ରାଉରକେଲା ୧୯।୮: ଜୀବନ ଯୁଦ୍ଧରେ ହାରିଗଲେ ପ୍ରେମିକା । ପ୍ରେମ ସମ୍ପର୍କକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣାରେ ଯୁବତୀଙ୍କ ଜୀବନ ଚାଲିଯାଇଛି । ପ୍ରେମିକଙ୍କ ଘର ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ୫ ଦିନ ମୃତ୍ୟୁ ସହ ସଂଗ୍ରାମ କଲେ । ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ନ୍ୟାୟ ଦାବି କରିଥିବା ବେଳେ, ଘଟଣା ପରଠାରୁ ପ୍ରେମିକ ଭିକି ଦାସ ଫେରାର ଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ଥିଲା କିଛି ଏମିତି

ଗତ ୧୪ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଘରୁ ସ୍କୁଟର ଧରି ପହଞ୍ଚିଥିଲେ ଝିରିପାଣି ଥାନା ଭାଟା ବସ୍ତିରେ ରହୁଥିବା ପ୍ରେମିକ ଭିକି ଦାସଙ୍କ ଘରେ । ଆଉ ପ୍ରେମିକ ସମ୍ମୁଖରେ ନିଜ ଦେହରେ କିରୋସିନି ଢ଼ାଳି ହୋଇ ଲଗାଇ ଦେଇଥିଲେ ନିଆଁ । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ଧରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଆଉ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ସଙ୍କଟାପନ୍ନ ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ଣ୍ଣ ସେଣ୍ଟରରେ ଯୁବତୀଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ପ୍ରଭାସିନୀଙ୍କ ଚିକିତ୍ସା ଚାଲିଥିବା ବେଳେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ବୁଧବାର ସକାଳ ପ୍ରାୟ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଛି । ଯୁବତୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର ।

ସେପଟେ ଏପର୍ଯ୍ୟନ୍ତ ପ୍ରେମିକ ଜଣଙ୍କ ଫେରାର ଅଛନ୍ତି । ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ଯୁବତୀଙ୍କ ପରିବାର ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଆଇନଗତ ପଦକ୍ଷେପ ନେବା ସହ ଝିଅକୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି । ତେବେ ଯୁବତୀ ଜଣଙ୍କ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ଏହା ପଛରେ ପ୍ରେମ ସମ୍ପର୍କକୁ ନେଇ କୌଣସି ବିବାଦ କିମ୍ବା ଅନ୍ୟ କାରଣ ଥିଲା କି ? ଏସବୁ ତଥ୍ୟକୁ ନେଇ ପୋଲିସ ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ।

Watch Video: