ନ୍ୟୁୟର୍କ: ବାଂଲାଦେଶ ଫେରିବା ପରେ ଯଦି ଶେଖ ହାସିନାଙ୍କର ମଥାର କେଶକୁ ବି କ୍ଷତି ପହଞ୍ଚିଲା ତେବେ ଏଥିପାଇଁ ତାରିକ ରେହମାନ ଏକାକୀ ଦାୟୀ ରହିବେ। ତେଣୁ ସାବଧାନ ! ବାଂଲାଦେଶର ବିଏନପି ସରକାରକୁ ଏଭଳି ଚେତାବନୀ ଦେଇଛନ୍ତି ପେଣ୍ଟାଗନର ପୂର୍ବତନ ମୁଖ୍ୟ ମାଇକେଲ ରବିନ। ସେଖ ହାସିନା ଡିସେମ୍ବର ୧୬ ତାରିଖରେ ବାଂଲାଦେଶ ଫେରିବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ସେ ବାଂଲାଦେଶ ସରକାରଙ୍କୁ ଫ୍ଲାଇଟ ପଠାଇବାକୁ ଅନୁରୋଧ କରିଛନ୍ତି। ଏହାରି ଭିତରେ ରବିନଙ୍କର ଏହି ଚେତାବନୀ ଆସିଛି।

ଆମେରିକାର ନ୍ୟୁୟର୍କରେ ବାଂଲାଦେଶ ଫ୍ୟୁଚର ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ହାସିନା ମୁଖ୍ୟ ଅତିଥି ଭାବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପେଣ୍ଟାଗନର ପୂର୍ବତନ ମୁଖ୍ୟ ମାଇକେଲ ରବିନ ମଧ୍ୟ ଯୋଗ ଦେଇ ତାରିକ ରେହମାନଙ୍କୁ ଚେତାବନୀ ଦେଇଛନ୍ତି। ତା' ସହିତ ଭାରତକୁ ହାସିନାଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହେବାକୁ ପରାମର୍ଶ ଦେଇଛନ୍ତି।

ଏନେଇ ରବିନ କହିଛନ୍ତି “ବର୍ତ୍ତମାନ ପ୍ରଧାନମନ୍ତ୍ରୀ(ତାରିକ ରେହମାନ) ଓ ଅନ୍ୟମାନଙ୍କୁ ଆଗୁଆ କହି ଦେବାର ସମୟ ଆସିଛି, ଯେ ଯଦି ଶେଖ ହାସିନାଙ୍କ ମଥାର କେଶକୁ ବି ସାମାନ୍ୟ କ୍ଷତି ପହଞ୍ଚେ, ତେବେ ସେ(ତାରିକ ରେହମାନ) ଏକା ଏଥିପାଇଁ ଦାୟି ରହିବେ।” ରବିନ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ପେଣ୍ଟାଗନର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଏଭଳି ଚେତାବନୀ ଢାକା ପର୍ଯ୍ୟନ୍ତ ପହଞ୍ଚୁ ବୋଲି ରୁବିନ ବାଂଲାଦେଶର ଥିବା ଆମେରିକା ରାଷ୍ଟ୍ରଦୂତ ଓ ଦୂତାବାସଗୁଡ଼ିକୁ ଅନୁରୋଧ କରିଛନ୍ତି।

Also Read- କଫି ପିଇ କଲେଜକୁ ଉଡ଼ାଇବାକୁ ପ୍ଲାନ୍ କରୁଥିଲେ ଛାତ୍ର, ଘରୁ ଉଠାଇନେଲା ପୋଲିସ !

୨୦୨୪ରେ ବାଂଲାଦେଶ ଛାତ୍ର ଆନ୍ଦୋଳନ ତେଜିବା ପରେ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡ଼ିଥିଲା। ବାଂଲାଦେଶ ସେନା ଆଣି ହାସିନାଙ୍କୁ ଭାରତରେ ଛାଡ଼ି ଦେଇଥିଲା। ସେବେଠାରୁ ହାସିନା ଭାରତରେ ରହୁଛନ୍ତି। ଡିସେମ୍ବର ୧୬ ତାରିଖ ବାଂଲାଦେଶ ବିଜୟ ଦିବସ ହୋଇଥିବାରୁ ଏହି ଦିନରେ ସେ ସ୍ୱଦେଶ ଫେରିବାକୁ ଘୋଷଣା କରିଛନ୍ତି। 

ସେପଟେ ବାଂଲାଦେଶ ସରକାର କିନ୍ତୁ ତାଙ୍କ ଜିଦରେ ଅଟଳ। ଶେଖ ହାସିନା ଜଣେ ଅପରାଧୀ। ତାଙ୍କୁ ଭାରତ ଅପରାଧୀ ଭାବେ ପ୍ରତ୍ୟର୍ପଣ କରୁ। ଏଠାରେ ପହଞ୍ଚିବା ପରେ ତାଙ୍କୁ ଫାସୀ ଦିଆଯିବ ବୋଲି ବାଂଲାଦେଶ ସରକାର କହୁଛନ୍ତି। ଛାତ୍ର ଆନ୍ଦୋଳନ ବେଳେ ପାଖାପାଖି ୧୦୦୦ ଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ବାଂଲାଦେଶ ସୁପ୍ରିମକୋର୍ଟ ହାସିନାଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷ ନ ଶୁଣି ତାଙ୍କୁ ଫାସୀ ଦଣ୍ଡ ଶୁଣାଇଥିଲେ। ତେଣୁ ସେ ଭାରତରେ ପହଞ୍ଚିଲେ ତାଙ୍କୁ ଗିରଫ କରାଯିବ ବୋଲି ବାଂଲାଦେଶ ସରକାର କହିଛନ୍ତି।

ସେପଟେ ହାସିନାଙ୍କ ଦଳ ଆୱାମୀ ଲିଗକୁ ନିର୍ବାଚନ ଲଢ଼ିବାରେ ବ୍ୟାନ କରାଯାଇଥିବାରୁ ତାକୁ ନେଇ ଦଳୀୟ କର୍ମୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗତ କିଛି ଦିନ ହେବ ବାଂଲାଦେଶରେ ଜଳାପୋଡ଼ା ଭାଙ୍ଗାରୁଜା ଜାରି ରହିଛି। ତେଣୁ ଏଭଳି ଟଣାଓଟରା ଭିତରେ ଡିସେମ୍ବର ୧୬ ତାରିଖରେ ହାସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ସନ୍ଦେହ ପ୍ରକାଶ ପାଇଛି।