କିଭ: ୟୁକ୍ରେନ ରାଜଧାନୀ କିଭରେ ଶନିବାର ଅଜ୍ଞାତ ବନ୍ଧୁକଧାରୀ ଭେଲମାର୍ଟ ସୁପରମାର୍କେଟରେ ଗୁଳିକାଣ୍ଡ କରିଛନ୍ତି। ତେବେ ସୁପରମାର୍କେଟରେ ଗୁଳିକାଣ୍ଡ ପୂର୍ବରୁ ସେମାନେ ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ସ୍ୱୟଂଚାଳିତ ରାଇଫଲରୁ ଟାର୍ଗେଟ କରିଥିଲେ। ପରେ ସୁପରମାର୍କେଟରେ ବନ୍ଧୁକଧାରୀ ଅନେକ ଲୋକଙ୍କୁ ବନ୍ଧକ କରିଥିବାର ପୋଲିସ ଆଶଙ୍କା କରିଛି। କିଭ ମେୟର ଭିଟାଲୀ କ୍ଲିଟସ୍କୋ ଅଧିକାରୀକ ଭାବେ ଏହି ଘଟଣାର ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଧରିବାକୁ ଓ ବନ୍ଧକଙ୍କୁ ସୁରକ୍ଷିତ ବାହାର କରିବାକୁ ଅଭିଯାନ ଚଳାଯାଇଛି।

ମେୟରଙ୍କ ଅନୁସାରେ ସୁପରମାର୍କେଟ ଭିତରୁ ଏବେବି ଗୁଳି ଶବ୍ଦ ଶୁଣାଯାଉଛି। ଏଣୁ ପରିସ୍ଥିତି କେତେ ଜଟିଳ ତାହା ସହଜରେ ଅନୁମାନ କରାଯାଇ ପାରେ ବୋଲି ଉଲ୍ଲେଖ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେଓଆରଡି ନାମକ ଏକ ସ୍ୱତନ୍ତ୍ର ପୋଲିସ ୟୁନିଟ୍ ଓ ସେନା କମାଣ୍ଡୋ ସୁପରମାର୍କେଟକୁ ଘେରି ରଖିଛନ୍ତି। ସୁରକ୍ଷା ବଳ ଏବେ ବିପଦକୁ ହ୍ରାସ କରିବା ଓ ସିନ୍ଦିଗ୍ଧଙ୍କୁ ଆତ୍ମ ସମର୍ପଣ କରାଇବାକୁ ପ୍ରୟାସ କରୁଛନ୍ତି।

ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କଥିତ ରୂପେ ସନ୍ଦିଗ୍ଧମାନଙ୍କୁ ନାଗରିକଙ୍କୁ ଟାର୍ଗେଟ୍ କରୁଥିବା ଦେଖା ଯାଇଛି। ତେବେ ଅଧିକାରୀ ଏହି ସବୁ ଭିଡିଓର ପ୍ରାମାଣିକତା ପୁଷ୍ଟି କରି ନାହାନ୍ତି। ସେହିପରି ବନ୍ଧୁକଧାରୀଙ୍କ ଆକ୍ରମଣରେ କେତେ ଲୋକ ହତାହତ ହୋଇଛନ୍ତି ତାହା ଏ ପର୍ଯ୍ୟନ୍ତ ପୁଷ୍ଟି ହୋଇ ନାହିଁ। ଅଧିକାରୀଙ୍କ ଅନୁସାରେ ପରିସ୍ଥିତି ଏବେ ବି ନିୟନ୍ତ୍ରଣକୁ ଆସି ନାହିଁ। ଏଣୁ ମୃତ ଓ ଆହତଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ଜଣା ପଡି ନାହିଁ। କିଭ ନାଗରିକଙ୍କୁ ସୁରକ୍ଷାଗତ କାରଣରୁ ହୋଲୋସିଭସ୍କି ଜିଲ୍ଲା ଆଖାପାଖକୁ ଯିବାକୁ ବାରଣ କରାଯାଇଛି।