ନୂଆଦିଲ୍ଲୀ ୨୧।୦୮; ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏହାରି ଭିତରେ ଗୋବିନ୍ଦାଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡିଓ ଓ କଥା ପୁଣି ଭାଇରାଲ ହେଉଛି । ପୁରୁଣା ଏକ ଇଣ୍ଟରଭ୍ୟୁରେ ଗୋବିନ୍ଦା କହିଥିଲେ ଯେ, ତାଙ୍କ କୁଣ୍ଡଳୀରେ ଦ୍ୱିତୀୟ ବିବାହର ଯୋଗ ରହିଛି ।

ଏପରିକି ଭବିଷ୍ୟତରେ ଯଦି ଏଭଳି ପରିସ୍ଥିତି ଆସେ, ତେବେ ସୁନୀତାଙ୍କୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଥିବା ଦାବି କରାଯାଉଛି। ଗୋବିନ୍ଦା ଏବଂ ସୁନୀତା ୧୯୮୭ ମସିହାରେ ବିବାହ କରିଥିଲେ। ତେବେ ଏବେ ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି। ସୁନୀତା ଗୋବିନ୍ଦାଙ୍କ ଉପରେ ପରକୀୟା ସମ୍ପର୍କ ନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଏହାକୁ ନେଇ ଗୋବିନ୍ଦାଙ୍କ ନାଁ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଯୋଡ଼ାଯାଇଛି। ତେବେ ଏସବୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୋବିନ୍ଦାଙ୍କ ପୁରୁଣା ‘ଦ୍ୱିତୀୟ ବିବାହ’ ବୟାନ ପୁଣି ଚର୍ଚ୍ଚାର କେନ୍ଦ୍ରରେ।

ଅନ୍ୟପଟେ, ଡିଭୋର୍ସ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶୀ ସିହ୍ନା ସୁନୀତା ଆହୁଜା ଦାଖଲ କରିଥିବା ଡିଭୋର୍ସ ପିଟିସନ୍ ପରେ ପ୍ରତ୍ୟାହାର କରିଥିବା କଥା କହିଛନ୍ତି । ଫଳରେ ଏହି ଦମ୍ପତିଙ୍କ ସମ୍ପର୍କକୁ ନେଇ ରହସ୍ୟ ଆହୁରି ବଢ଼ିଛି । ତେବେ ବର୍ତ୍ତମାନ ଗୋବିନ୍ଦା ଓ ସୁନୀତାଙ୍କ ସମ୍ପର୍କର ପ୍ରକୃତ ସ୍ଥିତି କଣ, ଏବଂ ପୁରୁଣା କୁଣ୍ଡଳୀ ବୟାନର ଏବେ କେତେ ପ୍ରାସଙ୍ଗିକତା ରହିଛି-ସେନେଇ ବଲିଉଡ୍ ମହଲରେ ଚର୍ଚ୍ଚା ଜାରି ରହିଛି।