ବୌଦ୍ଧ ୧୧।୯: ବୌଦ୍ଧରେ ଗଞ୍ଜେଇ ଡିଲ୍ ନେଇ ଆଇଆଇସିଙ୍କ ସମ୍ପୃକ୍ତି ଓ ଅଡିଓ ଭାଇରାଲ ଘଟଣା। ୧୫ ଦିନରେ ଦୁଇ ଥର ଆଇଆଇସିଙ୍କ ବଦଳି। ନଳିନୀକାନ୍ତ ଦାସଙ୍କୁ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟରୁ କଟକ ଆଇଜି ଅଫିସକୁ ବଦଳି କରାଯାଇଛି। ବଦଳି ଚିଠିରେ ପୂର୍ବରୁ ଆଇଆଇସିଙ୍କ ବଦଳି ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରାଯାଇଛି ବୋଲି ଉଲ୍ଲେଖ ରହିଥିବା ବେଳେ କଟକ ଆଇଜି ଅଫିସରେ ଥିବା ଖାଲି ପଦବୀ ପୂରଣ ପାଇଁ ଏହି ବଦଳି କରାଯାଇଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି। ବୌଦ୍ଧ ପୋଲିସର ଗଞ୍ଜେଇ କାରବାର ନେଇ ଏକ ଅଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଆଇଆଇସିଙ୍କ ସମେତ ଜଣେ ସବ୍ ଇନ୍ସପେକ୍ଟର, ଜଣେ ASI ଏବଂ ଜଣେ ହୋମଗାର୍ଡଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ସବ ଇନ୍ସପେକ୍ଟର, ASIଙ୍କୁ ନିଲମ୍ବନ କରିଥିଲେ ଏସ୍ପି । ସମ୍ପୃକ୍ତ ହୋମଗାର୍ଡଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ସମ୍ପୃକ୍ତ IIC ନଳିନୀକାନ୍ତ ଦାସଙ୍କୁ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା।

ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ଆଇଆଇସିଙ୍କୁ ଏସପି କାର୍ଯ୍ୟଳୟକୁ ବଦଳି କରି ବିଭାଗ ଚୁପ୍ ବସିଥିବା ବେଳେ ସବ୍ ଇନ୍ସପେକ୍ଟର, ASIଙ୍କୁ ନିଲମ୍ବନ କରିଥିଲେ ଏସପି ଏବଂ ସମ୍ପୃକ୍ତ ହୋମଗାର୍ଡଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା ହେଲେ ଏହି ଭାଇରାଲ ଅଡିଓ ରେ ଯିଏ ମାଷ୍ଟର ମାଇଣ୍ଡ ରହିଛି ଏବଂ ଯାହାକୁ ସାହେବ ନାମରେ ଡକାଯାଉଥିଲା ଏଥି ସହିତ ସାହେବ ୪ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ଯେଉଁ କଥା ସାମ୍ନାକୁ ଆସିଥିଲା ସେଥିରେ କାହିଁ ନା କାହିଁ ବୌଦ୍ଧ ପୋଲିସ ସମ୍ପୂର୍ଣ୍ଣ ଭାବରେ ଆଖିବୁଜି ଦେଇଥିବା ଜଣାପଡ଼ିଛି । ସାହେବ ନିଶ୍ଚିତ ଭାବରେ ଜଣେ ଉପରିସ୍ଥ ଅଧିକାରୀ ହୋଇଥିବେ ଯେଉଁଥି ପାଇଁ ପୋଲିସ ସେ ଦିଗରେ ସମ୍ପୂର୍ଣ୍ଣ ନୀରବ ସାଜିଥିବା ସନ୍ଦେହ କରାଯାଉଛି। ଏ ସବୁ ଘଟଣାକୁ ଦେଖିବାକୁ ଗଲେ ଏଥିରୁ ସ୍ପଷ୍ଟ ଯେ ପୋଲିସ ର ପଦବୀ ଅନୁଯାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତଲତଳିଆ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ବଡ଼ବଡ଼ିଆଙ୍କୁ କେବଳ ବଦଳି କରି ଚୁପ୍ ବସି ପଡୁଛି ବିଭାଗ ।