ପୁରୀ ୧୩।୭: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଗତକାଲି ଅଣସରର ତ୍ରୟୋଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ। ଏହାସହ ରଥଯାତ୍ରାର ସୁପରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲେ। ତେବେ ଆଜି ଅଣସର ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟ ଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ। ଘଣ୍ଟ , ଛତ୍ରୀ, କାହାଳୀ ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘର ଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏଥିସହ ଶ୍ରୀଜୀଉଙ୍କୁ ରକ୍ତବସ୍ତ୍ର ଆବରଣ କରି ସପ୍ତାବରଣ ଶେଷ ହୋଇଛି।

ସେପଟେ ଜୁଲାଇ ୧୬ ଅର୍ଥାତ୍ ଆଉ ମାତ୍ର ଦୁଇଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଲକ୍ଷାଧିକ ଭକ୍ତଙ୍କ ଗହଣରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ ମାନବୀୟ ଲୀଳା କରିବେ ମହାପ୍ରଭୁ। ଏଥିପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ରଥରେ ମହାରଣା ଓ ଭୋଇ ସେବକ ଠେକାରା ବାଡ଼ ବୁଲାଇବା କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର କନକ ମୁଣ୍ଡି ପିତ୍ତଳ ଚଦର ଆବରଣ ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି। ଦରଜୀ ସେବକଙ୍କ ଦ୍ଵାରା କନା କାର୍ଯ୍ୟ ଶେଷ ହୋଇଛି। କୋଠ ସୁଆସିଆଁ ସେବକଙ୍କ ଦ୍ଵାରା ତିନି ରଥରେ କନା ପକା କାର୍ଯ୍ୟ ଆରମ୍ଭ କରାଯାଇଛି। ସେହିପରି ଆସନ୍ତାକାଲି ନବଯୌବନ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରାକ୍ରାନ୍ତ ମହାପ୍ରଭୁ ଦୀର୍ଘ ୧୫ ଦିନ ଧରି ଅଣସରରେ ଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆସନ୍ତାକାଲି ଅଗଣିତ ଭକ୍ତଙ୍କୁ ନବଯୌବନ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ତେବେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ଦିନ ୨ ଟା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ର ସୁଯୋଗ ପାଇବେ। ଅନେକ ନୀତି କାନ୍ତି ଥିବାରୁ ସୀମିତ ସମୟ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତ ଙ୍କ ପାଇଁ ପାରିମାଣିକ ଟିକେଟ ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ମୂଲ୍ୟ ୧୫୦ ଟଙ୍କା ରଖାଯାଇଛି। ଦକ୍ଷିଣ ଦ୍ବାର ଦେଇ ପାରିମାଣିକ ଟିକେଟ ଧାରୀ ଶ୍ରୀମନ୍ଦିର କୁ ଯାଇ ଦର୍ଶନ କରିପାରିବେ। ତେବେ ଦୀର୍ଘ ୧୫ ଦିନ ପରେ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ।

Also Read:- ଆପାର୍ଟମେଣ୍ଟ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ

ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତିଙ୍କ ପାଖରେ ପହଞ୍ଚିବା ପରେ ଏହାକୁ ନେଇ ବେଶ୍ ଆନନ୍ଦିତ ହୋଇ ପଡିଛନ୍ତି ଭକ୍ତ ଓ ସେବାୟତ। ସେପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ନବଯୌବନ ଦର୍ଶନ, ନେତ୍ରୋତ୍ସବ ଥିବାବେଳେ ବୁଧବାର ରଥ ଆଜ୍ଞାମାଳ ବିଜେ ନୀତି ରହିଛି। ମହାପ୍ରଭୁଙ୍କୁ ନବଯୌବନ ରୂପରେ ଦର୍ଶନ କରିବା ପାଇଁ ସମସ୍ତ ଭକ୍ତ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।