ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଜାରି ଯୁଦ୍ଧ ଯୋଗୁ ଭାରତରେ ଉପୁଜିଛି ଶକ୍ତି ସଙ୍କଟ । ସବୁଠୁ ଅଧିକ ଏଲପିଜି ସମସ୍ୟା ସୃଷ୍ଟି ହୋଇଥିବା ବେଳେ, ପେଟ୍ରୋଲ- ଡିଜେଲ ଦର ମଧ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୩ରୁ କମର୍ସିଆଲ ଏଲପିଜି ଯୋଗାଣକୁ ବଢ଼ାଇ, ପ୍ରି- କ୍ରାଇସିସ ସ୍ତର ୫୦ ପ୍ରତିଶତ କରାଯାଇଛି । ଏହା ବିଶେଷ କରି ଫୁଡ ସର୍ଭିସ ସେକ୍ଟର ଏବଂ କମ୍ୟୁନିଟି କିଚେନଙ୍କ ସୁବିଧା ଦୃଷ୍ଟିରୁ କରାଯାଇଛି। ଯାହାଦ୍ବାରା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିପାରିବ ଏବଂ ଅତ୍ୟାବଶ୍ୟକ ସେବା ପ୍ରଭାବିତ ନହେବ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅତିରିକ୍ତ ୨୦ ପ୍ରତିଶତ ଏଲପିଜି ପ୍ରାଥମିକତା ଭିତ୍ତିରେ ଯୋଗାଇ ଦିଆଯିବ। ବିଶେଷ କରି ଏହାର ସର୍ବାଧିକ ଆବଶ୍ୟକତା ଥିବା ସ୍ଥାନ ଯେପରିକି ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଦୁଗ୍ଧ ୟୁନିଟ୍, ସରକାରୀ ସବସିଡିଯୁକ୍ତ କ୍ୟାଣ୍ଟିନ, କମ୍ୟୁନିଟି କିଚେନଙ୍କ ସୁବିଧା ପାଇଁ କରାଯାଇଛି। ଏହା ସହ ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କିଲୋଗ୍ରାମ ସିଲିଣ୍ଡର ମଧ୍ୟ ଯୋଗାଇଦିଆଯିବ।

ବାଣିଜ୍ୟିକ ଗ୍ୟାସ ଆବଣ୍ଟନ ବୃଦ୍ଧି

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଗ୍ୟାସ ଆବଣ୍ଟନ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି। ରାଜ୍ୟଗୁଡ଼ିକ ଏବେ ବାଣିଜ୍ୟିକ ଏଲପିଜିର ଅତିରିକ୍ତ ୨୦ ପ୍ରତିଶତ ଆବଣ୍ଟନ ପାଇବେ। ଯାହା ଦ୍ୱାରା ମୋଟ ଯୋଗାଣ ୫୦ ପ୍ରତିଶତକୁ ବୃଦ୍ଧି ପାଇବ। ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଶିଳ୍ପଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏଲପିଜି ପାଇବା ପାଇଁ ପଞ୍ଜୀକରଣ ଆବଶ୍ୟକ ହେବ ଏବଂ ପିଏନଜି ପାଇଁ ଆବେଦନ ଆବଶ୍ୟକ ହେବ।

ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଣ-ଘରୋଇ ଏଲପିଜି ଯୋଗାଣ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଅବଶିଷ୍ଟ ରାଜ୍ୟଗୁଡ଼ିକରେ, ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଯୋଗାଇ ଦେଉଛନ୍ତି। ଗତ ସପ୍ତାହରେ ପ୍ରାୟ ୧୩ ହଜାର ୪୭୯ ମେଟ୍ରିକ୍ ଟନ୍ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି ଏବଂ ମୋଟ ବାଣିଜ୍ୟିକ ଏଲପିଜିର ପ୍ରାୟ ୫୦ ପ୍ରତିଶତ ଏହି କ୍ଷେତ୍ରଗୁଡ଼ିକୁ ଯୋଗାଣ କରାଯାଉଛି।

ଏଲପିଜିର ଗଚ୍ଛିତ ଏବଂ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ

ଏଲପିଜିର ଗଚ୍ଛିତ ଏବଂ କଳାବଜାରୀ ରୋକିବା ପାଇଁ ଦେଶବ୍ୟାପୀ ନିରନ୍ତର ଚଢାଉ କରାଯାଉଛି। ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ୩,୫୦୦ରୁ ଅଧିକ ଚଢାଉ କରାଯାଇଛି ଏବଂ ପ୍ରାୟ ୧,୪୦୦୦ ସିଲିଣ୍ଡର ଜବତ କରାଯାଇଛି। ସୁଗମ ଯୋଗାଣ ସୁନିଶ୍ଚିତ କରିବା ଏବଂ ବାଧା ରୋକିବା ପାଇଁ ତୈଳ କମ୍ପାନୀର ଅଧିକାରୀମାନେ ୨୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ଏଲପିଜି ଏଜେନ୍ସିରେ ଅଚାନକ ଯାଞ୍ଚ ମଧ୍ୟ କରିଛନ୍ତି। ସରକାର କହିଛନ୍ତି ଯେ ଯୁଦ୍ଧ ଭଳି ପରିସ୍ଥିତି ସତ୍ତ୍ୱେ, ଘରୋଇ ଏଲପିଜି ଏବଂ ପିଏନଜିକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି, ଯେପରିକି ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ଆଦି।