ନୂଆଦିଲ୍ଲୀ: ସ୍ୱାମୀଙ୍କର ୬ କୋଟି ଟଙ୍କାର ଟ୍ରାଭେଲ ଏଜେନ୍ସି ବିଜନେଶ। ରାଜମହଲ ପରି ଘର। ଆଉ ସ୍ୱାମୀ କରିଥିବା ୨ କୋଟି ଟଙ୍କାର ଲାଇଫ୍ ଇନ୍ସୁରାନ୍ସ ପଲିସିର ନମିନୀ ବି ଥିଲେ ନିଜେ। ଏତେସବୁ ସୁଖ ସ୍ୱଛନ୍ଧ ମଧ୍ୟରେ ତଥାପି ଘାରିଲା ସମ୍ପତ୍ତି ଲୋଭ। ସମ୍ପତ୍ତି ନିଜ ହାତକୁ ନେବା ପାଇଁ ପତ୍ନୀ ଏତେ ତଳକୁ ଖସିଗଲେ ଯେ ସ୍ୱାମୀ, ନାବାଳକ ପୁଅ ଓ ପୁତୁରାକୁ ହତ୍ୟା କରିବାକୁ ବି ପଛାଇଲେ ନାହିଁ।

କାଳେ କିଏ ସନ୍ଦେହ କରିବ, ସେଥିପାଇଁ ସମସ୍ତଙ୍କୁ ପ୍ରତିଦିନ ଦେଉଥିଲେ ସ୍ଲୋ ପୋଏଜନ। ହେଲେ ଧରା ପକାଇ ଦେଲା ମେଡିକାଲ ରିପୋର୍ଟ ଓ କୁନି ଝିଅ। ଅଭିଯୋଗରେ ଇନ୍ଦ୍ରପୁରମ ପୁଲିସ ନଭେମ୍ବର ୨୩ ତାରିଖରେ ଧନୀ ଘରର ମହିଳା ରେଣୁ ଭଟନାଗରଙ୍କୁ ଗିରଫ କରିଛି। ଘଟଣାରେ ପୁଲିସ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍)ର ଉପଯୁକ୍ତ ଧାରା ରୁଜୁ କରି ତଦନ୍ତ ଜାରି ରଖିଛି।

ପୁଲିସର ସୂଚନା ଅନୁସାରେ ଗାଜିଆବାଦ ବସୁନ୍ଧରା ଅଞ୍ଚଳର ଟ୍ରାଭେଲ ଏଜେନ୍ସି ବ୍ୟବସାୟୀ ସୁଶୀଲ କୁମାର ଭଟନାଗର ତାଙ୍କ ୧୬ ବର୍ଷର ପୁଅ ବଂଶ ଓ ୨୧ ବର୍ଷର ପୁତୁରା ଦେବ ଭଟନାଗର ବାରମ୍ବାର ଅସୁସ୍ଥ ରହୁଥିଲେ। କିଛି କାରଣ ନଥିଲେ ବି ଅସୁସ୍ଥତା ତାଙ୍କୁ ଚିନ୍ତାରେ ପକାଉଥିଲା। ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନଥିଲା। ଏପରିକି ସେ ଏକାଧିକ ଥର ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।

Also Read- ୨୬/୧୧କୁ ବିତିଛି ୧୮ ବର୍ଷ, ଆଜି ବି ପାରିଶ୍ରମିକ ଅପେକ୍ଷାରେ ଅଛନ୍ତି କସାବର ଓକିଲମାନେ

ଶେଷରେ ଡାକ୍ତରୀ ପରୀକ୍ଷା କରିବାରୁ ତାଙ୍କ ଶରୀରରେ ଦୀର୍ଘ ସମୟ ଧରି ସୀସା ଜନିତ ବିଷକ୍ରିୟା ହେଉଥିବା ଜଣାପଡ଼ିଥିଲା। କେବଳ ତାଙ୍କର ନୁହେଁ, ପୁଅ ଓ ପୁତୁରା ଠାରେ ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ମିଳିଥିଲା। ଘଟଣା ପରେ ପରିବାର ୩ ଜଣ ରେଣୁକା ଭଟନାଗରଙ୍କୁ ସନ୍ଦେହ କରିଥିଲେ ବୋଲି ଡିସିପି ଟ୍ରାନ୍ସ ହିଣ୍ଡନ ରିଜୁଲ କହିଛନ୍ତି।

ଗୁମର ଖୋଲିଲା ୧୨ ବର୍ଷର ଝିଅ

ତେବେ ଏହି ଘଟଣାର ଗୁମର ସେବେ ଖୋଲିଲା ଯେବେ ରେଣୁଙ୍କର ୧୨ ବର୍ଷର ଝିଅ ବାପା ଆଗରେ ସବୁ ସତ କଥା କହିଦେଲା। ଝିଅ କହିଲା, ମାଆ ପ୍ରଥମେ ଆମ ଦୁଇଜଣଙ୍କ ପାଇଁ ଖାଇବା ଅଲଗା କରୁଥିଲା। ଏହାପରେ ବାକି ଖାଇବାରେ କଣ ଗୋଟେ ସ୍ପ୍ରେ କରୁଥିଲା। ଏବଂ ସେହି ଖାଦ୍ୟକୁ ପରିବାରର ଅନ୍ୟ ସଦସ୍ୟଙ୍କୁ ଦେଉଥିଲା। ଏନେଇ ଡିସିପି କହିଛନ୍ତି ଯେ ସେହି ସମୟରେ ଭଟନାଗରଙ୍କ ପାଖରେ କୌଣସି ପ୍ରମାଣ ନଥିଲା। କିନ୍ତୁ ସେ ପୁଲିସକୁ ତାଙ୍କ ଝିଅ କହିଥିବା କଥା ଜଣାଇଥିଲେ। ଏହାପରେ ପୁଲିସ ନାବାଳକ ଝିଅ ଡାକ୍ତରଙ୍କର ବୟାନ ରେକର୍ଡ କରିଥିଲା।

ସବୁକୁ ତଦନ୍ତ କରିବା ପରେ ରେଣୁ ୨୦୨୪ରୁ ୨୦୨୫ ପର୍ଯ୍ୟନ୍ତ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଉଥିବାର ପ୍ରମାଣ ପାଇଥିଲା ପୁଲିସ। ଆଉ ଏସବୁ ପଛରେ ଥିଲା ୬ କୋଟି ଟଙ୍କାର ସମ୍ପତ୍ତି ଲୋଭ, ଆଉ ୨ କୋଟି ଟଙ୍କାର ଜୀବନ ବୀମା ପଲିସି। ସ୍ୱାମୀ ଓ ପୁତୁରା ବିଜନେଶ ଦେଖାଶୁଣା କରୁଥିବାରୁ ରେଣୁ ଏହି ଦୁଇଜଣଙ୍କୁ ଟାର୍ଗେଟ୍ କରିଥିଲେ। ନାବାଳକ ପୁଅ ବାପାଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ବି ବିଷ ଦେଇଥିଲେ ମାଆ ରେଣୁ। ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି କି ନା ପୁଲିସ ଏହାର ତଦନ୍ତ ଜାରି ରଖିଛି।