ଲକ୍ଷ୍ନୌ୧୭/୦୮:ବିବାଦରେ ସାସ୍କୃତିକ କାର୍ଯ୍ୟକ୍ରମ । ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଶିକ୍ଷାନୁଷ୍ଠାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବାଦ ଦେଖାଦେଇଛି । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଥିବା ନଲେଜ୍ ବିମ୍ ଆକାଡେମୀରେ ଏହି ଘଟଣା ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମରେ ଛାତ୍ରୀମାନେ ବୁର୍ଖା ପିନ୍ଧି ଭିନ୍ନ ଭିନ୍ନ ଗୀତରେ ନାଚ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରିପୋର୍ଟ ଅନୁସାରେ, ନଲେଜ୍ ବିମ୍ ଆକାଡେମୀରେ ସ୍ୱାଧୀନତା ଦିବସ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ନୃତ୍ୟ ପରିବେଷଣ କରିଥିଲେ । ଏହାର ଭିଡିଓ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଭାଇରାଲ ହେଲା ପରେ ବିବାଦ ଉପୁଜିଛି ।

ଭିଡିଓ ଭାଇରାଲ ହେଲା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ରାମକୃଷ୍ଣ ମୌର୍ଯ୍ୟ ଏ ଭିଡିଓ ବାର୍ତ୍ତା ଜାରି କରି ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଏବଂ ଛାତ୍ରୀମାନେ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଏପରି କରିଛନ୍ତି । ସେମାନେ ଅନ୍ୟ କେଉଁ ସଂପ୍ରଦାୟର ଭାବନାକୁ ଆଘାତ ଦେବା ପାଇଁ ଏପରି ନୃତ୍ୟ ପରିବେଷଣ କରିନାହାଁନ୍ତି । ଭବିଷ୍ୟତରେ ଏପରି ଭୁଲ ଆଉ କେବେ ହେବନି ବୋଲି ସେ ପ୍ରକାଶ କରିଛନ୍ତି ।

Also Read :- ଟାଙ୍ଗିଆ ଚୋଟର ସଂସାର ଭାଙ୍ଗି ଚୁର୍‌ମାର୍‌, ସାମାନ୍ୟ ବିବାଦରୁ ସ୍ୱାମୀ ନେଇଗଲା ସ୍ତ୍ରୀର ଜୀବନ

ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟକ୍ରମରେ ବୁର୍ଖା ଏବଂ ନକାବ ପିନ୍ଧି ନାଚ କରୁଥିବା ସମସ୍ତ ଛାତ୍ରୀ ହିନ୍ଦୁ ଅଟନ୍ତି । ସେମାନଙ୍କ ମଧ୍ୟରେ କେହି ମୁସଲିମ ଛାତ୍ରୀ ନାହାଁନ୍ତି । ଯଦି ଏହି ପ୍ରୋଗ୍ରାମ କୌଣସି ମୁସଲିମ କିମ୍ବା ହିନ୍ଦୁଙ୍କୁ ଆଘାତ ଦେଇଥାଏ ତାହାଲେ ସେ କ୍ଷମା ମାଗୁଛନ୍ତି । କୋଟି କୋଟି ଥର ସେ କ୍ଷମା ମାଗିବାକୁ ପ୍ରସ୍ତୁତ ଥିବା ମୌର୍ଯ୍ୟ କହିଛନ୍ତି ।