ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ୫ଟି ସ୍ଲୁଇସ୍ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ ଆରମ୍ଭ କରିଛନ୍ତି। ଉପରମୁଣ୍ଡରୁ ଲଗାତାର ଜଳପ୍ରବେଶ ହେଉଥିବାରୁ ଜଳଭଣ୍ଡାରର ସୁରକ୍ଷା ଓ ଜଳ ପରିଚାଳନା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ବର୍ତ୍ତମାନ ୬୨୯.୬୨ ଫୁଟରେ ପହଞ୍ଚିଛି। ସେହିପରି ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୪ ହଜାର ୮୭୯ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଜଳ ପ୍ରବେଶ ଅଧିକ ଥିବାରୁ ନିୟନ୍ତ୍ରିତ ଭାବେ ପାଣି ଛାଡ଼ିବା ପାଇଁ ୫ଟି ଗେଟ୍ ଦେଇ ନଦୀକୁ ଜଳ ନିଷ୍କାସିତ କରାଯାଉଛି।

Also Read: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ, ବ୍ରହ୍ମପୁରରେ ନିୟୋଜିତ ହେଲେ ଆଉ ୫ ଯନ୍ତ୍ରୀ

ଗେଟ୍ ଖୋଲାଯିବା ପୂର୍ବରୁ ଏବଂ ପରେ ମହାନଦୀ କୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଇଛି। ସାଇରନ୍ ବଜାଇ ନଦୀ ଭିତରକୁ ନଯିବା ପାଇଁ କଡ଼ା ଚେତାବନୀ ଦିଆଯିବା ସହ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଆଗାମୀ ସମୟରେ ଉପରମୁଣ୍ଡର ବର୍ଷାର ପରିମାଣକୁ ଦେଖି ଆହୁରି ଗେଟ୍ ଖୋଲାଯିବ କି ନାହିଁ, ସେ ନେଇ ନିଷ୍ପତ୍ତି ନିଆଯିବ।