ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳର ନିରାଶାଜନକ ପ୍ରଦର୍ଶନ ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ସମାଲୋଚନା ତେଜିବାରେ ଲାଗିଛି। ଗସ୍ତର ମୋଟ ୭ଟି ମ୍ୟାଚ୍ରୁ ଦଳ ୬ଟିରେ ପରାଜୟର ସ୍ୱାଦ ଚାଖିଛି ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଭାରତ ୪-୦ ରେ କ୍ଲିନ୍ ସୁଇପ୍ ହୋଇଛି। ଏହି ଲଜ୍ଜାଜନକ ପରାଜୟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟର ହନୁମା ବିହାରୀ କୋଚ୍ ଗମ୍ଭୀରଙ୍କ ଦଳ ଚୟନ ଏବଂ ରଣନୀତି ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏକ ଭିଡିଓ ସେୟାର କରି ବିହାରୀ କୋଚ୍ ଗମ୍ଭୀରଙ୍କ ପକ୍ଷପାତିତାକୁ ନେଇ ଖୋଲାଖୋଲି ପ୍ରଶ୍ନ ଉଠାଇଛନ୍ତି।

ହନୁମା ବିହାରୀ ସିଧାସଳଖ ଅଭିଯୋଗ କରି କହିଛନ୍ତି ଯେ, ଗୌତମ ଗମ୍ଭୀରଙ୍କର କିଛି ନିଜସ୍ୱ ପସନ୍ଦର ଖେଳାଳି ଅଛନ୍ତି, ଯାହାଙ୍କୁ ସେ ଫର୍ମରେ ନଥାଇ ମଧ୍ୟ ସବୁବେଳେ ଦଳରେ ସୁଯୋଗ ଦେବାକୁ ଚାହୁଁଛନ୍ତି। ବିହାରୀ କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଶିବମ ଦୁବେ ବୋଲିଂ କରୁନାହାନ୍ତି, ଫିଲ୍ଡିଂ ମଧ୍ୟ ଭଲ ହେଉନି ଏବଂ ବ୍ୟାଟିଂରେ ବି ତାଙ୍କର କୌଣସି ଫର୍ମ ନାହିଁ। ସେହିପରି ସୂର୍ଯ୍ୟାଂଶ ସେଡ଼ଗେ ମଧ୍ୟ ପ୍ରଭାବହୀନ ରହିଛନ୍ତି। ୱାଶିଂଟନ୍ ସୁନ୍ଦରଙ୍କୁ କେଉଁ ଆଧାରରେ ଦଳରେ ବାରମ୍ବାର ରଖାଯାଉଛି, ତାହା ମଧ୍ୟ ବୁଝାପଡ଼ୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Also Read: ଦିନିକିଆରେ ଛାଡି଼ବେନି ରୋହିତ-ବିରାଟ, ଇଂଲଣ୍ଡ ବିପକ୍ଷରେ ନେବେ ପ୍ରତିଶୋଧ...ଗମ୍ଭୀରଙ୍କୁ ଦେବେ ଜବାବ !

ଏହା ସହିତ କେବଳ ଆଇପିଏଲ୍ (IPL) ପ୍ରଦର୍ଶନକୁ ଦେଖି ଦଳ ଚୟନ କରିବା ଠିକ୍ ନୁହେଁ ବୋଲି ବିହାରୀ ଚେତାବନୀ ଦେଇଛନ୍ତି। ଆଇପିଏଲ୍ରେ ଛୋଟ ବାଉଣ୍ଡ୍ରି, ଫ୍ଲାଟ୍ ୱିକେଟ୍ ଏବଂ ଇମ୍ପାକ୍ଟ ପ୍ଲେୟାର ଭଳି ନିୟମ ଯୋଗୁଁ ବ୍ୟାଟିଂ ସହଜ ହୋଇଥାଏ, କିନ୍ତୁ ବିଦେଶୀ ମାଟିରେ ପ୍ରକୃତ ପରୀକ୍ଷା ସମୟରେ ଆଇପିଏଲ୍ର ଷ୍ଟାରମାନେ ଫେଲ୍ ମାରୁଛନ୍ତି। ବିଦେଶୀ ପିଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ମୂଲ୍ୟ କ'ଣ, ତାହା ଏହି ସିରିଜ୍ରୁ ସ୍ପଷ୍ଟ ଜଣାପଡ଼ିଛି। ଯୁବ ଖେଳାଳିମାନେ ଯେଉଁଭଳି ଭାବେ ସର୍ଟ ବଲ୍ରେ ଆଉଟ୍ ହେଲେ, ରୋହିତ କିମ୍ବା ବିରାଟ ଥିଲେ ବୋଧହୁଏ ଏଭଳି ଭୁଲ୍ କରିନଥାନ୍ତେ।

Also Read: ପୁଣି ଥରେ କୋଚ୍ ହେବେ ରାହୁଲ ଦ୍ରାବିଡ୍ ! ଟେଷ୍ଟ୍ କ୍ରିକେଟର ସମ୍ଭାଳିବେ ଦାୟିତ୍ୱ, ଖୁବ୍ ଶୀଘ୍ର ନିଯୁକ୍ତି

ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟରଙ୍କ ଟ୍ରାକ୍ ରେକର୍ଡକୁ ନେଇ ମଧ୍ୟ ବିହାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆୟର ନିଜ ଶେଷ ୧୪ଟି ଟି-୨୦ ମ୍ୟାଚ୍ ମଧ୍ୟରୁ ୧୨ଟିରେ ପରାଜୟ ସାମ୍ନା କରିଛନ୍ତି। ପ୍ରାୟ ୨.୫ ବର୍ଷ ପରେ ଦଳକୁ ଫେରି ସିଧାସଳଖ ଅଧିନାୟକ ପଦ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳରେ ବାରମ୍ବାର ପରିବର୍ତ୍ତନ କରାଯିବା ସହ ସଞ୍ଜୁ ସାମସନ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ସଠିକ୍ ସୁଯୋଗ ନଦେଇ ଦଳରୁ ବାହାର କରିବା ଦ୍ୱାରା ଖେଳାଳିଙ୍କ ମନରେ ଅସୁରକ୍ଷା ଭାବନା ସୃଷ୍ଟି ହେଉଛି, ଯାହା ଭାରତୀୟ କ୍ରିକେଟ୍ ପାଇଁ ଆଦୌ ଶୁଭଙ୍କର ନୁହେଁ।