ନୂଆଦିଲ୍ଲୀ ୦୬/୦୮: ବାଂଲାଦେଶ ଏବେ ଆଉ ଏକ ପାକିସ୍ତାନ ପାଲଟିଛି । ଏହା ଭାରତ ପାଇଁ ବଡ ବିପଦ । ଦେଶରୁ ନିର୍ବାସନର ୨ ବର୍ଷ ପରେ ପ୍ରଥମ ଥର ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ତାଙ୍କ ସହ ପୁଅ ସଜୀବ ୱାଜେଦ ଜୟ ବି ଆଣିଛନ୍ତି ଭୟଙ୍କର ଆରୋପ । ବାଂଲାଦେଶ ଏବେ ଭାରତର ପୂର୍ବ ସୀମାରେ ଆଉ ଏକ ପାକିସ୍ତାନ ହେବାକୁ ଯାଉଛି । ଯାହା ନୂଆଦିଲ୍ଲୀ ପାଇଁ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି ସଜୀବ । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଥମେ ଶେଖ ହସିନାଙ୍କ ଭର୍ଚୁଆଲ ଭାଷଣ ଥିଲା । ଏହା ପରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ ଜୟ ।

ଗତ ୨ ବର୍ଷ ହେଲା ବାଂଲାଦେଶରେ ଭୁଶୁଡି ଯାଇଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଅରାଜକତା ବଢି ଚାଲିଛି । ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଉଛି । ସଂଖ୍ୟାଲଘୁ ନିର୍ଯାତିତ । ଆୱାମି ଲିଗ୍ କର୍ମୀମାନଙ୍କ ଉପରେ ହିଂସା ,ଅତ୍ୟାଚାର ଓ ହତ୍ୟା ବଢି ବଢି ଚାଲିଛି । ଅତି କମ୍‌ରେ ୧୦ ହଜାର ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଇଛି । ପ୍ରଶାସନ କିଛି ଠୋସ୍ ପଦକ୍ଷେପ ନେବା ଦୂର କଥା ବରଂ ଜାଣିଶୁଣି ଅଣଦେଖା କରୁଛି । ପାକିସ୍ତାନର ଆଇଏସ୍ଆଇ ସମେତ ବିଦେଶୀ ଗୁଇନ୍ଦା ସଂସ୍ଥା ଅଧିକ ଆକ୍ଟିଭ ହେଲେଣି । କେବଳ ସେତିକି ନୁହେଁ ଉଗ୍ରବାଦୀ ସଂଗଠନଙ୍କର ମଧ୍ୟ ଆସ୍ଥାନ ଜମାଇଲେଣି । । ଏଭଳି ପରିସ୍ଥିତି ଜାରି ରହିଲେ ବିଶ୍ବରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବାଂଲାଦେଶ ଏକ ନୂଆ କେନ୍ଦ୍ର ହୋଇପାରେ ।

ଜୟ କହିଛନ୍ତି ପ୍ରଧାନମନ୍ତ୍ରୀ ଥିବା ସମୟରେ ହସିନା ଭାରତ ବିରୋଧୀ କାର୍ଯ୍ୟକଳାପ ଓ ଆତଙ୍କବାଦୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିଲେ । ସେହିପରି ଏବେ କ୍ଷମତାରେ ଥିବା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ହସିନା । ତାଙ୍କ ଶାସନ କାଳରେ ଅର୍ଥନୀତି ଦୁର୍ବଳ ହୋଇପଡିଛି । ଭାରତ ସରକାର ତାଙ୍କୁ ସମ୍ମାନର ସହ ଆଶ୍ରୟ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ୨୦୨୪ର ଘଟଣାକୁ ସେ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହ ବାଂଲାଦେଶକୁ ଫେରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।। ମୁଁ ମୋ ଦେଶକୁ ଫେରିବି ଜନତା ଶାନ୍ତି ଓ ସମୃଦ୍ଧି ପାଇବାକୁ ହକ୍‌ଦାର । ବାଂଲାଦେଶ ପୁର୍ନଗଠନରେ ସାହାଯ୍ୟ କରିବି । ମୋତେ ମାରନ୍ତୁ କି ଜେଲ୍‌ରେ ପୁରାନ୍ତୁ, ମୁଁ ଦେଶକୁ ଫେରିବି ବୋଲି କହିଛନ୍ତି ଶେଖ ହସିନା ।

ହସିନା ଓ ଜୟଙ୍କ ଚେତାବନୀ ଏମିତି ସମୟରେ ଆସିଛି ଅଗଷ୍ଟ ୨୦୨୪ରେ ଢାକାରେ ସରକାର ପରିବର୍ତ୍ତନ ପରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ରାଜନୀତିକ ଓ ରାଜନୈତିକ ସଂପର୍କ ପୁଣି ଗାଢ ହେବାକୁ ଯାଉଛି ।

Also Read:ବାଂଲାଦେଶରେ ହିଂସା : କ୍ରିକେଟର୍ ଶାକିବ୍ ହାସନଙ୍କ ଘର ଉପରେ ଆକ୍ରମଣ