ମୁମ୍ବାଇ: ବକ୍ରିଦ୍ (ଇଦ୍-ଉଲ୍-ଅଦ୍‌ହା) ପୂର୍ବରୁ ମହାରାଷ୍ଟ୍ର ବିଜେପିର ଦୁଇ ନେତାଙ୍କ ମଧ୍ୟରେ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଛି । ବିଜେପି ବିଧାୟକ ତଥା ରାଜ୍ୟର ମନ୍ତ୍ରୀ ନୀତେଶ ରାଣେ ମୁସଲମାନ ସମୁଦାୟକୁ ପଶୁ ବଳି ନଦେଇ ‘ଭର୍ଚୁଆଲ୍ ବକ୍ରିଦ୍’ ପାଳନ ଏବଂ ପରିବେଶ ଅନୁକୂଳ ଉପାୟ ଆପଣାଇବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟକୁ ନେଇ ଦଳର ଅନ୍ୟ ଜଣେ ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସଂଖ୍ୟାଲଘୁ ମୋର୍ଚ୍ଚାର ପୂର୍ବତନ ସଭାପତି ହାଜି ଆରାଫାତ ଶେଖ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ନୀତେଶ ରାଣେଙ୍କୁ କଟାକ୍ଷ କରି ହାଜି ଆରାଫାତ ଶେଖ୍ କହିଛନ୍ତି, 'ନୀତେଶ ରାଣା ସାମାନ୍ୟତମ ବୁଝିବା ଦରକାର । ଏହା ଇଦ୍ ପର୍ବ ଏବଂ ସବୁଠୁ ବଡ଼ କଥା ହେଉଛି, ତାଙ୍କର ନିଜର ଗୋଟିଏ ମାଂସ ଦୋକାନ ଅଛି । ତାଙ୍କ ବାପା ମଧ୍ୟ ଗୋଟିଏ ମାଂସ ଦୋକାନ ବ୍ୟବସାୟରୁ ମନ୍ତ୍ରୀ ଏବଂ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛନ୍ତି ।'

ଶେଖ୍ କହିଛନ୍ତି, 'ଚେମ୍ୱୁରରେ ତାଙ୍କର ମାଆଙ୍କ ନାଁରେ ଗୋଟିଏ ହେଟେଲ ଅଛି । ସେଠାରେ ସେ କଙ୍କଡା, ମାଛ ଏବଂ ମଟନ ମସଲା ବିକ୍ରି କରନ୍ତି । ତେଣୁ ନୀତେଶ ରାଣା ବୁଝିବା ଦରକାର । ତୁମ ମଟନ୍ ଦୋକାନ ଓ ହୋଟେଲକୁ ଦେଖିବା ଦରକାର । ଯଦି ତୁମେ ରବିବାର ମଟନ୍ ଖାଅ, ତେବେ ମଟନ୍ ପରିବର୍ତ୍ତେ କାଗଜ ଖାଇବା ଆରମ୍ଭ କର । ଏହାର ସ୍ୱାଦ କିପରି ତୁମେ ଅନୁଭବ କରିପାରିବ ।'

ସେ ଆହୁରି କହିଛନ୍ତି, 'ରାଜ୍ୟରେ ଛେଳି ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକା ଯାଉଛି । ଏଥିପାଇଁ ହନ୍ଦୁ ବ୍ୟବସାୟୀ, ଧାନଗର ସମୁଦାୟ ଏବଂ ମୁସଲମାନ ସମ୍ପ୍ରଦାୟ ଚିନ୍ତାରେ ଅଛି । କଂସେଇ ସମୁଦାୟ ମଧ୍ୟ ଏହି ସମୟରେ କିଛି ରୋଜଗାର ପାଇଥାନ୍ତି । ମନ୍ତ୍ରୀ ଚେମ୍ୱୁର ଦୋକାନରେ ଭଲ ବ୍ୟବସାୟ କରନ୍ତି, ତେଣୁ ଆମ ବ୍ୟବସାୟ କଥା ମଧ୍ୟ ଚିନ୍ତା କରନ୍ତୁ ।'

ମୁମ୍ବାଇରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ସମୟରେ ରାଣେ ପରାମର୍ଶ ଦେଇଥିଲେ, ସମସ୍ତ ସମ୍ପ୍ରଦାୟର ପର୍ବଗୁଡ଼ିକୁ ପରିବେଶଗତ ଦାୟିତ୍ୱ ଦୃଷ୍ଟିରୁ ଆଲୋଚନା କରାଯିବା ଉଚିତ । ରାଣେ କହିଥିଲେ, ହିନ୍ଦୁ ସମାଜକୁ ନିୟମିତ ଭାବରେ ଶୁଖିଲା ହୋଲି ପାଳନ କରିବାକୁ ଏବଂ ଦୀପାବଳି ସମୟରେ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦିଆଯାଉଛି ।  ଇଦ୍ ଅଲ-ଅଦହା ପାଇଁ କାହିଁକି ସମାନ ପରାମର୍ଶ ଦିଆଯାଏ ନାହିଁ । ସେ କହିଥିଲେ, "ଯଦି ହିନ୍ଦୁ ସମାଜ ପାଇଁ ଏପରି ପରାମର୍ଶ ଦିଆଯାଉଛି, ତେବେ ଆଗାମୀ ଇଦ୍ ଅଲ୍-ଆଧାକୁ ପରିବେଶ ଅନୁକୂଳ ଉପାୟରେ କିମ୍ବା ଭର୍ଚୁଆଲ୍ ବକ୍ରିଦ୍ ପାଳନ କରାଯିବା ଉଚିତ ବୋଲି କହିବାରେ କ'ଣ ଭୁଲ ?"

ବକ୍ରିଦ୍ ପୂର୍ବରୁ ଏହି ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍ ଗରମ ହୋଇଛି। ନିଜେ ବିଜେପି ଦଳର ଦୁଇ ପ୍ରମୁଖ ନେତା ପରସ୍ପର ବିରୋଧରେ ମୁହାଁମୁହିଁ ହେବା ଦଳ ଭିତରେ ଥିବା ଆଭ୍ୟନ୍ତରୀଣ ମତଭେଦକୁ ପଦାରେ ପକାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବ୍ୟାପକ ଚର୍ଚ୍ଚା ଚାଲିଛି।