ଭୁବନେଶ୍ବର ୨୧।୩: ପ୍ରଚଣ୍ଡ ଶବ୍ଦ ଆଉ ଚାରିଆଡେ ନିଆଁ ଖାଲି ନିଆଁ । ସମଗ୍ର ଅଞ୍ଚଳ ଧୂଆଁମୟ । ଭୟଙ୍କର ଶବ୍ଦରେ ଥରି ଉଠିଲା ସ୍ଥାନୀୟ ଅଞ୍ଚଳ । ଯିଏ ଶବ୍ଦ ଶୁଣିଲା ସିଏ ଛାନିଆ ହୋଇଗଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯାହା ଲୋକଙ୍କୁ ଆତଙ୍କିତ କରିଦେଇଥିଲା । ନିଆଁ ଲିଭାଇବା ପାଇଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଏମିତି କି ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ ହେଲେ । ନିଆଁ ଲିଭିଲା ବେଳକୁ ଆଉ କିଛି ନଥିଲା । ସବୁକିଛି ଛାରଖାର ହୋଇଯାଇଥିଲା ।

ଭୁବନେଶ୍ୱର ଘାଟିକିଆ ଛକରେ ଥିବା ଏକ ଗ୍ୟାସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର । ଗୋଟିଏ କି ଦୁଇଟି ନୁହେଁ ଏକାସଙ୍ଗେ ଫାଟିଗଲା ୧୭ଟି ଗ୍ୟାସ୍ ସିଲିଣ୍ଡର । ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଏକାବେଳେ ଫାଟିବା ଯୋଗୁଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା । ଫଳରେ ଆଖପାଖ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଥିଲେ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏମିତିକି ନିଆଁ ଲିଭାଇବାକୁ ଦୁଇଟି ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଆୟତ୍ତ ହେବା ବେଳକୁ ସବୁକିଛି ଭାଙ୍ଗିରୁଜି ଛାରଖାର ହୋଇଯାଇଥିଲା । ସିଲିଣ୍ଡର ରଖାଯାଇଥିବା ଘରଟି ଭାଙ୍ଗିରୁଜି ଯାଇଥିଲା ।

ତେବେ ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନରେ ଥିବା ଦୁଇ ଜଣ ବ୍ୟବସାୟୀ । ବିସ୍ଫୋରଣ ପରେ ଗ୍ୟାସ୍ ସିଲିଣ୍ଡର ରଖାଯାଇଥିବା ଘର ଭିତରୁ ଆହତ ଅବସ୍ଥାରେ ଦୁଇ ଜଣ ଦୋକାନ ବାହାରି ଏକ ଅଟୋରେ ପଳାଇଥିଲେ । ଜଳନ୍ତା ଗ୍ୟାସ୍ ସିଲିଣ୍ଡର ଫାଟି କିଛି ଦୂରରେ ପଡିଥିଲା ।

Also Read:- Fit India Carnival: ଗୋଲ୍ଡେନ୍ ବିଚ୍‌ରେ ଫିଟ୍ ଇଣ୍ଡିଆ କାର୍ନିଭାଲ, ଆସନ୍ତା ୨୩ ପର୍ଯ୍ୟନ୍ତ ଚାଲିବ

ଗୋଟିଏ ପଟେ ଗ୍ୟାସ୍ ସିଲିଣ୍ଡର ପାଇଁ ସବୁଠି ହାହାକାର ସୃଷ୍ଟି ହୋଇଥିବା ବେଳେ ଏତେ ସଂଖ୍ୟକ ଗ୍ୟାସ୍ ଟାଙ୍କି ଏକସଙ୍ଗେ ଫାଟିବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ସିଲିଣ୍ଡର ପାଇଁ ସାଧାରଣ ଲୋକଟିଏ ଡହଳ ବିକଳ ହେଉଛି । ହେଲେ ଏଠାରେ ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଆସିଲା କେଉଁଠୁ ? ବ୍ଲାକ୍ରେ ଚଢ଼ା ଦରରେ ଗ୍ୟାସ୍ ବିକ୍ରି କରିବାକୁ ସିଲିଣ୍ଡର ରଖିଥିଲେ କି ଗ୍ୟାସ୍ ବ୍ୟବସାୟୀ । ରାଜ୍ୟରେ ବର୍ତ୍ତମାନ ସମୟରେ LPG ଗ୍ୟାସ୍ ସିଲିଣ୍ଡର ଅଭାବ ଏବଂ ଦର ବୃଦ୍ଧିକୁ ନେଇ ବିଧାନସଭାରେ ତୀବ୍ର ବିରୋଧ ଓ ହଙ୍ଗାମା ହୋଇଥିଲା । ଗ୍ରାହକ ମାନେ ବୁକିଂ କରିବା ପରେ ମଧ୍ୟ ସହଜରେ ସିଲିଣ୍ଡର ପାଉନାହାନ୍ତି, ଯାହା ଫଳରେ ବ୍ଲାକ୍ରେ ବିକ୍ରି ଏବଂ ରୋଷେଇରେ ସମସ୍ୟା ଉପୁଜିଛି । ଯାହାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା ।