ଭୁବନେଶ୍ୱର ୨୯।୧୦ : ବାତ୍ୟା ଅର୍ଣ୍ଣବ ଚାଲିଯିବା ପରେ ବି ବର୍ଷାର ପ୍ରକୋପ କମିନାହିଁ। ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ତଳିଆ ଅଞ୍ଚଳରେ ଫସି ରହିଛନ୍ତି ଅନେକ ଲୋକ। ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଅଗ୍ନିଶମ ବାହିନୀ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଆଇଜି ଉମାଶଙ୍କର ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରୁ ଅତିରିକ୍ତ ରେସ୍କ୍ୟୁ ଟିମ୍‌ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋଟ ୨୨୮ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗଞ୍ଜାମ ଜିଲ୍ଲାର କିଛି ସ୍ଥାନ ଜଳବନ୍ଦୀ ହୋଇ ରହିଥିବା ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିଥିବାରୁ ଅନ୍ୟ ଜିଲ୍ଲାରୁ ମଧ୍ୟ ଉଦ୍ଧାରକାରୀ ଟିମ୍‌କୁ  ସେଠାରେ ମୁତୟନ କରାଯାଇଛି। ସକାଳୁ ସକାଳୁ ୧୦ରୁ ଅଧିକ ଟିମ୍‌ ଗଞ୍ଜାମ ଜିଲ୍ଲାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏବେ ବି ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ଉପରେ ଗୁରୁତ୍ୱ ଦେଉଛି ଅଗ୍ନିଶମ ବିଭାଗ। ଜଳମଗ୍ନ ଥିବାକୁ ନଯାଇ ସଚେତନତା ରହିବାକୁ ପରାମର୍ଶ। ସମ୍ଭବ୍ୟ ଲଗୁଚାପକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛି ବିଭାଗ। ପାଣିପାଗ ବିଭାଗ ସହ ଯୋଗାଯୋଗରେ ରହି ରଖାଯାଇଛି ନଜର।

Watch Video:-

​​​​​​​