ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'X'ରେ ଏକ ଭାବବିହ୍ୱଳ କଲାଭଳି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ପାହାଡ଼ିଆ ଅଞ୍ଚଳର ପଶୁପାଳକ ନିଜର ଏକ ଅସୁସ୍ଥ ଚମରୀ ଗାଈ ଛୁଆକୁ ପିଠିରେ ବୋହି ପାହାଡ଼ ତଳକୁ ନେଉଥିବା ଦେଖିବାକୁ ମିଳିଛି। ଛୁଆଟି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବାରୁ ନିଜେ ଚାଲି ପାହାଡ଼ ଓହ୍ଲାଇବାକୁ ଅସମର୍ଥ ଥିଲା। ସାହାଯ୍ୟ ପାଇଁ ଅନ୍ୟ କାହାକୁ ଅପେକ୍ଷା ନକରି,  ଦୟାଳୁ ବ୍ୟକ୍ତିଜଣକ ଅସୁସ୍ଥ ପଶୁଟିକୁ ପିଠିରେ ବୋହି ତଳକୁ ଆଣିଥିଲେ । 

ସେ ପ୍ରାୟ ୫୦ କିଲୋଗ୍ରାମ୍ ଓଜନର ଏହି ଚମରୀ ଗାଈ ଛୁଆକୁ ପିଠିରେ ବୋହି ପ୍ରାୟ ଏକ କିଲୋମିଟର ଦୁର୍ଗମ ପାହାଡ଼ିଆ ରାସ୍ତା ଅତିକ୍ରମ କରିଥିଲେ। ଏହି ପ୍ରେରଣାଦାୟୀ ଘଟଣାଟି ତିବ୍ବତ ଅଞ୍ଚଳରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ,  ଚମରୀ ଗାଈ ଛୁଆଟି ବ୍ୟକ୍ତିଙ୍କ କାନ୍ଧକୁ ଅତ୍ୟନ୍ତ ସ୍ନେହ ଓ ବିଶ୍ୱାସର ସହ ଧରି ରହିଛି, ଯେପରି ସେ ନିଜ ମାଲିକଙ୍କ ସୁରକ୍ଷାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅନୁଭବ କରୁଛି।

ପଶୁଟି ହଠାତ୍ ଅସୁସ୍ଥ ହୋଇ ଚାଲିବାକୁ ଅସମର୍ଥ ହେବା ମାତ୍ରେ, ଗୋପାଳକ ସାମାନ୍ୟତମ ଦ୍ୱିଧା ପ୍ରକାଶ ନକରି ତାକୁ ନିଜ ପିଠିରେ ବୋହି କଠିନ ପଥରେ ତଳକୁ ଓହ୍ଲାଇଥିଲେ। ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଆସିବା ପରେ ଲୋକଙ୍କ ହୃଦୟ ଜିତିନେଇଛି। ବ୍ୟକ୍ତିଜଣଙ୍କର ମାନବିକତା ଏବଂ ପଶୁପ୍ରେମକୁ ନେଟିଜେନ୍‌ସ ଭୂରି ଭୂରି ପ୍ରଶଂସା କରୁଛନ୍ତି ।