ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପଞ୍ଚାୟତ ସମିତି ବୈଠକରେ ବୁଧବାର ହୋଇଥିବା ହୋହଲ୍ଲା ଓ କଥା କଟାକଟି ଘଟଣା ପରେ ଏବେ ଧୀରେ ଧୀରେ ଗରମ ହେବାରେ ଲାଗିଛି ଗଞ୍ଜାମ ରାଜନୀତି । ଘଟଣା ଦିନ ବିଧାୟକ ସରୋଜ ପାଢ଼ୀଙ୍କ ଦୁଇ ପୁଅ ଓ ହରିଡ଼ାପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ବେହେରାଙ୍କ ମଧ୍ୟରେ ବିକାଶ ଓ ସମସ୍ୟା ପ୍ରସଙ୍ଗକୁ ନେଇ କଥା କଟାକଟି ହୋଇଥିଲା । ଏନେଇ ବିଧାୟକଙ୍କ ପୁଅ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସରପଞ୍ଚ ଥାନାରେ ଏତଲା ଦେଇଥିବା ବେଳେ ସରପଞ୍ଚ ସଂଘ ଛତ୍ରପୁରରେ ଗଞ୍ଜାମ ଏସପିଙ୍କୁ ଭେଟି ପୋଲିସ ଡିଜିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ । ସେପଟେ ଉକ୍ତ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଦଳ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ବିଧାୟକଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । 

ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଓ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ପୂର୍ବତନ ବିଧାୟକ ସୁବାଷ ବେହେରା ଦାବି କରିଥିଲେ l ସେହିପରି ବିଜେପି କ୍ଷମତାକୁ ଆସିବା ପରଠାରୁ ପଞ୍ଚାୟତର କିଛି ଉନ୍ନୟନ ମୂଳକ କାମ ହେଉନାହିଁ ଏବଂ ବିଜେପିରେ ମିଶିଲେ ସହଯୋଗ କରିବୁ ବୋଲି ତାଙ୍କୁ ବର୍ତ୍ତମାନର ବିଧାୟକ କହିଥିବା ନେଇ ସଂଗୀନ ଅଭିଯୋଗ କରିଛନ୍ତି ସରପଞ୍ଚ । ଆହୁରି ମଧ୍ୟ ବୈଠକରେ ଜାଣି ଶୁଣି ବିଧାୟକଙ୍କ ପୁଅ ଗାଳି ଗୁଲଜ କରିଲେ। କଥା ସେତିକିରେ ସରିନି, ଏବେ ସେମାନେ ଅନ୍ୟ ଉପାୟ ନପାଇ ଏଆଇ ମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରୁଛନ୍ତି । ଯେଉଁଥିରେ ମହିଳା ସରପଞ୍ଚ ଓ ପୂର୍ବତନ ବିଧାୟିକାଙ୍କ ସହ କେତେକ ଦଳୀୟ କର୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରଲ କରି ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବୋଲି ସଂଗୀନ ଅଭିଯୋଗ କରିଛନ୍ତି ମହିଳା ସରପଞ୍ଚ ଓ ବିଜେଡି ନେତା। ପଞ୍ଚାୟତର କାମ ନହେଲେ ବିଧାୟକଙ୍କୁ ଅଞ୍ଚଳରେ ପୂରାଇ ଦେବୁନାହିଁ ବୋଲି କହିଛନ୍ତି ବିଜେଡି ନେତା ।

Also Read: ବୌଦ୍ଧ ଗଞ୍ଜେଇ ଡିଲ୍ ଅଡିଓ ମାମଲା ; IIC ନଳିନୀକାନ୍ତ ଦାସଙ୍କୁ କଟକ ଆଇଜି ଅଫିସକୁ ବଦଳି

ଅନ୍ୟପଟେ ସରପଞ୍ଚ ସଂଘ ସଭାପତି ଓ ବ୍ଲକ ବିଜେଡି ସଭାପତି ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି । ପୂର୍ବତନ ଆସ୍କା ବିଧାୟିକାଙ୍କ ଅଶ୍ଳୀଳ AI ଫୋଟୋକୁ ସମସ୍ତେ ନିନ୍ଦା କରିବା ସହ ଏନେଇ ଗଞ୍ଜାମ ଏସପିଙ୍କୁ ଜଣାଇଛୁ ଓ ସାଇବର ଥାନାରେ ଅଭିଯୋଗ କରିବୁ ବୋଲି କହିଛନ୍ତି । ପୂର୍ବତନ ବିଧାୟିକାଙ୍କ ପୁଅ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ବେଆଇନ କାର୍ଯ୍ୟ ହେଉଛି ବୋଲି କହିଛନ୍ତି । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସରପଞ୍ଚ ସଂଘ ପକ୍ଷରୁ ବିଧାନସଭା ଘେରାଓ କରିବୁ ବୋଲି ଚେତାବନୀ ଦେଇଛନ୍ତି ।