ଗାନ୍ଧୀନଗର, ୨୦|୦୭: ଶିଶୁ କନ୍ୟାକୁ ଦୁଷ୍କର୍ମ । ତା ପରେ ହତ୍ୟା । ଜଘନ୍ୟ ଘଟଣାରେ ପୋଲିସର ବଡ ଆକ୍ସନ୍ । ଶେଷରେ ଜଣେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ ତଥା ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ରିପୋର୍ଟ ଅନୁସାରେ, ପ୍ରାଣ ହରାଇଥିବା ଅଭିଯୁକ୍ତ ହେଲା ସୁରେଶ ପରମାର । ଗୁଜୁରାଟର ଆନନ୍ଦ ଜିଲ୍ଲାରେ ସୁରେଶ ନାଁରେ ମାମଲା ରହିଛି । କିଛି ଦିନ ତଳେ ସେ ଜଣେ ଶିଶୁକନ୍ୟାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିଲା । ଏପରିକି ହତ୍ୟା ମଧ୍ୟ କରିଥିଲା । ତେବେ ମାମଲା ଜଣା ପଡିବା ପରେ ଆନନ୍ଦ ଜିଲ୍ଲାର ବୋରସାଦ୍ ପୋଲିସ ଘଣ୍ଟାଏ ଭିତରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ।

ଗିରଫ ପରେ ସୁରେଶକୁ ଆନନ୍ଦ କ୍ରାଇମ୍ ବ୍ରାଞ୍ଚ ଶାଖାକୁ ବୋରସାଦ ପୋଲିସ ହସ୍ତାନ୍ତର କରିଥିଲା । ଅଭିଯୁକ୍ତକୁ ଗାଡିରେ ନେବା ବାଟରେ ସେ ବାନ୍ତି କରିବ ବୋଲି କହିଥିଲା । ଏହାପରେ ସୁରେଶକୁ ପୋଲିସ ଭ୍ୟାନରୁ ଓହ୍ଲାଇଥିଲା । ଏହି ସମୟରେ ନିକଟରେ ଅନ୍ୟ କିଛି ଅଧିକାରୀ ମଧ୍ୟ ତାକୁ ଜଗି ରହିଥିଲେ । କିନ୍ତୁ ହଠାତ ସେ ଏକ ଛୁରୀ ସାହାଯ୍ୟରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲା । ଏହାସହ ଖସି ଯିବାକୁ ଚେଷ୍ଟା କରିଥିଲା ।

ଶେଷରେ ତାକୁ ଆତ୍ମସମର୍ପଣ କରିବାକୁ ପୋଲିସ ଅଧିକାରୀ କହିଥିଲେ । କିନ୍ତୁ ଏହା ସୁରେଶ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ଫଳରେ ବାଧ୍ୟ ହୋଇ ପୋଲିସ ଆତ୍ମରକ୍ଷା ପାଇଁ ସୁରେଶ ଉପରେ ଗୁଳି ଚାଳନା କରିଥିଲା । ଏଥିରେ ଆହତ ହେଲା ପରେ ତାକୁ ହସ୍ପିଟାଲ ନିଆ ଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ଜଣା ପଡିଛି । ଘଟଣାରେ ଦୁଇ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାୟାଇଛି ।

ସୂଚନାଯୋଗ୍ୟ, ସୁରେଶ ୪ ବର୍ଷର ଏକ ବାସହରା ଶିଶୁ କନ୍ୟାକୁ ଭସଦ୍ ରେଳ ଷ୍ଟେସନରୁ ଅପହରଣ କରିନେଇଥିଲା । ଏହାପରେ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା ବୋଲି ରେଳବାଇ ଡିଏଶପି ଜିଏସ୍ ଭରିୟା ସୂଚନା ଦେଇଛନ୍ତି ।