ଭୁବନେଶ୍ୱର ୧୨।୧୧ : ସରକାରଙ୍କ ପକ୍ଷ ରଖିଲେ ରାଜସ୍ୱ ମନ୍ତ୍ରୀ । ଗଞ୍ଜାମରେ ବର୍ଷା ଓ ବନ୍ୟା ବିଭୀଷିକାକୁ ନେଇ ରାଜନୀତି ତେଜିଥିବା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରଖିଛନ୍ତି ସରକାରଙ୍କ ପକ୍ଷ। ଗଞ୍ଜାମ ଜିଲ୍ଲାରେ ଏଥର ଯେଉଁ ପରିମାଣର ବର୍ଷା ହୋଇଛି, ତାହା ଜିଲ୍ଲାର ଇତିହାସରେ ଅଭୂତପୂର୍ବ ବୋଲି କହିଛନ୍ତି ମନ୍ତ୍ରୀ।

ମନ୍ତ୍ରୀଙ୍କ ସୂଚନା ମୁତାବିକ, ଗଞ୍ଜାମରେ ୩୩୭.୬ ମିଲିମିଟର ବର୍ଷା ହୋଇଥିବା ବେଳେ ପାତ୍ରପୁରରେ ରେକର୍ଡ ୮୦୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଅତି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଭଳି ସ୍ଥିତି ଉପୁଜିଥିଲା। ଏହାକୁ ନେଇ ପୂର୍ବ ସରକାରଙ୍କ କାର୍ଯ୍ୟକାଳର ବିପର୍ଯ୍ୟୟ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁରେଶ ପୂଜାରୀ। ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ସମୟରେ ବନ୍ୟାରେ ୨୨ ଜଣ ଏବଂ ବାତ୍ୟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ରଖିଛନ୍ତି। ଅର୍ଥାତ୍ ମୋଟ୍ ୪୫ ଜଣଙ୍କ ଜୀବନ ଯାଇଥିବା କହି ପୂର୍ବ ସରକାରଙ୍କୁ ନିଶାନା କରିଛନ୍ତି। ସେହିପରି ୨୦୧୮ ମସିହାର ତିତଲି ବାତ୍ୟାରେ ୭୨ ଜଣ ପ୍ରାଣ ହରାଇଥିବା କହିଛନ୍ତି ମନ୍ତ୍ରୀ।

ସେହିପରି ୨୪ ବର୍ଷର ଶାସନ କାଳରେ ପୂର୍ବ ସରକାର ବନ୍ୟା ଓ ବିପର୍ଯ୍ୟୟ ପରିଚାଳନାର ଦୀର୍ଘମିଆଦୀ ସମାଧାନ ଦିଗରେ ଆବଶ୍ୟକ ଦୃଷ୍ଟି ଦେଇନଥିଲେ। ତେବେ ବର୍ତ୍ତମାନର ସରକାର କେବଳ ତତ୍କାଳୀନ ରିଲିଫ୍ କାର୍ଯ୍ୟରେ ସୀମିତ ନରହି ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରୁଥିବା କହିଛନ୍ତି।

ବନ୍ୟା ପରିଚାଳନାକୁ ଅଧିକ ବୈଜ୍ଞାନିକ ଓ ଦୀର୍ଘସ୍ଥାୟୀ କରିବା ପାଇଁ ବିଭିନ୍ନ ଆଇଆଇଟି ସହ ମିଶି ସରକାର କାମ କରୁଥିବା ସୂଚନା ଦେଇଛନ୍ତି। ବନ୍ୟାର ପ୍ରକୃତ କାରଣ, ଜଳ ନିଷ୍କାସନ ବ୍ୟବସ୍ଥା, ନଦୀ ଓ ଜଳପଥର ପରିଚାଳନା ଏବଂ ଭବିଷ୍ୟତରେ ବିପଦକୁ କିପରି ହ୍ରାସ କରାଯାଇପାରିବ, ସେସବୁ ଦିଗରେ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Also Read:-୨୦୧୧ ବନ୍ୟାରେ ୮୦ ମୃତ୍ୟୁ, ୪୦ ଲକ୍ଷ ପ୍ରଭାବିତ; ନବୀନ-ସୁରେଶଙ୍କୁ ପ୍ରଶ୍ନ କଲେ ଅନୀଲ ବିଶ୍ୱାଳ

ଅନ୍ୟପଟେ ବନ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ସରକାର ମନ୍ତ୍ରୀ ଏବଂ ଆଇଏଏସ୍ ଅଧିକାରୀଙ୍କୁ ପଠାଇଥିବା କହିଛନ୍ତି। ପ୍ରଭାବିତ ଅଞ୍ଚଳରେ ପ୍ରଶାସନିକ ତଦାରଖ ଓ ରିଲିଫ୍ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିଲା। ଆଗକୁ ଗଜପତି ଓ କନ୍ଧମାଳ ଭଳି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ନେଇ ମଧ୍ୟ ସ୍ୱତନ୍ତ୍ର ଅନୁଧ୍ୟାନ କରାଯିବ। ଭବିଷ୍ୟତରେ ଯେପରି ଏଭଳି ଘଟଣାରେ ଜୀବନହାନିକୁ ରୋକାଯାଇପାରିବ, ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଏହାସହ ଆଗାମୀ ବିଧାନସଭା ଅଧିବେଶନକୁ ନେଇ ମଧ୍ୟ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ମନ୍ତ୍ରୀ। ବିରୋଧୀ ଯଦି ବନ୍ୟା ପରିଚାଳନା ଓ ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇବେ, ତେବେ ତଥ୍ୟ ସହ ଆସନ୍ତୁ ବୋଲି କହିଛନ୍ତି। ସରକାର ମଧ୍ୟ ସମସ୍ତ ତଥ୍ୟ ଓ ଦସ୍ତାବିଜ୍ ସହ ବିଧାନସଭାରେ ଜବାବ ଦେବାକୁ ପୂରା ପ୍ରସ୍ତୁତ। ଗଣତନ୍ତ୍ରରେ ବିରୋଧୀଙ୍କ ଅଭିଯୋଗ କରିବାର ଅଧିକାର ରହିଛି, ଏଥିରେ ସରକାରଙ୍କ କୌଣସି ଆପତ୍ତି ନାହିଁ। କିନ୍ତୁ ଅଭିଯୋଗ ସହ ତଥ୍ୟ ମଧ୍ୟ ରଖିବା ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ସେ ଚାହିଁଥିଲେ ଭିଡିଓ ବାର୍ତ୍ତା ଜରିଆରେ ମଧ୍ୟ ନିଜ ପକ୍ଷ ରଖିପାରିଥାନ୍ତେ। କିନ୍ତୁ ସେ ଗଣମାଧ୍ୟମ ସାମ୍ନାକୁ ଆସି ସିଧାସଳଖ ତଥ୍ୟ ରଖୁଛନ୍ତି। ଅର୍ଥାତ୍ ସରକାର ନିଜ ପକ୍ଷ ସ୍ପଷ୍ଟ କରିବା ସହ ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ସନ୍ଦେଶ ଦେଇଛନ୍ତି। ଗଞ୍ଜାମରେ ଏଥରର ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ରାଜନୈତିକ ବିତର୍କ ଏବେ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ଗୋଟିଏ ପଟେ ସରକାରଙ୍କ ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ପୂର୍ବ ସରକାରଙ୍କ ସମୟର ବିପର୍ଯ୍ୟୟ ପରିଚାଳନାର ତଥ୍ୟ ରଖି ପାଲଟା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।