ପୁରୀ ୩୧।୮: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଜିଠାରୁ ପୂର୍ଣ୍ଣ ରୂପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରାଯାଇଛି। ଏଣିକି ଭକ୍ତମାନେ ନାଟମଣ୍ଡପରେ ପ୍ରବଳ ଗରମ ଓ ଗୁଳୁଗୁଳିର ସମ୍ମୁଖୀନ ହେବେ ନାହିଁ।

ପ୍ରବଳ ଗୁଳୁଗୁଳି ଯୋଗୁଁ ଅନେକ ସମୟରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡୁଥିବାବେଳେ ଅନେକ ଭକ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ବାନ୍ତି କରିଦିଅନ୍ତି। ଏହାଦ୍ବାରା ଅନେକ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ASIର ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ।

ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାକୁ ଭକ୍ତମାନେ ସ୍ବାଗତ କରିଛନ୍ତି। ତେବେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଗଲେ ଭକ୍ତମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେ ବୋଲି ଭକ୍ତମାନେ କହିଛନ୍ତି। ଏଣୁ ସରକାର ଯଥାଶୀଘ୍ର ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭକ୍ତ ଅନୁରୋଧ କହିଛନ୍ତି। ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବାରୁ ଭକ୍ତମାନେ ଅତି ସୁନ୍ଦର ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ଧାଡ଼ି ଦର୍ଶନ ବ୍ୟବସ୍ଥା ନାଟମଣ୍ଡପ ରେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ବରିଷ୍ଠ ନାଗରିକ, ମହିଳା, ଛୋଟପିଲା ମାନେ ମହାପ୍ରଭୁଙ୍କୁ ଠିକ୍ରେ ଦର୍ଶନ କରି ପାରୁନାହାନ୍ତି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ତେବେ ସରକାର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କେବେ କରୁଛନ୍ତି ତାକୁ ଏବେ ସମସ୍ତଙ୍କ ଅପେକ୍ଷା।