ନୂଆଦିଲ୍ଲୀ,୬ /୧୧ :- ସିନେମାରେ ଅଭିନେତ୍ରୀ ଗେରୁଆ ରଙ୍ଗର ପୋଷାକ ପିନ୍ଧିବା କଣ ଭୁଲ ? ସିନେମା ମନୋରଞ୍ଜନର ଏକ ବଡ଼ ମାଧ୍ୟମ ହୋଇଥିବା ବେଳେ ଏବେ ପୋଷାକକୁ  ନେଇ ଆରମ୍ଭ ହୋଇଛି ଚର୍ଚ୍ଚା l ବଲିଉଡ୍ର କିଙ୍ଗ୍ ଖାନ୍ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’କୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ଫିଲ୍ମର ଏକ ଗୀତ ‘ତୁ ମିଲ୍ ଯାଏ’ରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଗେରୁଆ ରଙ୍ଗର ପୋଷାକକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ। ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବାକୁ ସେ ଦାବି କରିବା ସହ ଦୃଶ୍ୟରେ ପରିବର୍ତ୍ତନ ନହେଲେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏପରିକି ଫିଲ୍ମକୁ ବୟକଟ୍ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଏହାକୁ ନେଇ ହିନ୍ଦୀ ସିନେମାରେ ଗେରୁଆ ରଙ୍ଗର ବ୍ୟବହାରକୁ ନେଇ ପୁଣିଥରେ ବିତର୍କ ଆରମ୍ଭ ହୋଇଛି।

 

‘ଦୈନିକ ସମାଚାର’କୁ ସାକ୍ଷାତକାର ଦେଇ ନେଗୀ ପ୍ରଥମେ ତିନି ବର୍ଷ ତଳର ଫିଲ୍ମ ‘ପଠାନ୍’ ବିବାଦ କଥା ଉଠାଇଥିଲେ। ସେତେବେଳେ ଫିଲ୍ମର ଗୀତ ‘ବେଶରମ ରଙ୍ଗ’ରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧିଥିବାକୁ ନେଇ ବିବାଦ ହୋଇଥିଲା। ଏବେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ସେ କହିଛନ୍ତି। ଶାହରୁଖ ଖାନ୍ଙ୍କୁ ଚେତାବନୀ ଦେଇ ନେଗୀ କହିଛନ୍ତି, ଯଦି ଫିଲ୍ମର ଏହି ଦୃଶ୍ୟରେ ପରିବର୍ତ୍ତନ କରାନଯାଏ, ତେବେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯିବ। ସନାତନ ଧର୍ମ ବିରୋଧରେ କୌଣସି କଥାକୁ ସନାତନୀମାନେ ସହ୍ୟ କରିବେ ନାହିଁ ବୋଲି ସେ ନିଜ ବୟାନରେ କହିଛନ୍ତି।

କେବଳ ଏତିକି ନୁହେଁ, ଗେରୁଆ ପୋଷାକର ବ୍ୟବହାରକୁ ସେ ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଏକ ଯୋଜନାବଦ୍ଧ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସେ ଦୀପାବଳିରେ ବାଣ ଫୁଟାଇବା ଏବଂ ଇଦ୍ରେ ପଶୁବଳି ଦେବାକୁ ନେଇ ହେଉଥିବା ଆଲୋଚନାର ତୁଳନା ମଧ୍ୟ କରିଛନ୍ତି।

ଏହାସହ ଅଭିନେତ୍ରୀ ଦିୟା ମିର୍ଜା ଏବଂ ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମ୍ସି)ର ପ୍ରଦୂଷଣମୁକ୍ତ ଦୀପାବଳି ଅଭିଯାନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ନେଗୀ। ଦୀପାବଳିରେ ବାଣ ନଫୁଟାଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ଇଦ୍ରେ ପଶୁବଳି ପ୍ରସଙ୍ଗରେ କାହିଁକି ସମାନ ଭାବେ ମତ ରଖାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ନେଗୀ ଆହୁରି ଅଭିଯୋଗ କରିଛନ୍ତି ଯେ, ସନାତନ ଧର୍ମକୁ ଦୁର୍ବଳ କରିବା ଏବଂ ଏହାର ଛବିକୁ ଖରାପ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏଥିରେ ଦୀପିକା ପାଦୁକୋନ୍ ଯେଉଁ ଭୂମିକା ନିଭାଇଛନ୍ତି, ସେଥିପାଇଁ ତାଙ୍କୁ ଲଜ୍ଜିତ ହେବା ଉଚିତ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ଭାରତର ଲୋକଙ୍କ ଅର୍ଥ ଓ ସମର୍ଥନ ଯୋଗୁଁ ହିଁ ଏହି ସେଲିବ୍ରିଟିମାନେ ପରିଚୟ ଓ ଲୋକପ୍ରିୟତା ହାସଲ କରୁଛନ୍ତି। ତେଣୁ ଏଭଳି ଦୃଶ୍ୟକୁ ସନାତନ ଧର୍ମର ଅପମାନ ବୋଲି ଦର୍ଶାଇ ଏହାର ବିରୋଧ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

also read- ପୁଣି ଏକାଠି ନଜର ଆସିଲେ ବିଜୟ ଓ ତ୍ରିଶା, ୮୦ ହଜାର ଟଙ୍କାର ଗୋଲାପୀ ଶାଢ଼ିରେ ଚର୍ଚ୍ଚାରେ ଅଭିନେତ୍ରୀ

ତେବେ ‘କିଙ୍ଗ୍’ ଫିଲ୍ମର ଗୀତରେ ଦୀପିକାଙ୍କ ଗେରୁଆ ପୋଷାକକୁ ନେଇ ଉଠିଥିବା ଏହି ଆପତ୍ତି ପରେ ଫିଲ୍ମକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ଦୃଶ୍ୟରେ ନିର୍ମାତାମାନେ କୌଣସି ପରିବର୍ତ୍ତନ କରିବେ କି ନାହିଁ, ତାହା ଉପରେ ଏବେ ନଜର ରହିଛି।