• ମୁମ୍ବାଇରେ ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୋଟ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା
  • ଭାରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସହରର ପ୍ରମୁଖ ସ୍ଥାନମାନଙ୍କରେ ୬୦ ଘଣ୍ଟାରୁ ଊର୍ଦ୍ଧ୍ୱକାଳ ଧରି ଆତଙ୍କ ଜାରି ରଖିଥିଲେ
  • ଅମୀନ ସୋଲକର ଓ ଫରହାନା ଶାହ ୯ ମାସ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କସାବର ମୋକଦ୍ଦମା ଲଢିଥିଲେ

ମୁମ୍ବାଇ: ୨୬/୧୧ ଆତଙ୍କବାଦୀ ଆକ୍ରମଣର ୧୮ ବର୍ଷ ପରେ ବି ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ସପକ୍ଷରେ କୋର୍ଟରେ ଲଢିଥିବା ୨ ଓକିଲ ଏବେବି ସେମାନଙ୍କ ବକେୟା ପାରିଶ୍ରମିକ ପାଇଁ ଅପେକ୍ଷା କରି ରହିଛନ୍ତି। ଓକିଲମାନଙ୍କ କହିବା କଥା ହେଉଛି ଏହି ମାମଲା ଲାଗି ସେମାନଙ୍କୁ ଅନ୍ୟ ମୋକଦ୍ଦମା ଛାଡିବାକୁ ପଡିଥିଲା। ଅମୀନ ସୋଲକର ଓ ଫରହାନା ଶାହ ୨୦୧୦ ମସିହାରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହେବା ପରେ ୯ ମାସ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କସାବର ମୋକଦ୍ଦମା ଲଢିଥିଲେ। ଉଭୟ ଓକିଲଙ୍କୁ ହାଇକୋର୍ଟ ନାମିତ କରିଥିଲେ ଓ ୮ ଜୁନ ୨୦୧୦ରେ ମହାରାଷ୍ଟ୍ର ରାଜ୍ୟ ଆଇନସେବା ପ୍ରାଧିକରଣ ଏକ ଅଧିସୂଚନା ଜାରି କରି ସେମାନଙ୍କୁ ନିଯୁକ୍ତି ଦେଇଥିଲେ।

ସେମାନଙ୍କୁ ଲୋଅର କୋର୍ଟ ଦ୍ୱାରା କସାବକୁ ଦିଆଯାଇଥିବା ମୃତ୍ୟୁଦଣ୍ଡାଦେଶ ବିରୋଧରେ ଡିଫେନ୍ସ ଓକିଲ ଭାବେ ପ୍ରତିନିଧିତ୍ୱ କରିବାର ଥିଲା। ତତ୍କାଳୀନ ସଚିବ ଏ.କେ.ସୋନାୱଣେଙ୍କ ସ୍ୱାକ୍ଷରିତ ଅଧିସୂଚନା ଅନୁସାରେ ସୋଲକରଙ୍କୁ ସ୍ୱତନ୍ତ୍ର ଓକିଲ ଭାବେ ସରକାରୀ ଓକିଲଙ୍କ ପରି ସମାନ ଫି ଦିଆଯିବା କଥା। ସେହିପରି ଆଡଭୋକେଟ ଶାହଙ୍କୁ ମୃତ୍ୟୁଦଣ୍ଡ ନିଶ୍ଚିତକରଣ ସମ୍ପର୍କୀୟ ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସରକାରୀ ଓକିଲଙ୍କ ସମାନ ପାରିଶ୍ରମିକ ମିଳିବା କଥା। ଅଧିକାରୀକ ସୂତ୍ର ଅନୁସାରେ ଏହି ରାଶି ଦୈନିକ ୧୫ଶହରୁ ୨୦୦୦ ଟଙ୍କା ମଧ୍ୟରେ ଥିଲା। ତେବେ ହାଇକୋର୍ଟରେ ମାମଲା ସମାପ୍ତ ହେବାର ୧୫ ବର୍ଷ ପରେ ମଧ୍ୟ ଉଭୟ ଓକିଲ ବକେୟା ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି।

ଗଣମାଧ୍ୟମ ଅନୁସାରେ ଆଡଭୋକେଟ ସୋଲକର କହିଛନ୍ତି ଯେ ‘କୋର୍ଟରେ କସାବର କେସ୍ ଲଢିବା ପାଇଁ ଆମକୁ ଏ ପର୍ଯ୍ୟନ୍ତ ଆମର ପ୍ରାପ୍ୟ ମିଳି ନାହିଁ। ଏ ବାବଦେ ଆମେ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କୁ ବାରମ୍ବାର ଚିଠି ଲେଖୁଛୁ, ହେଲେ ଏ ସମ୍ପର୍କରେ କୌଣସି ସକରାତ୍ମକ ଅଗ୍ରତି ହୋଇଥିବା ପରି ମନେ ହୁଏ ନାହିଁ’। ଦୁଇ ଓକିଲଙ୍କ ଅନୁସାରେ ସେମାନେ ଯେବେବି ଆଇନସେବା ପ୍ରାଧିକରଣଙ୍କ ଆଗରେ ଏହି ମାମଲା ଉଠାଉଛନ୍ତି ସେତେବେଳେ ସେମାନଙ୍କୁ ବିସ୍ତୃତ ବିଲ୍ ଓ ଜ୍ଞାପନ ଜମା କରିବାକୁ କୁହାଯାଉଛି। ଯେଉଁଥିରେ ସେମାନଙ୍କୁ ଜଣାଇବାର ଅଛି ଅଭିଯୁକ୍ତ ପକ୍ଷରୁ କୋର୍ଟରେ କେତୋଟି ତାରିଖରେ ଓ କେତେ ଘଣ୍ଟା ଉପସ୍ଥିତ ଥିଲେ । ତେବେ ମାମଲାର ଏତେ ବର୍ଷ ପରେ ଏପରି ଦାବିକୁ ଓକିଲମାନେ ଅନୁଚିତ ବୋଲି କହିଛନ୍ତି।

ଓକିଲମାନେ କହିଛନ୍ତି ଯେ ଦୀର୍ଘ ଦଶନ୍ଧୀ ବିତିଯିବାପରେ କୌଣସି କୋର୍ଟରେ ସେମାନେ କଟେଇଥିବା ଦୈନିକ ଘଣ୍ଟାର ବିସ୍ତୃତ ରକେର୍ଡ ସୁରକ୍ଷିତ ରଖିବାର ଆଶା କରାଯାଇ ନ ପାରେ। ୨୬/୧୧ ଆତଙ୍କବାଦୀ ଅଜମଲ କସାବକୁ ୨୧ ନଭେମ୍ବର ୨୦୧୨ ରେ ପୁଣେର ଏରୱାଡା ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା। ଆଡଭୋକେଟ ସୋଲକର କହିଛନ୍ତି ଯେ ତାଙ୍କ ନିଯୁକ୍ତି ପତ୍ରରେ ସ୍ପଷ୍ଟ ରୂପେ ତାଙ୍କ ପାରିଶ୍ରମିକ ସରକାରୀ ପକ୍ଷ ଓକିଲଙ୍କ ବେତନମାନ ଅନୁସାରେ ସ୍ଥିର କରାଯାଇଥିଲା। ଏଣୁ ସରକାର ସେହି ବେତନମାନ ଅନୁସାରେ ଆମର ବକେୟା ପୈଠ କରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ଆଡଭୋକେଟ ଶାହ ମଧ୍ୟ ଏହି ଚିନ୍ତାକୁ ଦୋହରାଇ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ସରକାରଙ୍କ ଅଧିସୂଚନା ଓ ହାଇକୋର୍ଟଙ୍କ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଆଦେଶରେ ସେମାନଙ୍କ ପାରିଶ୍ରମିକ ଢାଞ୍ଚା ସ୍ପଷ୍ଟ ରୂପେ ନିର୍ଦ୍ଧାରିତ କରାଯାଇଥିଲା ସେତେବେଳେ କାର୍ଯ୍ୟଘଣ୍ଟା ଅନୁସାରେ ଜ୍ଞାପନ ଜମା କରିବାକୁ କାହିଁକି କୁହାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଶାହ କହିଛନ୍ତି ଯେ ଆମେ ଦୀର୍ଘ ୯ ମାସ ଧରି କୋର୍ଟରେ ଏହି ମାମଲାର ଶୁଣାଣିରେ ଆମେ ଆମର ସାରା ଦିନ ଦେଇଛୁ। ଏଥି ପାଇଁ ଆମକୁ ଆମର ଅନ୍ୟ ମୋକଦ୍ଦମାକୁ ମଧ୍ୟ ପଛକୁ ରଖିବାକୁ ପଡୁଥିଲା, ଯେପରି ମାମଲାର ଶୁଣାଣିରେ କୌଣସି ବାଧା ନ ଉପୁଜେ, ଏହା ବାଦେ ମଧ୍ୟ ଆମର ପାରିଶ୍ରମିକ ପୈଠ କରା ଯାଉ ନାହିଁ।

ସେ କହିଛନ୍ତି ଯେ ଅଧିସୂଚନାରେ ଏହି ପ୍ରାବଧାନ ଥିଲା ଯେ ମାମଲାରେ ହାଇକୋର୍ଟଙ୍କ ରାୟ ଆସିବା ମାତ୍ରେ ସେମାନଙ୍କ ପ୍ରାପ୍ୟ ପୈଠ କରି ଦିଆଯିବ। ତେବେ ରାଜ୍ୟ ଆଇନସେବା ପ୍ରାଧିକରଣର ଜନୈକ ଅଧିକାରୀ କହିଛନ୍ତି ଯେ ସାଧାରଣ ପ୍ରକ୍ରିୟାରେ ଓକିଲଙ୍କ ପ୍ରାପ୍ୟ ଜାରି କରିବା ପାଇଁ ଔପଚାରିକ ବିଲ୍ ଓ ଜ୍ଞାପନ ଜମା କରିବା ଜରୁରି। ଏହାର ବିପରୀତ କସାବର ମୋକଦ୍ଦମା କାଳରେ ଡିଫେନ୍ସ ଓକିଲ ଆବ୍ବାସ କାଜମୀ କହିଛନ୍ତି ଯେ ତାଙ୍କ ପ୍ରାପ୍ୟ ପୈଠ କରିଦିଆଯାଇଛି। କାଜମୀ ବିଶେଷ ନ୍ୟାୟାଧୀଶ ଏମ.ଏଲ.ତହଲିୟାନୀଙ୍କ କୋର୍ଟରେ କସାବର ଡିଫେନ୍ସ ଓକିଲ ଥିଲେ।

କାଜମୀ କହିଛନ୍ତି ଯେ ମୋକଦ୍ଦମା ସରିବାର ତୁରନ୍ତ ବାଦ ସରକାର ମୋର ପାରିଶ୍ରମିକ ପୈଠ କରିଦେଇଥିଲେ। ଆଇନ ଅନୁସାରେ ଯଦି କୌଣସି ଅଭିଯୁକ୍ତ ନିଜ ଓକିଲ ନିଯୁକ୍ତ କରିବାରେ ଅସମର୍ଥ ହୁଅନ୍ତି ତେବେ ନିରପେକ୍ଷ ଶୁଣାଣି ନିଶ୍ଚିତ କରିବା ପାଇଁ କୋର୍ଟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଓକିଲ ଉପଲବ୍ଧ କରାଇଥାନ୍ତି। ବମ୍ବେ ହାଇକୋର୍ଟ ଜୁନ ୨୦୧୦ରେ କସାବର ମୃତ୍ୟୁଦଣ୍ଡ ପୁଷ୍ଟି କରିଥିଲେ ଓ ତାର ଅପିଲ ଉପରେ ଶୁଣାଣି ଆରମ୍ଭ କରିଥିଲେ। ଫେବୃଆରୀ ୨୦୧୧ରେ ହାଇକୋର୍ଟ ମୃତ୍ୟୁଦଣ୍ଡ କାୟମ ରଖିଥିଲେ ଓ ପରେ ସୁପ୍ରିମକୋର୍ଟ ରାୟ ପୁଷ୍ଟି କରିଥିଲେ। ଗିରଫ ପରେ କସାବକୁ ମୁମ୍ବାଇ ଆର୍ଥରରୋଡ ଜେଲରେ ରଖାଯାଇଥିଲା। ପରେ ୨୧ ନଭେମ୍ବର ୨୦୧୨ରେ ତାକୁ ୟେରୱାଡା କେନ୍ଦ୍ରୀୟ ଜେଲରେ ଫାଶୀ ଦିଆଯାଇଥିଲା।

ମୁମ୍ବାଇରେ ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୋଟ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୬ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିଲେ। ଏହି ଆକ୍ରମଣ କାଳରେ ଭାରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସହରର ପ୍ରମୁଖ ସ୍ଥାନମାନଙ୍କରେ ୬୦ ଘଣ୍ଟାରୁ ଊର୍ଦ୍ଧ୍ୱକାଳ ଧରି ଆତଙ୍କ ଜାରି ରଖିଥିଲେ।