ପୁରୀ ୨।୩: ପୁରୀ ବେଳାଭୂମି ଠାରେ ତିନି ଦିନିଆ ଫିଟ୍ ଇଣ୍ଡିଆ କାର୍ନିଭାଲ ଉଦଘାଟିତ ହୋଇଯାଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପୁରୀର ଗୋଲ୍ଡେନ୍ ବିଚ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଫିଟ୍ ରହିବା ପାଇଁ ପ୍ରତ୍ୟେହ ଅଧ ଘଣ୍ଟା ଯୋଗ ପାଇଁ ସମୟ ଦେବାକୁ ନିବେଦନ କରାଯାଇଛି ।

ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଅଧୀନରେ ଫିଟନେସ୍, ସଂସ୍କୃତି ଏବଂ ସାମ୍ପ୍ରଦାୟିକ ସମ୍ପର୍କକୁ ଏକତ୍ର କରିବା ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ଏହି କାର୍ଯ୍ୟକ୍ରମ ପୁରୀରେ କରିଥିବାରୁ ସାଂସଦ ଡ଼ଃ ସମ୍ବିତ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏପରି କାର୍ଯ୍ୟକ୍ରମ ଦ୍ୱାରା ମୋଦୀ ସରକାରଙ୍କ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଦେଶ ଆଗକୁ ବଢୁଥିବା ସାଂସଦ ମତ ରଖିଥିଲେ । କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ନେଇ ସନ୍ଦେଶ ପାଳନ କରିବାକୁ ନିବେଦନ କରିଥିଲେ ।

ଏହି କାର୍ନିଭାଲରେ ପାରମ୍ପରିକ ଖେଳ ଓ ସ୍ୱଦେଶୀ କ୍ରୀଡ଼ା ସହିତ ବେଳାଭୂମି ଭିତ୍ତିକ କ୍ରୀଡ଼ା କାର୍ଯ୍ୟକଳାପ ଯେପରିକି ବେଳାଭୂମି କ୍ରିକେଟ୍, ଭଲିବଲ୍, କୁସ୍ତି ଇତ୍ୟାଦି ୨୩ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଶାରୀରିକ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ଐତିହ୍ୟକୁ ପାଳନ କରିବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଛି । ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ଗୋଟିପୁଅ ନୃତ୍ୟ, ପାଇକ ଆଖଡା ପ୍ରଦର୍ଶନ, ସମ୍ବଲପୁରୀ ନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳା ପ୍ରକାରର ସାଂସ୍କୃତିକ ପ୍ରଦର୍ଶନ କରାଯିବ । ପ୍ରତ୍ୟେକ ଦିନ ସକାଳ ୬ଟାରୁ ଦିବା ୯ଟା ଓ ଅପରାହ୍ନ ୪ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Also Read:- ରାଜଧାନୀରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଲାଣି, ପୂର୍ବତନ ମନ୍ତ୍ରୀ ହୋଇ ବି ମୋ ଘର ଉପରେ ଆଟାକ ହେଉଛି

ଏହି ତିନି ଦିନିଆ କାର୍ନିଭାଲ୍ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI), ଆଞ୍ଚଳିକ କେନ୍ଦ୍ର କୋଲକାତା ଦ୍ୱାରା ଓଡ଼ିଶା ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଆୟୋଜିତ ହେଉଛି । କାର୍ନିଭାଲ୍ ପୁରୀ ସଂସ୍କରଣ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ଫିଟନେସ୍ ଅଭ୍ୟାସ ସହିତ ମିଶ୍ରଣ କରିବା ପାଇଁ ଚିନ୍ତାଶୀଳ ଭାବରେ ଡିଜାଇନ୍ କରାଯାଇଛି । କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ରଙ୍କ ସମେତ ଅର୍ଜୁନ ପୁରସ୍କାର ବିଜେତା କେ. ରବି କୁମାର, ଅଲିମ୍ପିଆନ୍ ଆଥଲେଟ୍ ଅନୁରାଧା ବିଶ୍ୱାଳ ଯୋଗଦାନ କରିଥିଲେ ।