ବୌଦ୍ଧ ୦୪।୦୪ : ଅଟୋ ଚାଳକ ସାବଧାନ। ଏଣିକି ଅଟୋ ଚଲାଉଥିଲେ ବି ଆପଣଙ୍କୁ ପିନ୍ଧିବାକୁ ପଡ଼ିପାରେ ହେଲମେଟ୍। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏଭଳି ଏକ ନିୟମ ଥିବା ବୌଦ୍ଧ ପୋଲିସ ପକ୍ଷରୁ ଏକ ଚାଲାଣ ମାଧ୍ୟମରେ ଜିଲ୍ଲାରେ ଜଣେ ଅଟୋ ଚାଳକଙ୍କୁ ଜଣାଇଛି । ଅଜବ ଘଟଣାକୁ ନେଇ ପୁରା ଜିଲ୍ଲାରେ ଏବେ ଚର୍ଚ୍ଚା ଜୋରଦାର।

ଜଣେ ଅଟୋ ଚାଳକଙ୍କୁ ବିନା ହେଲମେଟ୍‌ରେ ଗାଡ଼ି ଚଲାଉଥିବା ଅଭିଯୋଗରେ ୧୦୦୦ ଟଙ୍କାର ଫାଇନ୍ କାଟିଛି ଆଦର୍ଶ ଥାନା ପୋଲିସ। ତିନି ଚକିଆ ଗାଡ଼ି ପାଇଁ ହେଲମେଟ୍ ନିୟମ ନାହିଁ, ହେଲେ ବୌଦ୍ଧ ପୋଲିସର ନିୟମ କିଛି ଅଲଗା। ଗତବର୍ଷ ୨୦୨୫ ମସିହା ନଭେମ୍ବର ୧୮ ତାରିଖରେ ସଞ୍ଜୀବ ଶତପଥୀଙ୍କ ନାଁରେ ଏକ ଚାଲାଣ କଟିଥିଲା। ଅଟୋ ଚାଳକ ସଞ୍ଜୀବ ପ୍ରଥମେ ଏହାକୁ ଜାଣିପାରିନଥିଲେ। କିନ୍ତୁ ନିକଟରେ ତାଙ୍କ ମୋବାଇଲକୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ୧୦୦୦ ଟଙ୍କାର ଜରିମାନା ୧୦ ଦିନ ମଧ୍ୟରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସଞ୍ଜୀବ ଯେତେବେଳେ ଚାଲାଣର ପ୍ରିଣ୍ଟ ଆଉଟ୍ ବାହାର କଲେ, ସେଥିରେ ଜରିମାନାର କାରଣ ଦେଖି ତାଙ୍କ ହୋସ୍ ଉଡ଼ିଯାଇଥିଲା। ସେଥିରେ ଲେଖାଥିଲା- "ବିନା ହେଲମେଟ୍ରେ ଗାଡ଼ି ଚଲାଇବା"। ଏହି ଖବର ପ୍ରସାରିତ ହେବା ପରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପୋଲିସର ଏଭଳି ଦାୟିତ୍ୱହୀନତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

Also Read:-ମନ୍ଦିର ପରିସରରେ ଅସଞ୍ଜତ ଅବସ୍ଥାରେ ପ୍ରେମୀ ଯୁଗଳ, ନିଶାଡିଙ୍କ ରାଜୁତି, ପୋଲିସ କରୁଛି କଣ ?

ଅନ୍ୟପଟେ ରସିଦରେ ଯେଉଁ ଅଧିକାରୀ ଚାଲାଣ କାଟିଛନ୍ତି ବୋଲି ଦର୍ଶାଯାଇଛି । ସେ ହେଉଛନ୍ତି ପୂର୍ବତନ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକ। କିନ୍ତୁ ସେ ଅଧିକାରୀ ଆଜକୁ ୨ଦୁଇ ବର୍ଷ ହେବ ପଦୋନ୍ନତି ପାଇ ଅନ୍ୟ ସ୍ଥାନକୁ ବଦଳି ହୋଇସାରିଲେଣି। ଦୁଇ ବର୍ଷ ପରେ ସେ ଅଧିକାରୀ ଜଣକ ଫାଇନ କେମିତି କାଟିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣା ବାବଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କହିଛନ୍ତି କି,ସେ ଘଟଣାର ପୁରା ତଦନ୍ତ କରୁଛନ୍ତି । ଏହାର ତଦନ୍ତ କରି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଜଣେ ଗରିବ ଅଟୋ ଚାଳକ ଭୁଲ୍ ନକରି ଏଭଳି ଦଣ୍ଡ ଭୋଗିବେ । ତେବେ ସରକାରୀ ନିୟମ କାହା ପାଇଁ ? ଏଭଳି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ଦାୟୀ କିଏ ? ତାଙ୍କ ଉପରେ ପୋଲିସ ବିଭାଗ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ କି ?