ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବର୍ତ୍ତମାନ ଭାରତ ସମେତ ଅନ୍ତର୍ଜାତୀୟ ବଜାରରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିବା ଚେଷ୍ଟାରେ ଲାଗିପଡ଼ିଛି। ଆଦାନୀ ଗ୍ରୁପର କମ୍ପାନୀ “ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେସାଲ ଇକୋନୋମିକ ଜୋନ” ୟୁରୋପ ଇଭୋସ ଟର୍ମିନାଲ୍ସ(Evos Terminals)କୁ କିଣିବାକୁ ପ୍ରସ୍ତାବ ଦେଇଛି। ଏଥିପାଇଁ କମ୍ପାନୀ ୩ ବିଲିଅନ ୟୁରୋ ଅଫର କରିଛି।

ଇଭୋସ ଟର୍ମିନାଲ୍ସ ହେଉଛି ୟୁରୋପର ଏକ ଲିକ୍ୱିଡ୍ ଷ୍ଟୋରେଜ୍ ଆଣ୍ଡ ଟର୍ମିନାଲ କମ୍ପାନୀ। ଏହାର ମାଲିକାନା ବର୍ତ୍ତମାନ ଇଗ୍ନିଓ ଇନଫ୍ରାଷ୍ଟ୍ରକଚର୍ ପାର୍ଟନର୍ସ(Igneo Infrastructure Partners) ପାଖରେ ରହିଛି। ଆଦାନୀ ଗ୍ରୁପ ଏହି ଟର୍ମିନାଲ୍ସ କିଣି ୟୁରୋପରେ ନିଜର ବିଜନେଶ ବିସ୍ତାର କରିବାକୁ ଚାହୁଁଛି। ତେଣୁ କମ୍ପାନୀ ପ୍ରଥମେ ୟୁରୋପର ଷ୍ଟୋରେଜ ବିଜନେଶରେ ଏଣ୍ଟ୍ରି କରିବାକୁ ଲକ୍ଷ୍ୟ ରଖିଛି।

Also Read- ଚୀନ ଗୁଇନ୍ଦା ଚାଲରେ ଫସିଲେ ଏନ୍ଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ: ଡାଟା ଲିକ୍ ସନ୍ଦେହ କରୁଛି ଆମେରିକା

କେବଳ ଏହି ଗୋଟିଏ କମ୍ପାନୀ ନୁହେଁ, ଡଚ୍ ଏନର୍ଜି ଷ୍ଟୋରେଜ୍ ଗ୍ରୁପ VTTIକୁ ମଧ୍ୟ କିଣିବାକୁ ଚାହୁଁଛି ଆଦାନୀ ପୋର୍ଟ୍ସ। ଏଥିପାଇଁ ମଧ୍ୟ ୩ ବିଲିଅନ ୟୁରୋ ଅଫର କରାଯାଇପାରେ ବୋଲି ବୁଧବାର ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ କରିଥିଲା।

ଇଭୋସ ଟର୍ମିନାଲ୍ସର ଷ୍ଟୋରେଜ୍ କ୍ଷମତା

ଇଭୋସ ଟର୍ମିନାଲ୍ସର ମୋଟ ଇନ୍ଧନ ଷ୍ଟୋରେଜ କ୍ଷମତା ୬.୪ ମିଲିଅନ କ୍ୟୁବିକ ମିଟର ରହିଛି। କମ୍ପାନୀ ପାଖରେ ମୋଟ ୮ଟି ଟ୍ୟାଙ୍କ ଟର୍ମିନାଲ୍ସ ଥିବା ବେଳେ ଏଗୁଡ଼ିକ ସବୁ ୫ ୟୁରୋପ ଦେଶର ୭ଟି ପୋର୍ଟରେ ରଖାଯାଇଛି। ତେଣୁ ଏହାର ବ୍ୟାବସାୟିକ ମହତ୍ୱ ବହୁତ ରହିଛି। ଏହି କମ୍ପାନୀ ମୋଟର ଫ୍ୟୁଲ ସହିତ ବାୟୋ-ଡିଜେଲ, ବାୟୋ-ଇଥାନଲ, ଇ-ମେଥାନଲ ଓ ବାୟୋ ମରିନ ଫ୍ୟୁଲ୍ସ ଭଳି ଇକୋ ଫ୍ରେଣ୍ଡଲି ଫ୍ୟୁଲକୁ ବି ଷ୍ଟୋର କରି ରଖିପାରିବ।

ଖୁବଶୀଘ୍ର ହୋଇପାରି ଡିଲ୍

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୁପ ଇଭୋସ ଟର୍ମିନାଲ୍ସ କମ୍ପାନୀକୁ କିଣିବାକୁ ଚଳିତ ସପ୍ତାହରେ ୩ ବିଲିଅନ ୟୁରୋ ଅଫର କରିଛି। ଏହି ପ୍ରାସ୍ତାବ ଅକ୍ସନ ମାଧ୍ୟମରେ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ତଥ୍ୟ ନେଇ ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। ଆସନ୍ତା ସପ୍ତାହରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

୨୦ଟି କମ୍ପାନୀ ଉପରେ ଆଦାନୀ ଗ୍ରୁର ଲକ୍ଷ୍ୟ

ଆଦାନୀ ମ୍ୟାନେଜମେଣ୍ଟର ଅନୁସାରେ ଗ୍ରୁପର ନଜର ଏବେ ୨୦ଟି ସମ୍ପତ୍ତି ଉପରେ ରହିଛି। ଏଥିରେ ପୋର୍ଟ୍ସ, ଓ ଟର୍ମିନାଲ୍ସ ବି ସାମିଲ ଅଛନ୍ତି। ବିଶ୍ୱ ସ୍ତରରେ ବ୍ୟବସାୟ ବିସ୍ତାର କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଉଛି ବୋଲି ବୁଧବାର ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସମୟରେ ଆଦାନୀ ପୋର୍ଟ୍ସ ଦେଶର ୧୫ଟି ପୋର୍ଟକୁ ପରିଚାଳନା କରୁଛି। ଏହା ବାଦ କମ୍ପାନୀ ଇସ୍ରାଏଲ୍, ତାଞ୍ଜାନିଆ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆରେ ବି ପୋର୍ଟ ପରିଚାଳନା କରୁଛି। କମ୍ପାନୀର ସୂଚନା ଅନୁସାରେ ଏହାର ଘରୋଇ କାର୍ଗୋ ହ୍ୟାଣ୍ଡେଲ କରିବାର କ୍ଷମତା ୬୫୩ ମିଲିଅନ ମ୍ୟାଟ୍ରିକ ଟନ ରହିଛି।