ନୂଆଦିଲ୍ଲୀ ୦୫।୦୯; ବକ୍ସ ଅଫିସ ଧମାଲ କରିବା ସହ ଦର୍ଶକଙ୍କ ମନ ଜିତିଥିବା ଚର୍ଚ୍ଚିତ ଫିଲ୍ମ ‘ହନୁମାନ ଅଂଶ’। ଏବେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜେଲ୍ ପ୍ରଶାସନର ସ୍ୱତନ୍ତ୍ର ଅନୁରୋଧ କ୍ରମେ ଆଗ୍ରା ଜିଲ୍ଲା ଜେଲ୍ରେ ଏହି ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜିତ ହୋଇଛି। କେବଳ ମନୋରଞ୍ଜନ ନୁହେଁ, ବରଂ କଏଦୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଏବଂ ସକାରାତ୍ମକ ଚିନ୍ତାଧାରା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଫିଲ୍ମର ନିର୍ଦ୍ଦେଶକ ଏବଂ ତାଙ୍କ ସମ୍ପୂର୍ଣ୍ଣ ଟିମ୍ ଜେଲ୍ରେ ପହଞ୍ଚି କଏଦୀମାନଙ୍କ ସହ ବସି ଫିଲ୍ମ ଦେଖିଛନ୍ତି।

ସ୍କ୍ରିନିଂ ପୂର୍ବରୁ ଫିଲ୍ମର କଳାକାର ଓ ଟିମ୍ ସଦସ୍ୟମାନେ କଏଦୀମାନଙ୍କ ସହ ମନୋଖୋଲି ଆଲୋଚନା କରିଥିଲେ। ଏହି ଅବସରରେ ଜେଲ୍ ପରିସରରେ ରାମନାମ ସଂକୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଦେଶକ ବିଶାଳ ଚତୁର୍ବେଦୀ କଏଦୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଜୀବନରେ ଭୁଲ୍ ଯାହା ବି ହୋଇଥାଉ ନା କାହିଁକି, ଜେଲ୍ରେ ରହି ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରି ଜୀବନକୁ ଏକ ନୂଆ ଦିଗ ଦିଆଯାଇପାରିବ। ଏହି ଫିଲ୍ମଟି ପ୍ରସିଦ୍ଧ ସନ୍ଥ ନୀମ କରୌଲୀ ବାବାଙ୍କ ଜୀବନ ଓ ଶିକ୍ଷାରୁ ପ୍ରେରିତ ଏକ ଅଧ୍ୟାତ୍ମିକ ଚଳଚ୍ଚିତ୍ର ଅଟେ। ଫିଲ୍ମରେ ନୀମ କରୌଲୀ ବାବାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶୋଭିନୟ ସତ୍ୟା କହିଛନ୍ତି ଯେ, ଆଗ୍ରା ଜେଲ୍ର କଏଦୀମାନଙ୍କ ସହ ସମୟ ବିତାଇବା ଏବଂ ସେଠାକାର ପରିବେଶ ତାଙ୍କୁ ଏକ ଅଲଗା ପ୍ରକାରର ସକାରାତ୍ମକ ଅନୁଭୂତି ଦେଇଛି।

ବକ୍ସ ଅଫିସରେ ଜବରଦସ୍ତ ସଫଳତା

ଅନ୍ୟପକ୍ଷରେ, ସିନେମା ହଲ୍ରେ ମଧ୍ୟ ‘ହନୁମାନ ଅଂଶ’ର ଯାତ୍ରା ବେଶ୍ ଆଶ୍ଚର୍ଯ୍ୟଜନକ ରହିଛି। ପ୍ରଥମ ଦିନରେ ମାତ୍ର ପ୍ରାୟ ୧୦ ଲକ୍ଷ ଟଙ୍କାରୁ ବ୍ୟାବସାୟିକ ଯାତ୍ରା ଆରମ୍ଭ କରିଥିବା ଏହି ଫିଲ୍ମଟି ଏବେ ଚତୁର୍ଥ ସପ୍ତାହରେ ୬୧.୮୮ କୋଟି ଟଙ୍କାରୁ ଅଧିକ ନେଟ୍ କଲେକ୍ସନ୍ ଏବଂ ପ୍ରାୟ ୭୨.୯୭ କୋଟି ଟଙ୍କାର ମୋଟ୍ କଲେକ୍ସନ୍ ହାସଲ କରି ବେଶ୍ ଚର୍ଚ୍ଚାରେ ରହିଛି।