ମୁମ୍ବାଇ: ନିତେଶ ତିୱାରୀଙ୍କ ଆଗାମୀ ବହୁପ୍ରତିକ୍ଷିତ ଚଳଚ୍ଚିତ୍ର 'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁରଙ୍କୁ ନିଆଯିବା ନେଇ ଆଲୋଚନା ପୁଣି ଥରେ ଜୋର ଧରିଛି। ଐତିହାସିକ 'ରାମାୟଣ' ଧାରାବାହିକର ନିର୍ମାତା ରାମାନନ୍ଦ ସାଗରଙ୍କ ନାତି ଶିବ ସାଗର ଏହି ନିଷ୍ପତ୍ତିକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି।

ଶିବ ସାଗରଙ୍କ ମନ୍ତବ୍ୟ
ଶିବ ସାଗରଙ୍କ କହିବା ଅନୁଯାୟୀ, 'ଆନିମଲ୍' ଚଳଚ୍ଚିତ୍ରରେ ରଣବୀରଙ୍କ ହିଂସାତ୍ମକ ଓ ଆକ୍ରାମକ ଅଭିନୟ ଦେଖିବା ପରେ ତାଙ୍କୁ ଭଗବାନ ରାମଙ୍କ ଭୂମିକାରେ ଗ୍ରହଣ କରିବା ବ୍ୟକ୍ତିଗତ ଭାବରେ କଷ୍ଟକର। ଭଗବାନ ରାମଙ୍କ ପରି ଆଧ୍ୟାତ୍ମିକ ଓ ସମ୍ବେଦନଶୀଳ ଚରିତ୍ର ପାଇଁ କୌଣସି ନୂଆ ଚେହେରା (Fresh Face) ନିଆଯାଇଥିଲେ ଅଧିକ ଭଲ ହୋଇଥାନ୍ତା । ଫଳରେ ଦର୍ଶକଙ୍କ ମନରେ ପୂର୍ବରୁ କୌଣସି ଚରିତ୍ରର ଛାପ ରହିନଥାନ୍ତା।

ସେ ରଣବୀରଙ୍କ ଅଭିନୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ତାଙ୍କ ମତରେ, ଫିଲ୍ମର ମାର୍କେଟିଂ ଓ ପ୍ରଚାର-ପ୍ରସାରକୁ ବୃଦ୍ଧି କରିବା ପାଇଁ ହୁଏତ ନିର୍ମାତାମାନେ ଏତେ ବଡ଼ ସୁପରଷ୍ଟାରଙ୍କୁ ଚୟନ କରିଥାଇପାରନ୍ତି। ଶିବ ସାଗର ଅନ୍ୟ କଳାକାର ଯେମିତି କି - ରାବଣ ଭୂମିକାରେ ୟଶ୍ ଏବଂ ସୀତା ଭୂମିକାରେ ସାଇ ପଲ୍ଲବୀଙ୍କ ଚୟନକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି।

ବହୁପ୍ରତିକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ନିର୍ଦ୍ଦେଶକ ନିତେଶ ତିୱାରୀ ଏବଂ ପ୍ରଯୋଜକ ହେଉଛନ୍ତି ନମିତ ମାଲହୋତ୍ରା  । ଏଥିରେ  ରଣବୀର କପୁର, ସାଇ ପଲ୍ଲବୀ, ୟଶ୍, ରବି ଦୁବେ, ସନ୍ନି ଦେଓଲ ପ୍ରମୁଖ ନଜର ଆସିବେ । ରାମାନନ୍ଦ ସାଗରଙ୍କ ମୂଳ ରାମାୟଣ ସିରିଜ ରେ ‘ରାମ’ ଭୂମିକା ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ ଏହି ଚଳଚ୍ଚିତ୍ର​‌ରେ ରାଜା ଦଶରଥଙ୍କ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଫେରିବେ ।

ଚଳିତ ବର୍ଷ ନଭେମ୍ବରରେ ରାମାୟଣ- ପ୍ରଥମ ଭାଗ ରିଲିଜ୍‌ ହେବ । ଦ୍ବିତୀୟ ଭାଗ ୨୦୨୭ରେ ଦୀପାବଳିରେ ମୁକ୍ତିଲାଭ ହେବ ବୋଲି ଘୋଷଣା ସରିଛି । ଶିବ ସାଗରଙ୍କ ମତରେ, ଦର୍ଶକହିଁ ଶେଷ ନିଷ୍ପତ୍ତି ନେବେ। ସିନେମାହଲକୁ ଆସିବା ପରେ ରଣବୀରଙ୍କୁ 'ରାମ' ଭାବେ ଦର୍ଶକ ଗ୍ରହଣ କରୁଛନ୍ତି କି ନାହିଁ, ତାହା ସମୟ ହିଁ କହିବ।