର କରୁଛି। ଏପରିକି ତାଙ୍କର କେହି କିଛି କରି ପାରିବେ ନାହିଁ ବୋଲି ଦୃଢତାର ସହ କହୁଛନ୍ତି। କ୍ଲିପ ସାମ୍ନାକୁ ଆସିବା ପରେ ପୋଲିସ ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ସ୍ଵତନ୍ତ୍ର କୁମାରଙ୍କୁ ଉଠାଇ ନେଇଛି।

Also Read: ପଡକାଷ୍ଟ ବିବାଦ: CJPର ପ୍ରତିବାଦ ପରେ ମାମଲା ରୁଜୁ, ବୁଲେଟରେ ଫେରାର ହୋଇଗଲେ ସ୍ୱତନ୍ତ୍ର ଭରଦ୍ୱାଜ

ନାବାଳିକାଙ୍କ ଅଭିଯୋଗ କ୍ରମେ ଏଫଆଇଆର

ଏହା ପରେ ନାବାଳିକା ଅଭିଯୋଗ କରିଥିଲେ ଯେ, ତାଙ୍କୁ ସୋସିଆଲ ମିଡିଆରେ ଧମକ ଦିଆଯାଉଛି। ଏଥିରେ ସ୍ଵତନ୍ତ୍ର ଭରଦ୍ଵାଜ ମଧ୍ୟ ସାମିଲ୍। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୋଲିସ ପୋକ୍ସୋ ଆକ୍ଟ ଆଧାରରେ ଏଫଆଇଆର ରୁଜୁ କରିଛି। ପୋଲିସ ଏବେ ଏହାର ତଦନ୍ତ ଚଳାଇଛି ଯେ, ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କୁ କିଏ ଧମକ ଦେଇଛି। ଘଟଣାରେ ପୋଲିସ ୫ ସନ୍ଦିଗ୍ଧଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।