ନୂଆଦିଲ୍ଲୀ ୦୯।୦୯; ଗୋଟିଏ ଘର… ଦୁଇ ଦିନର ନିରବତା… ଆଉ ତା’ପରେ ଘର ଭିତରୁ ଆସିଲା ଅସହ୍ୟ ଦୁର୍ଗନ୍ଧ। ପଡ଼ୋଶୀଙ୍କ ସନ୍ଦେହରୁ ଯେତେବେଳେ ପୋଲିସ ଘରର କବାଟ ଖୋଲିଲା, ସାମ୍ନାକୁ ଆସିଲା ଏକ ଭୟଙ୍କର ହତ୍ୟାକାଣ୍ଡ। ଘଟଣା ଆସାମର ଗୌହାଟୀର। ମୃତକ ହେଉଛନ୍ତି ୨୫ ବର୍ଷୀୟା ରିଆ ତାଲୁକଦାର। ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱାମୀ ରାମାନୁଜ ଗୋସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଅନୁସାରେ, ସେପ୍ଟେମ୍ବର ୩ରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ପରେ ଏହି ହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେପ୍ଟେମ୍ବର ୬ରେ ଘଟଣା ସାମ୍ନାକୁ ଆସିଥିଲା। ପଡ଼ୋଶୀମାନେ ଦୁଇ ଦିନ ଧରି ଦମ୍ପତିଙ୍କୁ ଦେଖିନଥିଲେ। ମୋବାଇଲ୍ ମଧ୍ୟ ବନ୍ଦ ଥିଲା। ଏହା ସହ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘରର ତାଲା ଖୋଲି ଯାଞ୍ଚ କରିବା ପରେ ରିଆଙ୍କ ମୃତଦେହ ଠାବ କରିଥିଲା। ତଦନ୍ତ ସମୟରେ ଫ୍ରିଜ୍ରୁ ତାଙ୍କ ମୁଣ୍ଡ ମିଳିଥିବା ନେଇ ପୋଲିସ କହିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ହତ୍ୟାରେ ବ୍ୟବହାର କରିଥିବା ସନ୍ଦେହରେ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ ହୋଇଛି।

ଘଟଣା ପରେ ରାମାନୁଜ ଘରୁ ଫେରାର ଥିବା ବେଳେ ଦୁଇ ଦିନ ପରେ ରବିବାର ରାତିରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୭ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି। ପୋଲିସ ପଚରାଉଚରାରେ ଅଭିଯୁକ୍ତ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି। ତେବେ ହତ୍ୟାର ପ୍ରକୃତ କାରଣ କ’ଣ, ଘଟଣାର ପଛରେ ଆଉ କିଏ ଅଛନ୍ତି କି ନାହିଁ—ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି। ପତ୍ନୀଙ୍କ ସମ୍ଭାବ୍ୟ ପରକୀୟା ସମ୍ପର୍କକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା କଥା ଅଭିଯୁକ୍ତ କହିଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଏହି ଦାବି ସତ ବୋଲି ପ୍ରମାଣିତ ହୋଇନାହିଁ।

ସବୁଠୁ ଚାଞ୍ଚଲ୍ୟକର କଥା, କୋର୍ଟକୁ ନେବା ସମୟରେ ରାମାନୁଜ ନିଜ କାର୍ଯ୍ୟ ପାଇଁ ଅନୁତାପ ନଥିବା କହିବା ସହ, ଜେଲରୁ ବାହାରିବା ପରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାର ଧମକ ଦେଇଥିବା ରିପୋର୍ଟ ଆସିଛି। ପୋଲିସ ଏହି ଦାବି ଓ ଧମକର ସତ୍ୟତା ଯାଞ୍ଚ କରୁଛି। ଏବେ ପୋଲିସ ହେପାଜତରେ ଅଛି ଅଭିଯୁକ୍ତ। ତଦନ୍ତକାରୀଙ୍କ ଫୋକସ୍ରେ ହତ୍ୟାର ଉଦ୍ଦେଶ୍ୟ, ଘଟଣାର ସମ୍ପୂର୍ଣ୍ଣ କ୍ରମ ଏବଂ ଅଭିଯୁକ୍ତଙ୍କ ବୟାନର ସତ୍ୟତା। ତଦନ୍ତ ଆଗକୁ ବଢ଼ିବା ସହ ଏହି ଭୟଙ୍କର ହତ୍ୟାକାଣ୍ଡ ଆହୁରି କେତେ ଗୁମର ଖୋଲୁଛି, ଏବେ ତା’ଉପରେ ରହିଛି ନଜର।