ନୂଆଦିଲ୍ଲୀ,୦୬/୦୮: ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦରଦାମ ବୃଦ୍ଧି ଚିନ୍ତା ବଢାଇଛି । ଏହାମଧ୍ୟରେ ଖାଉଟିଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ରୟଟର୍ସ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ୪୨ ଅରବ ଡଲାର ବା ୪ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ଯୋଜନା କରୁଛନ୍ତି । ଏହି ଅର୍ଥ ଫୁଏଲ୍ ଷ୍ଟୋରେଜ୍ ସ୍କିମ୍ ଯୋଜନାରେ ବ୍ୟବହାର ହେବ । ଏହାକୁ ରନ୍ଧନ ଗ୍ୟାସ୍ ଏବଂ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରୁଥିବା ଖାଉଟିଙ୍କଠୁ ଆଦାୟ କରାଯିବ । ତେବେ ସରକାରୀ ଭାବେ ଏନେଇ କିଛି କୁହାଯାଇ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ, ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ୍ ବ୍ୟବହାରକାରୀଙ୍କ ଉପରେ ଏକ ଛୋଟ ଟିକସ ଲାଗିବ । ଏହିପରି ୪୨ ଅରବ ଡଲାର ବା ୪ ଲକ୍ଷ କୋଟି ଟଙ୍କା ଆଦାୟ ହେବ । ଏହି ପ୍ରସ୍ତାବ ଏବେ ବିଚାରାଧିନ ରହିଛି । ଏହି ଖବର ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଇରାନ-ଆମେରିକାର ଯୁଦ୍ଧ ବୈଶ୍ୱିକ ଇନ୍ଧନ ଯୋଗାଣ ଉପରେ ପଡୁଛି ।

ଯଦି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳେ ତାହାଲେ ପ୍ରଥମ ଥର ପାଇଁ ଭାରତ ଅଶୋଦ୍ଧିତ ତୈଳ ଭଣ୍ଡାରରେ ଏଲପିଜି ଏବଂ ଏଲଏନଜିକୁ ସାମିଲ କରିବ । ଅର୍ଥାତ କେନ୍ଦ୍ର ସରକାର ଅଶୋଦ୍ଧିତ ତୈଳ ବ୍ୟତୀତ ଏଲପିଜି, ଏଲଏନଜି ଏବଂ ଖାଦ୍ୟ ତିଆରିରେ ବ୍ୟବହୃତ ଗ୍ୟାସର ଷ୍ଟୋରେଜ୍ ନିର୍ମାଣ କରିବେ । ଏଥିପାଇଁ ସାଧାରଣ ଖାଉଟିଙ୍କଠୁ ଶୁଳ୍କ ଆଦାୟ ହୋଇପାରେ । ଖବର ଅନୁସାରେ, ପେଟ୍ରୋଲିୟମ ମନ୍ତ୍ରାଳୟ ଏଲପିଜି ଉପରେ କେଜି ପିଛା ୧.୨୯ ଟଙ୍କା ଟିକସ୍ ଲଗାଇପାରେ । ଫଳରେ ଘରୋଇ ସିଲିଣ୍ଡର ଦାମରେ ୧୮ ଟଙ୍କା ବୃଦ୍ଧି ପାଇବ । ଏହାଦ୍ୱାରା ବାର୍ଷିକ ସରକାର ୪୬୦ ମିଲିୟନ ଡଲାର ଅସୁଲ କରିବେ । ସେହିପରି ପ୍ରାକୃତିକ ଗ୍ୟାସ୍ ପାଇଁ ଘନ ମିଟର ପିଛା ୧.୪୩ ଟଙ୍କା ଆଦାୟ କରାଯିବ । ଫଳରେ ବାର୍ଷିକ ୧ ଅରବ ଡଲାର ଆୟ ହେବ । ଉଭୟକୁ ମିସାଇଲେ ସରକାର ବାର୍ଷିକ ୧.୫ ବିଲିୟନ ଡଲାର ଆଦାୟ କରିପାରିବେ ।

Also Read :- ଆତଙ୍କୀ କାର୍ଯ୍ୟକଳାପ ପାଇଁ ନୂଆ କେନ୍ଦ୍ର ବାଂଲାଦେଶ, ସତର୍କ ରହୁ ଭାରତ

ପ୍ରସ୍ତାବିତ ଷ୍ଟୋରେଜ୍ ବା ଭଣ୍ଡାର କାର୍ଯ୍ୟକ୍ରମରେ ଆଗାଦୀ ୧୦ ବର୍ଷରେ ୪୨ ଅରବ ଡଲାର ଖର୍ଚ୍ଚ ହେବା ନେଇ ଆକଳନ କରାଯାଉଛି । ଏଥିରୁ ଅଧା ଅର୍ଥ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରାଯିବ । ବଳକା ଅର୍ଥକୁ ଷ୍ଟୋରେଜରେ ଇନ୍ଧନକୁ ଷ୍ଟକ୍ ପାଇଁ ବ୍ୟବହାର କରାଯିବ ।

ସୂତ୍ରାନୁସାରେ, ସରକାର ଅନୁମାନ କରୁଛନ୍ତି ଯେ ଆଗାମୀ ଦଶ ବର୍ଷରେ ୨୮ ମିଲିୟନ ମାଟ୍ରିକ୍ ଟନ୍ ଅଶୋଦ୍ଧିତ ତୈଳ, ୯ ମିଲିୟନ ଟନ୍ ଏଲଏନଜି ଏବଂ ୪ ମିଲିୟନ ଟନ୍ ଏଲପିଜି ଭଣ୍ଡାରର ଆବଶ୍ୟକତା ପଡିବ । ଏହି ପ୍ରସ୍ତାବ ଏବେବି ବିଭିନ୍ନ ମନ୍ତ୍ରାଳୟରେ ବିଚାରାଧିନ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରି ନାହାଁନ୍ତି । ଯଦି ଏଥିରେ ମୋହର ବାଜେ ତାହାଲେ ଘରୋଇ ଗ୍ୟାସ୍ ବିଲ୍ ୨ ପ୍ରତିଶତ ବୃଦ୍ଧି ପାଇବ ।