• ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି
  • ଇରାନ ଗଲଫ ଦେଶମାନଙ୍କରେ ଥିବା ଯୁକ୍ତରାଷ୍ଟ୍ରର ଆଡ୍ଡାଙ୍କୁ ଟାର୍ଗେଟ କରୁଛି
  • ଗ୍ୟାସ ଓ ତୈଳ ସମ୍ପର୍କିତ ଭିତ୍ତିଭୂମି ଯୁଦ୍ଧରେ ଟାର୍ଗେଟ ହେଉଛି
  • ଗଲଫ ଦେଶମାନେ ତୁରନ୍ତ ଅନ୍ତର୍ଜାତୀୟ ମଞ୍ଚକୁ ମୁହାଁଇଛନ୍ତି

ନୂଆଦିଲ୍ଲୀ ୧୯।୩: ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ଏବେ ଏକ ବଡ଼ ଯୁଦ୍ଧର ରୂପା ଧାରଣ କଲାଣି। ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନ ଗଲଫ ଦେଶମାନଙ୍କରେ ଥିବା ଯୁକ୍ତରାଷ୍ଟ୍ରର ଆଡ୍ଡାଙ୍କୁ ଟାର୍ଗେଟ କରୁଛି। ଏହା ସହିତ ଗ୍ୟାସ ଓ ତୈଳ ସମ୍ପର୍କିତ ଭିତ୍ତିଭୂମି ଯୁଦ୍ଧରେ ଟାର୍ଗେଟ ହେଉଛି। ଏଣୁ ବୈଶ୍ୱିକ ସ୍ତରରେ ଶକ୍ତି ସଂକଟ ଗୁରୁତ୍ତର ହେବ ବୋଲି ଏବେ ଆଶଙ୍କା କରାଯାଉଛି।

ଅନ୍ତର୍ଜାତୀୟ ମଞ୍ଚରେ ଗଲଫ ଦେଶ
ଇରାନରେ ଏପରି ଆକ୍ରମଣରେ ତ୍ରସ୍ତ ଗଲଫ ଦେଶମାନେ ତୁରନ୍ତ ଅନ୍ତର୍ଜାତୀୟ ମଞ୍ଚକୁ ମୁହାଁଇଛନ୍ତି। ମିଳିତ ଜାତି ସଂଘ (ୟୁଏନ)ରେ ଏହି ପ୍ରସଙ୍ଗକୁ ନେଇ ତତ୍କାଳ ବିତର୍କ ଦାବି କରାଯାଇଛି। ରିପୋର୍ଟ ଅନୁସାରେ ବାହରିନ, ଜୋର୍ଡାନ, କ୍ୱେତ, ଓମାନ, କତାର, ସାଉଦୀ ଆରବ ଓ ୟୁଏଇ ଆଦି ଦେଶମାନେ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ଏକ ମିଳିତ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏଥିରେ ଇରାନ ଦ୍ୱାରା ବେସାମରିକ ଅଞ୍ଚଳ ଓ ଶକ୍ତି ଉତ୍ସ ଉପରେ ହେଉଥିବା ଡ୍ରୋନ ଆକ୍ରମଣକୁ ଅନ୍ତର୍ଜାତୀୟ ଶାନ୍ତି ନିମନ୍ତେ ଗୁରୁତର ବିପଦ ବୋଲି କହିଛନ୍ତି।

ତୃତୀୟ ସପ୍ତାହରେ ଯୁଦ୍ଧ
ଏହି ଯୁଦ୍ଧ ଏବେ ତୃତୀୟ ସପ୍ତାହକୁ ପ୍ରବେଶ କରିଛି ଓ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଗଲଫ ଉପରେ ପଡିଛି। ଇରାନ ପକ୍ଷରୁ କରାଯାଉଥିବା କାର୍ଯ୍ୟାନୁଷ୍ଠାନରେ କେବଳ ସାମରିକ ଆଡ୍ଡା ନୁହେଁ ତୈଳ ରିଫାଇନାରୀ ଓ ଗ୍ୟାସ୍ ପ୍ଲାଣ୍ଟ ମଧ୍ୟ ଟାର୍ଗେଟ ହେଉଛି। ଏଥି ଯୋଗୁ ନା କେବଳ ଆଞ୍ଚଳିକ ସୁରକ୍ଷା ବିପଦରେ ପଡିଛି ବରଂ ସାଧାରଣ ନାଗରିକଙ୍କ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗଲଫ ଦେଶଙ୍କ କହିବା କଥା ହେଉଛି ଆମେ ପୂର୍ବରୁ ଆମ ଦେଶର ମାଟିକୁ ଇରାନ ବିରୋଧରେ ଆକ୍ରମଣ ଲାଗି ଉପଯୋଗ ହେବାକୁ ଦେବୁନି ବୋଲି ପ୍ରତିଶ୍ରୁତି ଦେଇଥିଲୁ। ଏହା ସତ୍ତ୍ୱେ ସେମାନଙ୍କ ଉପରେ ଆକ୍ରମଣ ହେଉଛି।

ବଢୁଛି ତୈଳ ଓ ଗ୍ୟାସ୍ ମୂଲ୍ୟ
ଏହି ଯୁଦ୍ଧ ଜଟିଳ ହେଉଥିବା ସେତେବେଳେ ଜଣାପଡିଲା ଯେତେବେଳେ ହୋର୍ମୁଜ ପ୍ରଣାଳୀ ବନ୍ଦ ହେଲା। ଏହି ପ୍ରଣାଳୀ ବୈଶ୍ୱିକ ତୈଳ ଯୋଗାଣ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବନ୍ଦ ହେବା ଅଥବା ଅଚଳ ହେବା ଅନ୍ତର୍ଜାତୀୟ ବଜାରରେ ତୈଳ ଓ ଗ୍ୟାସ୍ ମୂଲ୍ୟ ବଢୁଛି। ବ୍ରେଣ୍ଟ କ୍ରୁଡ ବ୍ୟାରଲ ପିଛା ମୂଲ୍ୟ ୧୧୪ ଡଲାରକୁ ପହଞ୍ଚି ଯାଇଛି। ନିକଟରେ କତାରର ଏକ ପ୍ରମୁଖ ଗ୍ୟାସ୍ ଫାସେଲିଟି ଓ କ୍ୱେତର ତୈଳ ରିଫାଇନାରୀ ଉପରେ ହୋଇଥିବା ଆକ୍ରମଣ ପରିସ୍ଥିତିକୁ ଆହୁରି ଜଟିଲ କରିଛି। କତାରର ଏହି ଗ୍ୟାସ୍ ପ୍ରୋଜେକ୍ଟ ବିଶ୍ୱର ଏକ ବିଶାଳ କ୍ଷେତ୍ରକୁ ଶକ୍ତି ଯୋଗାଇ ଦେଉଛି। ଏଣୁ ଏହି ଆକ୍ରମଣ ବୈଶ୍ୱିକ ପ୍ରଭାବ ପକାଇ ପାରେ ବୋଲି ଆଶଙ୍କା କରାଯାଇଛି।

ଦାବି କରୁଛନ୍ତି କ୍ଷତିପୂରଣ
ଗଲଫ ଦେଶମାନେ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଇରାନ ତୁରନ୍ତ ଆକ୍ରମଣ ବନ୍ଦ କରୁବୋଲି ଦାବି କରିଛନ୍ତି। କେବଳ ଏତିକି ନୁହେଁ ଇରାନର ଆକ୍ରମଣ ଯୋଗୁ ହୋଇଥିବା ପରିବେଶ କ୍ଷତି ଓ ଅନ୍ୟ କ୍ଷୟକ୍ଷତିର ଭରଣା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଦାବି କରିଛନ୍ତି। ଏଥିରେ ଏବି ମିଳିତ ଜାତି ସଂଘ ଏହି ପରିସ୍ଥିତି ଉପରେ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ଏବେ ସାରା ବିଶ୍ୱର ନଜର।