ନୂଆଦିଲ୍ଲୀ: ଆନ୍ଥ୍ରୋପିକ୍ କମ୍ପାନୀର ସିଇଓ ଡାରିଓ ଅମୋଡେଇ ଏଆଇକୁ ନେଇ ବଡ଼ ଚେତାବନୀ ଦେଇଛନ୍ତି । ମଣିଷ ନିଜର ନିୟନ୍ତ୍ରଣ ଏଆଇ ହାତକୁ ଟେକିଦେବା ଅନୁଚିତ ବୋଲି ସେ କହିଛନ୍ତି । ଏକ୍ସରେ ପୋଷ୍ଟ କରି ସେ ସ୍ପଷ୍ଟ କରିଛନ୍ତି ଯେ, ଏଆଇ ସର୍ବଦା ବୈଧ ଗଣତାନ୍ତ୍ରିକ ପ୍ରକ୍ରିୟା ଅଧୀନରେ ରହିବା ଆବଶ୍ୟକ । ଶାସନ ବ୍ୟବସ୍ଥାକୁ ମେସିନ୍ ହାତରେ ଟେକି ଦେବା ଏକ ଅତ୍ୟନ୍ତ ଖରାପ ଚିନ୍ତାଧାରା । ଶକ୍ତିଶାଳୀ ହେଉଥିବା ଏଆଇ ସିଷ୍ଟମଗୁଡ଼ିକୁ କେତେ କ୍ଷମତା ଦିଆଯିବା ଉଚିତ, ସେ ନେଇ ପ୍ରମୁଖ ଏଆଇ କମ୍ପାନୀଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ମଧ୍ୟରେ ତାଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। 

ଏଆଇର କ୍ଷମତା ବୃଦ୍ଧି ପାଉଥିବା ବେଳେ ମଣିଷର କାର୍ଯ୍ୟଦକ୍ଷତା ବଜାୟ ରଖିବା ନେଇ ଓପନ୍-ଏଆଇ ସିଇଓ ସାମ ଅଲ୍ଟମ୍ୟାନ୍ ଏବଂ ମେଟାର ମୁଖ୍ୟ ଏଆଇ ଅଧିକାରୀ ଆଲେକଜାଣ୍ଡର ୱାଙ୍ଗ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଆନ୍ଥ୍ରୋପିକ୍ କମ୍ପାନୀ ଭିତରେ କିଛି ନିଷ୍ପତ୍ତି ନେବାର କ୍ଷମତା ଭବିଷ୍ୟତରେ ଏଆଇ ସିଷ୍ଟମକୁ ହସ୍ତାନ୍ତର କରାଯାଇପାରିବ କି ନାହିଁ, ସେ ନେଇ 'ଆକ୍ସିଓସ୍' ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟର ଜବାବରେ ଅମୋଡେଇ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ, ଦୁଇଟି ଭିନ୍ନ ଭିନ୍ନ ବିଷୟକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି ।

ଗୋଟିଏ ହେଉଛି ଏଆଇକୁ ଅଧିକ ଜଟିଳ କାର୍ଯ୍ୟ କରିବାକୁ ଅନୁମତି ଦେବା ଏବଂ ଅନ୍ୟଟି ହେଉଛି ସମାଜକୁ ଶାସନ କରିବାକୁ ଦେବା। ଆନ୍ଥ୍ରୋପିକ୍ ମୁଖ୍ୟ କହିଛନ୍ତି ଯେ, ଡ୍ରାଇଭିଂ, ଔଷଧ ଆବିଷ୍କାର ଏବଂ ସଫ୍ଟୱେୟାର ଡେଭଲପମେଣ୍ଟ ଭଳି କ୍ଷେତ୍ରରେ ଅଟୋମେସନ୍ ବା ସ୍ୱୟଂଚାଳିତ ବ୍ୟବସ୍ଥାକୁ ସେ ସମର୍ଥନ କରନ୍ତି । ଏହି ସବୁ କ୍ଷେତ୍ରରେ ଏଆଇ ବଡ଼ ଧରଣର ଲାଭ ଦେଇପାରିବ। କିନ୍ତୁ କାର୍ଯ୍ୟଦକ୍ଷତା କିମ୍ବା ସୁରକ୍ଷା ନାଁରେ ମଣିଷର ଆତ୍ମସମୀକ୍ଷା ଅଧିକାରକୁ ବଳି ଦିଆଯିବା ଉଚିତ ନୁହେଁ ।  

ଏହି ବିତର୍କ କେବଳ ଆନ୍ଥ୍ରୋପିକ୍ ମଧ୍ୟରେ ସୀମିତ ହୋଇ ରହିନାହିଁ। ଚଳିତ ମାସ  ଓପନ୍-ଏଆଇ ସିଇଓ ସାମ ଅଲ୍ଟମ୍ୟାନ୍ କହିଥିଲେ ଯେ, ଭବିଷ୍ୟତ ଉପରେ ଲୋକମାନଙ୍କର ନିଜସ୍ୱ ନିୟନ୍ତ୍ରଣ ରହିବା ନିହାତି ଜରୁରୀ। ସେହିପରି ମେଟା କମ୍ପାନୀର ମୁଖ୍ୟ ଏଆଇ ଅଧିକାରୀ ଆଲେକଜାଣ୍ଡର ୱାଙ୍ଗ ମଧ୍ୟ ସମାଜର ଦାୟିତ୍ୱ ଏଆଇ ହାତରେ ଟେକି ଦେବା ବିରୋଧରେ ସତର୍କ କରାଇ ଦେଇଛନ୍ତି। ମଣିଷର କୌଣସି ସହାୟତା ବିନା ନିଜକୁ ନିଜେ ଉନ୍ନତ କରିପାରୁଥିବା ଏଆଇ ସିଷ୍ଟମ ଉପରେ ମାନବ ନିୟନ୍ତ୍ରଣ ବଜାୟ ରଖିବା କେତେ କଷ୍ଟକର, ସେ ବିଷୟରେ ୱାଙ୍ଗ କହିଛନ୍ତି। ବୈଷୟିକ ଭାଷାରେ ଏହି ପ୍ରକ୍ରିୟାକୁ 'ରିକର୍ସିଭ୍ ସେଲ୍ଫ-ଇମ୍ପ୍ରୁଭମେଣ୍ଟ' କୁହାଯାଏ । ଏଥିରେ ଏଆଇ ସିଷ୍ଟମ ନିଜର ଅଧିକ ଶକ୍ତିଶାଳୀ ସଂସ୍କରଣ ତିଆରି କରିପାରେ । ଧୀରେ ଧୀରେ ମଣିଷର ଆବଶ୍ୟକତାକୁ କମାଇ ଦେଇଥାଏ।

 ଆନ୍ଥ୍ରୋପିକ୍ ନିଜର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ଏଆଇ ମଡେଲ୍ 'କ୍ଲଡ୍' ଉପରେ ବହୁଳ ଭାବେ ନିର୍ଭର କରୁଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ମେ ୨୦୨୬ ସୁଦ୍ଧା ଏହାର କୋଡବେସ୍‌ରେ ସାମିଲ ହୋଇଥିବା ୮୦ ପ୍ରତିଶତରୁ ଅଧିକ କୋଡ୍ 'କ୍ଲଡ୍' ଦ୍ୱାରା ହିଁ ଲେଖାଯାଇଛି। ଏଆଇ ସୁରକ୍ଷା ଗବେଷଣା ସଂସ୍ଥା 'METR' ଦ୍ୱାରା ନଭେମ୍ବର ୫ ତାରିଖରେ ପ୍ରକାଶିତ ଏକ ସ୍ୱତନ୍ତ୍ର ଆକଳନ ଅନୁଯାୟୀ, ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକରେ ଆନ୍ଥ୍ରୋପିକ୍ ମଡେଲର ଦକ୍ଷତା ପୂର୍ବ ଅପେକ୍ଷା ପ୍ରାୟ ୧.୯ ଗୁଣ ଅଧିକ ବେଗରେ ବୃଦ୍ଧି ପାଉଛି। କ୍ଲଡ୍‌ର ପ୍ରତ୍ୟେକ ପିଢ଼ି ପରବର୍ତ୍ତୀ ପିଢ଼ିର ବିକାଶକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରୁଛି। ତେ​‌ବେ ଏଆଇ ଆଗକୁ କଣ କରିପାରିବ ତାହା ବଡ଼ ପ୍ରଶ୍ନ ନୁହେଁ, ବରଂ ଏଆଇ ଉପରେ ମଣିଷର ନିୟନ୍ତ୍ରଣ ନରହିଲେ ସ୍ଥିତି କଣ ହେବ ତାହା ହିଁ ମୁଖ୍ୟ ପ୍ରସଙ୍ଗ ।