ନୂଆଦିଲ୍ଲୀ,୧୩|୦୭: ସରିଛି ଟି୨୦ ସିରିଜ୍ । ହାରିଛି ଭାରତ । କ୍ଲିନ୍ ସ୍ୱିପ୍ ହୋଇଛି । ଲଜ୍ଜାଜନକ ରେକର୍ଡ ହାତେଇଛି ବିଶ୍ୱ ଚାମ୍ପିଅନ୍ । ଶ୍ରେୟସ ଆୟରଙ୍କ ଦୁର୍ବଳ ନେତୃତ୍ୱ ପଦାରେ ପଡିଛି । ତେବେ ଭାରତ ଇଂଲଣ୍ଡ ବିପକ୍ଷ ଦିନିକିଆରେ କମ୍ ବ୍ୟାକ୍ କରିବ ବୋଲି ଆଶା କରୁଛନ୍ତି ଫ୍ୟାନ୍ସ । କାରଣ ଦିନିକିଆ ସିରିଜରେ ଖେଳିବେ ରୋହିତ ଶର୍ମା ଏବଂ ବିରାଟ କୋହଲି । ଯାହା ଏବେ ଇଂଲଣ୍ଡ ପାଇଁ ମୁଣ୍ଡବ୍ୟଥା ପାଲଟିଛି ।

ଇଂଲଣ୍ଡର ପୂର୍ବତନ ଖେଳାଳି ଗ୍ରେମ୍ ସ୍ୱାନ୍ କହିଛନ୍ତି ଯେ, ଇଂଲଣ୍ଡ ପାଇଁ ଦିନିକିଆ ସିରିଜ୍ ଜିତିବା ସହଜ ହେବନି । କାରଣ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅଛନ୍ତି । ୩୯ ବର୍ଷୀୟ ରୋହିତ ଏବଂ ୩୭ ବର୍ଷୀୟ କୋହଲି ବୟସ ଦେଖନ୍ତିନି । ସେମାନେ ଏବେବି ଯୁବ ଖେଳାଳିଙ୍କ ଭଳି ଖେଳୁଛନ୍ତି । ରନ୍ ବର୍ଷା କରୁଛନ୍ତି । ଯେତେବେଳେ ଭାରତ ପ୍ରଥମେ ବ୍ୟାଟିଂ କରେ ସେତେବେଳେ ରୋହିତ ଦମଦାର ପାଳି ଖେଳନ୍ତି ।

ସେହିପରି ସ୍ୱାନ୍ କହିଛନ୍ତି ଯେ, ବିରାଟ କୋହଲି ହେଲେ ଚେଜ୍ ମାଷ୍ଟର୍ । ଏବେ ସେ କେବଳ ଦିନିକିଆ ଖେଳୁଛନ୍ତି । କିନ୍ତୁ ତାଙ୍କ ବ୍ୟାଟିଂ ପୂର୍ବଭଳି ରହିଛି । ଲଗାତାର ଶତକ ଲଗାଉଛନ୍ତି । ବିରାଟ ଏବଂ ରୋହିତ କ୍ରିକେଟରେ ଯେଉଁ ଛାପ ଛାଡିଛନ୍ତି ତାହା ଅନନ୍ୟ । ଭାରତୀୟ ବୋର୍ଡ ମଧ୍ୟ ସେମାନଙ୍କ ଅବସର ନିଷ୍ପତ୍ତି ରୋ-କୋଙ୍କ ଉପରେ ଛାଡିଦେବା ଉଚିତ ବୋଲି ସ୍ୱାନ୍ କହିଛନ୍ତି ।

ଦିନିକିଆ ପୂର୍ବରୁ ପ୍ରାକ୍ଟିସ୍

ରୋ-କୋ ରବିବାର ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ନେଟ୍ସରେ ଝାଳ ବୁହାଇଛନ୍ତି । ବିଭିନ୍ନ ପ୍ରକାର ସଟ୍ ଖେଳିଛନ୍ତି । ଘଣ୍ଟା ଘଣ୍ଟା ଧରି ଅଭ୍ୟାସ ପରେ ମଧ୍ୟ ଉଭୟ ଥକି ନଥିଲେ । ସେମାନଙ୍କ ପାଖରେ ଫିଟନେସ୍ ଥିବା ପ୍ରମାଣ ଦେଇଥିଲେ ।

Also Read :- ପୁଣି ଥରେ କୋଚ୍ ହେବେ ରାହୁଲ ଦ୍ରାବିଡ୍ ! ଟେଷ୍ଟ୍ କ୍ରିକେଟର ସମ୍ଭାଳିବେ ଦାୟିତ୍ୱ, ଖୁବ୍ ଶୀଘ୍ର ନିଯୁକ୍ତି

ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୧୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ । ଏହାପୂର୍ବରୁ ଉଭୟ ଦଳ ଟି୨୦ ସିରିଜରେ ମୁହାଁମୁହିଁ ହୋଇଥିଲେ । ଯାହାକୁ ଇଂଲିଶ ଟିମ୍ ୪-୦ରେ ଜିତି ନେଇଥିଲା ।