ହରିଦ୍ୱାର: ସଂପ୍ରତି ଡିଜିଟାଲ୍ ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ଦୁରୁପଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଧାରଣ ଜୀବନ ଶୈଳୀଠୁ ନେଇ ପ୍ରତିଟି କାମରେ ଏଆଇର ପ୍ରଭାବ ଦେଖିବାକୁ ମିଳିଛି। ହେଲେ ଏବେ ଏଆଇ ଦ୍ଵାରା ଧର୍ମ ପ୍ରତି କୁଠାରଘାତ କରାଯାଉଥିବା ନେଇ ଅଭିଯୋଗ ହୋଇଛି।  ସନାତନ ଧର୍ମର ପ୍ରମୁଖ ଆସ୍ଥା କେନ୍ଦ୍ର ହରିଦ୍ୱାରରୁ ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଶ୍ରଦ୍ଧାଳୁ ଓ ତୀର୍ଥ ପୁରୋହିତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ହରିଦ୍ୱାରର ପ୍ରସିଦ୍ଧ ହର୍-କି-ପୈଡ଼ି ନିକଟସ୍ଥ ମାଲବୀୟ ଘାଟରେ ଗଙ୍ଗା ସ୍ନାନ କରୁଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିଯୋଗ ଅନୁଯାୟୀ, କିଛି ଅସାମାଜିକ ବ୍ୟକ୍ତି ମହିଳାଙ୍କର ଅସଲି ଭିଡିଓକୁ ଡାଉନଲୋଡ୍ କରି AI ଜରିଆରେ ତାଙ୍କ ପୋଷାକ ବଦଳାଇ ଦେଇଛନ୍ତି ଏବଂ ତାହାକୁ ଆପତ୍ତିଜନକ (ସେମି-ନ୍ୟୁଡ୍) ରୂପରେ ପୋଷ୍ଟ କରିଛନ୍ତି।

Also Read: ପିଲାକୁ ଧରି ଓ୍ବାଟରଫଲ୍ ନିକଟରେ ଛିଡ଼ା ହୋଇଥିଲେ ବ୍ୟକ୍ତି, ତାଙ୍କ ଉପରେ ଖସିଲା ବିଷଧର ସାପ

କ୍ଷୋଭ ପ୍ରକାଶ କଲା ଶ୍ରୀ ଗଙ୍ଗା ସଭା

ଏହି ଘଟଣା ସାମ୍ନାକୁ ଆସିବା ପରେ 'ଶ୍ରୀ ଗଙ୍ଗା ସଭା' କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସଭାର ସଭାପତି ନିତିନ ଗୌତମ ଏହାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ଧାର୍ମିକ ସ୍ଥଳୀର ପବିତ୍ରତାକୁ ନଷ୍ଟ କରିବା ଏବଂ ମା'-ଭଉଣୀମାନଙ୍କୁ ସୋସିଆଲ ମିଡିଆରେ ଅସମ୍ମାନିତ କରିବା ପାଇଁ ଏହା ଏକ କୁଚକ୍ରାନ୍ତ। AI ମାଧ୍ୟମରେ ସନାତନ ଧର୍ମ ଏବଂ ତୀର୍ଥସ୍ଥଳୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଶ୍ରୀ ଗଙ୍ଗା ସଭା ପକ୍ଷରୁ ଦୋଷୀଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିକଟରେ ଦାବି କରାଯାଇଛି।

ଫ୍ୟାକ୍ଟ ଚେକରୁ ପର୍ଦ୍ଦାଫାଶ

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ କିଛି ସଚେତନ ୟୁଜର୍ସ ଏହାର ଫ୍ୟାକ୍ଟ ଚେକ୍ (ସତ୍ୟାସତ୍ୟ ଯାଞ୍ଚ) କରିଥିଲେ। ଯାଞ୍ଚରୁ ଜଣାପଡ଼ିଛି ଯେ ମହିଳାଜଣକ ସାଧାରଣ ଭାବେ ଗଙ୍ଗା ସ୍ନାନ କରୁଥିବା ଭିଡିଓଟି ଅସଲି ଥିଲା। ମାତ୍ର AI ଟୁଲ୍ ବ୍ୟବହାର କରି ଭିଡିଓକୁ ବିକୃତ କରାଯାଇ ଭୁଲ୍ ଭାବେ ପ୍ରସାରିତ କରାଯାଇଛି।

Also Read: ୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ୦.୪୦% ଚାର୍ଜ, ଅକ୍ଟୋବର ୧୫ରୁ ଲାଗୁ

ସୂଚନା ଅନୁଯାୟୀ, ଉକ୍ତ ମହିଳାଜଣକ ମଧ୍ୟପ୍ରଦେଶର ବୋଲି କୁହାଯାଉଛି। ହେଲେ ପୋଲିସ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନି। ପୋଲିସ କହିଛି ଯେ ଘଟଣାର ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋସିଆଲ ମିଡିଆରେ AIର ଏପରି ଅପବ୍ୟବହାରକୁ ନେଇ ଏବେ ସାଧାରଣରେ ଚିନ୍ତା ବୃଦ୍ଧି ପାଇଛି।