ନୂଆଦିଲ୍ଲୀ: ଆତ୍ମଘୋଷିତ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶୁକ୍ରବାର  'କକରୋଚ୍ ଜନତା ପାର୍ଟି' (CJP) ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ ପ୍ରତିବାଦ ପ୍ରଦର୍ଶନ କରିଛି। ଗତ ଜୁନ୍ ୨୩ ରେ ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନ ବେଳେ ଜଣେ ପ୍ରଦର୍ଶନକାରୀଙ୍କ ବାପାଙ୍କ "ଖପୁରୀ ଭାଙ୍ଗି ଦେଇଥିବା" ନେଇ ଭାରଦ୍ୱାଜ ଏକ ଭାଇରାଲ୍ ପଡକାଷ୍ଟରେ ଦାବି କରିବା ପରେ ଏହି ବିବାଦ ସୃଷ୍ଟି ହୋଇଛି।  ତେବେ ସିଜେପିର ପ୍ରତିବାଦ ପରେ ଭରଦ୍ବାଜଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ସେପଟେ ଗିରଫଦାରୀ ଭୟରେ ସ୍ୱତନ୍ତ୍ର ଭରଦ୍ୱାଜ ବୁଲନ୍ଦସରରୁ ଏକ ବୁଲେଟ୍‌ ଯୋଗେ ଫେରାର ହୋଇଯାଇଛନ୍ତି । ତାଙ୍କୁ ଗିରଫ କରିବାକୁ ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିବା ଜଣାପଡ଼ି

ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ CJP ର ବିକ୍ଷୋଭ
CJP ମୁଖପାତ୍ର ସୌରଭ ଦାସ ଏବଂ ସହ-ସଂଯୋଜକ ଆଶୁତୋଷ ରାଙ୍କାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ଏଥିରେ ଆଜାଦ ସମାଜ ପାର୍ଟି ମୁଖିଆ ଚନ୍ଦ୍ରଶେଖର ଆଜାଦ, ଛାତ୍ର ନେତ୍ରୀ ନିଶୁ ଆଜାଦ ଏବଂ ତାଙ୍କ ଆହାତ ବାପା ସଞ୍ଜୟ କୁମାର ମଧ୍ୟ ସାମିଲ ହୋଇଥିଲେ। ଜୁନ୍ ୨୦ ରେ ଜନ୍ତର ମନ୍ତରରେ ହୋଇଥିବା ଗଣ୍ଡଗୋଳ ବେଳେ ନିଶୁ ଆଜାଦଙ୍କ ବାପା ସଞ୍ଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ପଡକାଷ୍ଟରେ ସ୍ୱତନ୍ତ୍ର ଭାରଦ୍ୱାଜଙ୍କ ଦାବି
ଭାଇରାଲ୍ ଭିଡିଓ କ୍ଲିପ୍‌ରେ ଭାରଦ୍ୱାଜ କହିଥିଲେ, ‘ନିଶୁଙ୍କ ବାପାଙ୍କ ମୁଣ୍ଡ ଆମେ ଫଟାଇଛୁ ।’ ଏହାସହ ସଞ୍ଜୟଙ୍କ ମୁଣ୍ଡରେ ୬୦ଟି ଷ୍ଟିଚ୍‌ ପଡ଼ିଥିବା କହି ସେ ହତ୍ୟା ଉଦ୍ୟମ (ଧାରା ୩୦୭) ଭଳି ମାମଲା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଘଟଣା ପରେ ବି ସେ ଗୋଟିଏ ରାତି ଜେଲ୍‌ରେ ବିତାଇ ନାହାନ୍ତି ବୋଲି ଦାବି କରିଥିଲେ। ଦିଲ୍ଲୀ ମନ୍ତ୍ରୀ କପିଳ ମିଶ୍ର ତାଙ୍କର "ବଡ଼ ଭାଇ" ଏବଂ ଘଟଣା ପରେ ସେ ଫୋନ୍ କରିଥିଲେ ବୋଲି ଭାରଦ୍ୱାଜ କହିଥିଲେ। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ରହିଛି ବୋଲି ସେ ଦାବି କରିଥିଲେ।

ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ
CJP ସହ-ସଂଯୋଜକ ଆଶୁତୋଷ ରାଙ୍କା ରାଜଧାନୀର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଭାରଦ୍ୱାଜଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଖୋଲାଖୋଲି ଭାବରେ ହତ୍ୟା ଉଦ୍ୟମ କରିଥିବା ସ୍ୱୀକାର କରୁଥିବା ବ୍ୟକ୍ତିଙ୍କୁ କପିଳ ମିଶ୍ର ଓ ବିଜେପିର ସଂରକ୍ଷଣ ମିଳୁଥିବାରୁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଖପୁରୀ ଭାଙ୍ଗିବା ଦାବିକୁ ଖଣ୍ଡନ କଲା ଦିଲ୍ଲୀ ପୁଲିସ୍
ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ଏକ ଭିନ୍ନ ସ୍ପଷ୍ଟୀକରଣ ଦେଇଛି। ନୂଆଦିଲ୍ଲୀ ଡିସିପି ଅଫିସ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୨୩ ରେ ଜନ୍ତର ମନ୍ତରଠାରେ CJP ପ୍ରଦର୍ଶନ ବେଳେ ଧସ୍ତାଧସ୍ତି ମଧ୍ୟରେ ସଞ୍ଜୟ (୩୮) ଙ୍କ ମୁଣ୍ଡରେ ଏକ କଡ଼ା ବାଜି ଆଘାତ ଲାଗିଥିଲା। ଆରଏମଏଲ (RML) ହସପିଟାଲର ଡାକ୍ତରୀ ପରୀକ୍ଷା ରିପୋର୍ଟ ଅନୁସାରେ ଏହି ଆଘାତ ସାଧାରଣ ଥିଲା ଏବଂ କୌଣସି ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇନଥିଲା। ସଞ୍ଜୟଙ୍କ ଖପୁରୀ ଫାଟିଯାଇଥିବା ଦାବିକୁ ପୁଲିସ୍ ସମ୍ପୂର୍ଣ୍ଣ ଆଧାରହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛି।

ମାମଲା ନେଇ ପୁଲିସର ସ୍ପଷ୍ଟୀକରଣ
ପୁଲିସ୍ ସୂଚନା ଅନୁଯାୟୀ, ସଞ୍ଜୟଙ୍କ ଅଭିଯୋଗ ଆଧାରରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ମାମଲା ରୁଜୁ ହୋଇଥିଲା। ଘଟଣାସ୍ଥଳରୁ ସୁରଜ କୁମାର ଓ ସ୍ୱତନ୍ତ୍ର ଭାରଦ୍ୱାଜଙ୍କୁ ଅଟକ ରଖାଯାଇ ନୋଟିସ ଦିଆଯାଇଥିଲା ଏବଂ ପଚରାଉଚରା କରାଯାଇଥିଲା। ଏହି ମାମଲାରେ ଶୀଘ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯିବ। କୌଣସି ପ୍ରକାର ରାଜନୈତିକ ଚାପ ବା ପ୍ରଭାବ ଅଭିଯୋଗକୁ ଅସ୍ୱୀକାର କରି ଦିଲ୍ଲୀ ପୁଲିସ୍ କହିଛି ଯେ, ଆଇନ ଓ ନିୟମ ଅନୁସାରେ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ତଦନ୍ତ ପ୍ରକ୍ରିୟା ଚାଲିଛି।

ଆତ୍ମରକ୍ଷା ପାଇଁ ପଦକ୍ଷେପ ବୋଲି କହିଲେ ଭାରଦ୍ୱାଜ
ଭିଡିଓ ଭାଇରାଲ୍ ହେବା ପରେ ଭାରଦ୍ୱାଜ ANI କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଏହା କୌଣସି ଆକ୍ରମଣ ନଥିଲା ବରଂ ଆତ୍ମରକ୍ଷା ପାଇଁ କରାଯାଇଥିବା ପ୍ରତିରୋଧ ଥିଲା। ସେ ଯଦି ଆତ୍ମରକ୍ଷା କରିନଥାନ୍ତେ, ତେବେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ସଂଘବଦ୍ଧ ଭାବେ ପିଟି ମାରିଦେଇଥାନ୍ତେ। ଭାଇରାଲ୍ କ୍ଲିପ୍‌ଟିକୁ ସେ ଭ୍ରାନ୍ତ ବୋଲି କହିବା ସହ ତଦନ୍ତରେ ସହଯୋଗ କରୁଥିବା ପ୍ରକାଶ କରିଛନ୍ତି।