ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପ୍ରଭାବ ଏବେ ଆପ୍ ଆଧାରିତ ଡେଲିଭରୀ ଓ କ୍ୟାବ୍ ସେବା ଉପରେ ପଡିଛି। ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ଗିଗ୍ ଏବଂ ପ୍ଲାଟଫର୍ମ ସର୍ଭିସ ୱ୍ୱର୍କର ୟନିୟନ (ଜିଆଇପିଏସଡବ୍ଲୁୟୁ) ସାରା ଦେଶରେ ବିଶାଳ ପ୍ରଦର୍ଶନ ଘୋଷଣା କରିଛି। ୟୁନିୟନ ଅନୁସାରେ ୧୬ ମେ ଶନିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗିଗ୍ ୱାର୍କର୍ସ ଆପ୍ ବନ୍ଦ କରି ବିରୋଧ ପ୍ରଦର୍ଶନ କରିବେ। ୟୁନିୟନର କହିବା କଥା ହେଉଛି ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ଯୋଗୁ ସବୁଠୁ ଅଧିକ ପ୍ରଭାବ ଡେଲିଭରୀ ବୟ ଓ କ୍ୟାବ୍ ଡ୍ରାଇଭରଙ୍କ ଉପରେ ପଡିଛି।

ସ୍ୱିଗୀ, ଜମାଟୋ, ବ୍ଲିଙ୍କିଟ୍, ଜେପ୍ଟୋ, ଓଲା, ଉବେର ଓ ରାପିଡୋ ଭଳି କମ୍ପାନୀଙ୍କ ଲାଗି କାମ କରୁଥିବା ଲକ୍ଷଲକ୍ଷ ୱାର୍କର ସେମାନଙ୍କ ଗୁଜୁରାଣ ପାଇଁ ବାଇକ୍ ଓ ସ୍କୁଟର ଉପରେ ନିର୍ଭର କରନ୍ତି। ଏଣୁ ଇନ୍ଧନ ମୂଲ୍ୟବୃଦ୍ଧି ସେମାନଙ୍କ ସଞ୍ଚୟ କ୍ଷମତା ହ୍ରାସ କରିଛି। ଏଣୁ ୟୁନିୟନ କମ୍ପାନୀଙ୍କ ନିକଟରେ ଗିଗ୍ ୱାର୍କର୍ସଙ୍କ ଲାଗି ପ୍ରତି କିଲୋମିଟର ସର୍ଭିସ ଦର ୨୦ ଟଙ୍କା କରିବାକୁ ଦାବି କରିଛି। ସେମାନଙ୍କ କହିବା କଥା ହେଉଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବାମାତ୍ରେ ସେମାନଙ୍କ ଖର୍ଚ୍ଚ ବଢି ଯାଇଛି, ହେଲେ କମ୍ପାନୀ ଡେଲିଭରୀ ଚାର୍ଜ ଅଥବା ପ୍ରତି କିଲୋମିଟର ଦର ବଢାଉ ନାହାନ୍ତି।

ଜିଆଇପିଏସଡବ୍ଲୁୟୁ ସଭାପତି ସୀମା ସିଂହ କହିଛନ୍ତି ଯେ ଭୀଷଣ ଗ୍ରୀଷ୍ମରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଥିବା ଡେଲିଭରୀ ୱାର୍କସ ପ୍ରଥମରୁ ଚାପରେ ଅଛନ୍ତି, ଏଥିରେ ଏବେ ଇନ୍ଧନ ମହଙ୍ଗା ହେବା ସେମାନଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ସିଂହ ଚେତାବନୀ ଦେଇଛନ୍ତି ଯେ ଯଦି କମ୍ପାନୀମାନେ ପେମେଣ୍ଟ ବଢାଇବାର ନିଷ୍ପତ୍ତି ନନିଅନ୍ତି ତେବେ ଆନ୍ଦୋଳନକୁ ଗୁରୁତର କରାଯିବ। ୟୁନିୟନର ନ୍ୟାସନାଲ କୋ-ଅର୍ଡିନେଟର ନିର୍ମଳ ଗୋରାନାଙ୍କ ଅନୁସାରେ ଦେଶରେ ପାଖାପାଖି ୧କୋଟି ୨୦ଲକ୍ଷ ଗିଗ୍ ୱାର୍କର ଓ ପ୍ଲାଟଫର୍ମ ୱାର୍କର କାମ କରୁଛନ୍ତି।

ଏମାନଙ୍କ ମଧ୍ୟରେ ଫୁଡ, ଗ୍ରୋସରୀ ଡେଲିଭରୀ, ଲଜିଷ୍ଟିକ୍ସ ଓ କ୍ୟାବ୍ ସେବାରେ ଏମାନେ କାମ କରିଆସୁଛନ୍ତି। ଏଥିରେ ଇନ୍ଧନ ମୂଲ୍ୟ ବୃଦ୍ଧିର ସିଧା ପ୍ରଭାବ ଏପରି ୱାର୍କରଙ୍କ ଆୟ ଉପରେ ପଡୁଛି। କାରଣ ପେଟ୍ରୋଲ, ଗାଡି ସର୍ଭିସ ଓ ଅନ୍ୟ ଖର୍ଚ୍ଚ ସେମାନଙ୍କ ପକେଟରୁ ଖର୍ଚ୍ଚ କରୁଛନ୍ତି। ୟୁନିୟନ ସରକାରଙ୍କ ନିକଟରେ ଦାବି କରିଛି ଯେ ଏପ ଆଧାରିତ କମ୍ପାନୀଙ୍କୁ ପେମେଣ୍ଟ ବଢାଇବା ଲାଗି ଗାଇଡଲାଇନ ଜାରି କରନ୍ତୁ। ଏହା ଦ୍ୱାରା ଇନ୍ଧନ ମହଙ୍ଗା ହେବାର ସବୁ ବୋଝ ଯେପରି ୱାର୍କରଙ୍କ ଉପରେ ନ ପଡେ। ୟୁନିୟନ କହିଛି ଯେ ଶନିବାର ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ହେବ।

Also Read..ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ବୃଦ୍ଧି