Gold Silver Rate Today: ଶୁକ୍ରବାର ସୁନା ଦରରେ ପୁଣି ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୨,୨୯୦ ଟଙ୍କା ବୃଦ୍ଧି ପାଇ ଭରି ୧.୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ୧୦ ଗ୍ରାମ ମୂଲ୍ୟ ୧.୪୮ ଲକ୍ଷ ଟଙ୍କା ଥିଲା। ରୁପା କେଜି ମୂଲ୍ୟରେ ଶୁକ୍ରବାର ୪,୦୩୧ ଟଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଗୋଟିଏ କିଲୋ ରୁପାର ଦାମ ୨.୪୦ ହଜାର ଟଙ୍କା ହୋଇଛି। ଗୋଲ୍ଡ ରିଟର୍ଣ୍ଣର ତଥ୍ୟ ଅନୁସାରେ, ଭୁବନେଶ୍ୱରରୁ ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୩୭ ହଜାର ୮୫୦ ଟଙ୍କାକୁ ବୃଦ୍ଧି ପାଇଛି। 

Also Read- Air India to cut Flights: ସହି ହେଲାନି ଇନ୍ଧନ ଖର୍ଚ୍ଚ, ଦୈନିକ ୧୦୦ ବିମାନ ଉଡ଼ାଣ ହ୍ରାସ କରିବ ଏୟାର ଇଣ୍ଡିଆ

ଅଲ୍ ଟାଇମ ହାଇରୁ ୨୬ ହଜାର ଶସ୍ତା ହେଲାଣି ସୁନା

ବର୍ଷ ଆରମ୍ଭରେ ସୁନା ମୂଲ୍ୟ ଅଧିକ ଥିଲା କିନ୍ତୁ ଲାଭ-ବୁକିଂ ଏବଂ ଇରାନ ଯୁଦ୍ଧ ଯୋଗୁ ଗତ କିଛି ସପ୍ତାହରେ ଏହା ହ୍ରାସ ପାଇଛି। ଗତବର୍ଷ ଶେଷ ତାରିଖ ଅର୍ଥାତ୍ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ସୁନା ଦର ₹୧.୩୩ ଲକ୍ଷ ଟଙ୍କା ଥିଲା। ହେଲେ ୨୯ ଜାନୁଆରୀ ୨୦୨୬ରେ ଏହା ₹୧.୭୬ ଲକ୍ଷ ଟଙ୍କାର ସର୍ବକାଳୀନ ସର୍ବାଧିକ ଦର ବୃଦ୍ଧି ହୋଇଥିଲା। ଆଉ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚ ସ୍ତରରୁ ₹୨୬,୦୦୦ ହ୍ରାସ ପାଇ ୧୦ ଗ୍ରାମ ମୂଲ୍ୟ ₹୧.୫୦ ଲକ୍ଷ ଟଙ୍କାକୁ ଖସି ଆସିଛି।

ରୁପା ଦରରେ ଲକ୍ଷାଧିକ ହ୍ରାସ
ସୁନା ତୁଳନାରେ ରୁପା ମୂଲ୍ୟରେ ଅଧିକ ଅପ ଡାଉନ ଦେଖିବାକୁ ମିଳିଛି। ରୁପା ଅଲ୍ ଟାଇମରୁ ହାଇରୁ ଦ୍ରୁତ ଗତିରେ ତଳକୁ ଆସିଛି। ଗତବର୍ଷ ୩୧ ଡିସେମ୍ବରରେ ରୁପା ଦର କେଜି ପ୍ରତି ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ରୁପା କେଜି ୩.୮୬ ହଜାର ହୋଇଗଲା। ଆଉ ବର୍ତ୍ତମାନ ଏହା ୨.୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗତ ୮୯ ଦିନରେ ରୁପା ମୂଲ୍ୟ ୧.୪୬ ଲକ୍ଷ ଟଙ୍କା ହ୍ରାସ ପାଇଛି।

ଭଣ୍ଡାରକୁ ଆସିଲା ୧୦୪ ଟନ ସୁନା

ବଦଳୁଥିବା ଭୂରାଜନୈତିକ ପରିସ୍ଥିତିରେ ସମସ୍ତେ ସୁନା ଗଚ୍ଛିତ କରି ରଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ ଭାରତ ବି ପଛରେ ପଡ଼ି ନାହିଁ। ଆରବିଆଇ ଏକ ବଡ଼ ପଦକ୍ଷେପ ନେଇ ୧୦୪.୨୩ ମେଟ୍ରିକ ଟନ ଦେଶର ସୁନା ଭଣ୍ଡାରକୁ ସ୍ଥାନାନ୍ତର କରିଛି। ୨୦୨୬ ମାର୍ଚ୍ଚରେ ଶେଷ ହୋଇଥିବା ୬ ମାସରେ ଆର୍ବିଆଇ ଏହାର ବୈଦେଶିକ ଭଣ୍ଡାରରୁ ଘରୋଇ ବଜାରକୁ ୧୦୪.୨୩ ମେଟ୍ରିକ୍ ଟନ୍ ସୁନା ସ୍ଥାନାନ୍ତର କରିଛି। ବ୍ୟାଙ୍କର ଅର୍ଦ୍ଧବାର୍ଷିକ ବୈଦେଶିକ ମୁଦ୍ରା ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଏହାର ଅର୍ଥ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର କୋଷାଗାରରୁ ୧୦୪.୨୩ ମେଟ୍ରିକ୍ ଟନ୍ ସୁନା ଭାରତକୁ (ଦେଶ ଭିତରେ) ଫେରାଇ ଆଣିଛି। ସାଧାରଣତଃ, ବିଶ୍ୱର ଦେଶଗୁଡ଼ିକ ସୁରକ୍ଷା କିମ୍ବା ବାଣିଜ୍ୟ ଉଦ୍ଦେଶ୍ୟରେ ସେମାନଙ୍କର କିଛି ସୁନା ବିଦେଶରେ (ଯେପରିକି 'ବ୍ୟାଙ୍କ ଅଫ୍ ଇଂଲଣ୍ଡ'ର ସୁରକ୍ଷିତ ଭଣ୍ଡାରରେ) ରଖନ୍ତି। ଆବଶ୍ୟକ ସ୍ଥଳେ ସେଗୁଡ଼ିକୁ ଦେଶ ଭିତରକୁ ଅଣାଯାଏ। ଆଉ ବର୍ତ୍ତମାନର ପରିସ୍ଥିତିରେ ଗୁରୁତ୍ୱକୁ ଦେଖି ଭାରତ ସୁନା ନିଜ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ୨୦୨୬ ମାର୍ଚ୍ଚ ଶେଷରେ ଆରବିଆଇର ମୋଟ ସୁନା ଭଣ୍ଡାର ସାମାନ୍ୟ ବୃଦ୍ଧି ପାଇ ୮୮୦.୫୨ ମେଟ୍ରିକ୍ ଟନ୍ ହୋଇଛି, ଯାହା ସେପ୍ଟେମ୍ବର ୨୦୨୫ ଶେଷରେ ୮୮୦.୧୮ ମେଟ୍ରିକ୍ ଟନ୍ ଥିଲା।