ମୁମ୍ବାଇ: ମନୋରଞ୍ଜନ ଦୁନିଆରେ ବର୍ତ୍ତମାନ ଚହଳ ପକାଇଛି ମାତ୍ର ୨ କୋଟି ଟଙ୍କାରେ ନିର୍ମିତ ସିନେମା ହନୁମାନ ଅଂଶ। ଆମେ ସିନେମାର ବଜେଟ୍ କଥାକୁ ଆଗ କାହିଁକି ଗୁରୁତ୍ୱ ଦେଲୁ ତାହା ତ ଆପଣ ବୁଝି ସାରିବେଣି। କାରଣ ଏହି ସିନେମା ବକ୍ସ ଅଫିସ କଲେକ୍ସନର ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି।

୨୦୨୬ରେ ହୁଏତ ରଣବୀର ସଂହଙ୍କ ଧୁରନ୍ଧର-୨ ଦ ରିଭେଞ୍ଜ ବ୍ଲକ୍ ବଷ୍ଟର ସିନେମା ହୋଇପାରେ, ହେଲେ ହନୁମାନ ଅଂଶ ରିଲିଜର ପଞ୍ଚମ ଶୁକ୍ରବାର ଯେଉଁ ରେକର୍ଡ କରିଛି ତାହା ଧୁରନ୍ଧରକୁ ଟପିଯାଇଛି। ପଞ୍ଚମ ସପ୍ତାହରେ ସିନେମା ଶନିବାର ଓ ରବିବାରରେ ମୋଟ ୪୯.୨୫ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଯାହା ‘ଧୁରନ୍ଧରର’ର ପଞ୍ଚମ ସପ୍ତାହର ୩୩.୨୫ କୋଟି ଏବଂ ‘ଧୁରନ୍ଧର-୨ର’ର ୧୨.୫୫ କୋଟି ଟଙ୍କାର କଲେକ୍ସନ ଠାରୁ ଯଥେଷ୍ଟ ଅଧିକ।

ତିନି ଫିଲ୍ମର ପଞ୍ଚମ ସପ୍ତାହର କଲେକ୍ସନ୍

‘ହନୁମାନ ଅଂଶ’ ପଞ୍ଚମ ଶୁକ୍ରବାରରେ ୧୦ କୋଟି, ଶନିବାରରେ ୧୬.୫୦ କୋଟି ଏବଂ ରବିବାରରେ ୨୨.୭୫ କୋଟି ଟଙ୍କା କମାଇଛି। ଅନ୍ୟପଟେ ‘ଧୁରନ୍ଧର’ ଶୁକ୍ରବାର ୮.୭୫ କୋଟି, ଶନିବାର ୧୧.୭୫ କୋଟି ଏବଂ ରବିବାର ୧୨.୭୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ‘ଧୁରନ୍ଧର-୨’ର ପଞ୍ଚମ ଶୁକ୍ରବାରରେ ୨.୭୦ କୋଟି, ଶନିବାର ୪.୬୫ କୋଟି ଏବଂ ରବିବାର ୫.୨୦ କୋଟି ଟଙ୍କା କଲେକ୍ସନ୍ ହୋଇଥିଲା। ଅର୍ଥାତ୍ ଉଭୟ ‘ଧୁରନ୍ଧର’ ଫିଲ୍ମର ପଞ୍ଚମ ସପ୍ତାହର ମୋଟ କଲେକ୍ସନ୍ ୪୫.୮୦ କୋଟି ଥିବାବେଳେ ‘ହନୁମାନ ଅଂଶ’ ଏହାଠାରୁ ମଧ୍ୟ ୩.୪୫ କୋଟି ଅଧିକ ଆୟ କରିଛି।

Also Read- ଶ୍ରୀରାମଙ୍କ ଚରିତ୍ରରେ ରଣବୀର କପୁରଙ୍କୁ ଗ୍ରହଣ କରିପାରୁନି... ରାମାନନ୍ଦ ସାଗରଙ୍କ ନାତିଙ୍କ ବଡ଼ ବୟାନ

ରବିବାରରେ ସବୁଠାରୁ ବଡ଼ ଚମକ

‘ହନୁମାନ ଅଂଶ’ର ପଞ୍ଚମ ରବିବାରର କଲେକ୍ସନ୍ ସବୁଠାରୁ ଚମକପ୍ରଦ ରହିଛି। ଗୋଟିଏ ଦିନରେ ଫିଲ୍ମଟି ୨୨.୭୫ କୋଟି ଟଙ୍କା ନେଟ୍ ଆୟ କରିଛି। ଏହା ‘ଧୁରନ୍ଧର-୨’ର ସମ୍ପୂର୍ଣ୍ଣ ପଞ୍ଚମ ସପ୍ତାହର ୧୨.୫୫ କୋଟି ଟଙ୍କାଠାରୁ ମଧ୍ୟ ଅଧିକ। ଫିଲ୍ମର ଶୋ’ ସଂଖ୍ୟା ମଧ୍ୟ ଲଗାତାର ବଢ଼ି ଚାଲିଛି। ଶୁକ୍ରବାର ୫,୦୫୫ଟି ଶୋ’ ଥିବାବେଳେ ଶନିବାର ୬,୦୫୫ ଏବଂ ରବିବାର ୭,୦୭୭ଟି ଶୋ’ ହୋଇଥିଲା। ରବିବାର ଶୋ ଅକ୍ତିଆର କ୍ଷମତା ୭୩ ପ୍ରତିଶତରେ ପହଞ୍ଚିଥିଲା।

୨ କୋଟିରୁ ୧୫୦ କୋଟି

‘ହନୁମାନ ଅଂଶ’ର ମୋଟ ବଜେଟ୍ ପ୍ରାୟ ୨ କୋଟି ଟଙ୍କା ବୋଲି ରିପୋର୍ଟ ହୋଇଛି। ଫିଲ୍ମଟି ଭାରତରେ ୧୦୦ କୋଟି ଟଙ୍କାର ନେଟ୍ ମାଇଲଷ୍ଟୋନ୍ ଅତିକ୍ରମ କରିସାରିଛି। ପରେ ଏହାର ଇଣ୍ଡିଆ ଗ୍ରସ୍ କଲେକ୍ସନ୍ ମଧ୍ୟ ୧୫୦ କୋଟି ଟଙ୍କା ଅତିକ୍ରମ କରିଥିବା ଖବର ଆସିଛି।

ଯଦିଓ ମୋଟ କଲେକ୍ସନରେ ‘ଧୁରନ୍ଧର-୨’ ୧,୧୦୦ କୋଟିରୁ ଅଧିକ ନେଟ୍ କଲେକ୍ସନ୍ ସହ ଅନେକ ଆଗରେ ରହିଛି ହେଲେ ପଞ୍ଚମ ସପ୍ତାହର ବକ୍ସ ଅଫିସ୍ ପରିସଂଖ୍ୟାନରେ ‘ହନୁମାନ ଅଂଶ’ର ଏହି ସଫଳତା ନିଶ୍ଚିତ ଭାବେ ଚଳଚ୍ଚିତ୍ର ଜଗତରେ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।