ନୂଆଦିଲ୍ଲୀ ୧୮।୧୧; ବିଶ୍ୱବ୍ୟାପୀ ଆପଲ୍ ୟୁଜର୍ସଙ୍କୁ ବଡ଼ ଝଟକା। ହଠାତ୍ ଠପ୍ ହୋଇଗଲା ଆପଲ୍‌ର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅନଲାଇନ୍ ସେବା। iCloud, App Store, Apple Pay ଏବଂ Apple Support ଭଳି ସେବା ବ୍ୟବହାର କରିବାରେ ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏପରିକି ଅନେକ ଲୋକ ନିଜ ଆପଲ୍ ଆକାଉଣ୍ଟରେ ଲଗ୍ ଇନ୍ ମଧ୍ୟ କରିପାରିନଥିଲେ।

ମଙ୍ଗଳବାର ଆମେରିକା ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ପରଠାରୁ ଆପଲ୍‌ର ବିଭିନ୍ନ ସେବାରେ ସମସ୍ୟା ଦେଖାଦେଇଥିଲା। ଡାଉନଡିଟେକ୍ଟରରେ ଅଭିଯୋଗ ସଂଖ୍ୟା ହଠାତ୍ ବଢ଼ିଯାଇଥିଲା। କେବଳ iCloud କିମ୍ବା App Store ନୁହେଁ, Apple Wallet, Apple Music ଏବଂ Apple Pay ବ୍ୟବହାରକାରୀ ମଧ୍ୟ ସମସ୍ୟା ଭୋଗିଥିଲେ। କେହି ସାଇନ୍ ଇନ୍ କରିପାରିନଥିବା ବେଳେ ଆଉ କେହି କ୍ଲାଉଡ୍ ସେବା ଓ ନୂଆ ଡିଭାଇସ୍ ଆକ୍ଟିଭେଟ୍ କରିବାରେ ବିଫଳ ହୋଇଥିଲେ।

ଏହି ସମସ୍ୟା କେବଳ ଆମେରିକାରେ ସୀମିତ ରହିନଥିଲା। ବ୍ରାଜିଲ୍, ଗ୍ରୀସ୍ ଓ ଲାଟଭିଆ ଭଳି ଦେଶରୁ ମଧ୍ୟ ଅଭିଯୋଗ ଆସିଥିଲା। ତେବେ ଆପଲ୍‌ର ଏତେଗୁଡ଼ିଏ ସେବା ଏକାସାଙ୍ଗରେ କାହିଁକି ଅଚଳ ହୋଇପଡ଼ିଲା।  ଏହାର କାରଣ ନେଇ ପ୍ରାରମ୍ଭରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିଲା। ପରେ ଆପଲ୍ ଏହାର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲା।

ଆପଲ୍‌ର କହିବା ଅନୁଯାୟୀ, ଏକ ଆଭ୍ୟନ୍ତରୀଣ ସିଷ୍ଟମ୍ ଅପଡେଟ୍ ଯୋଗୁଁ କିଛି ସେବାରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଏହା କୌଣସି ସାଇବର ଆକ୍ରମଣ ନୁହେଁ ବୋଲି କମ୍ପାନୀ ସ୍ପଷ୍ଟ କରିଥିଲା। ଧୀରେ ଧୀରେ ପ୍ରଭାବିତ ସେବାଗୁଡ଼ିକୁ ପୁନଃ ସ୍ୱାଭାବିକ କରାଯାଉଥିବା ମଧ୍ୟ କୁହାଯାଇଥିଲା। ଅନ୍ୟପଟେ କିଛି ଗୁଗୁଲ୍ ୟୁଜର୍ସ ମଧ୍ୟ ସେବା ଆକ୍ସେସ୍ କରିବାରେ ସମସ୍ୟା ନେଇ ଅଭିଯୋଗ କରିଥିଲେ। ତେବେ ଏହାର ଆପଲ୍ ସେବା ବିଭ୍ରାଟ ସହ କୌଣସି ସମ୍ପର୍କ ଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନଥିଲା।