ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ସମ୍ଭାବନା ରହିଛି l ଏଣୁ ବିନା କାରଣରେ କେହି ଘରୁ ନ ବାହାରିବାକୁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରିଛନ୍ତି l ସେହିପରି କୌଣସି ଅଧିକାରୀ ହେଡକ୍ୱାର୍ଟର ନ ଛାଡିବା ପାଇଁ ଆଭାସୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ l

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ ଜମିରେ କ୍ଷୟ କ୍ଷତି ଘଟିବାର ସମ୍ଭାବନା ରହିଛି, ଏଣୁ ଅତି ଆବଶ୍ୟକୀୟ ଜିନିଷ ଗୁଡିକୁ ସୁରକ୍ଷିତ ରଖିବାକୁ କୁହାଯାଇଛି l ଜିଲ୍ଲାରେ ଆଜି ଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି l ଜିଲ୍ଲାର ବ୍ଲକ, ତହସିଲ, ବିଦ୍ୟୁତ, ଅଗ୍ନିଶମ ଓ ପୋଲିସ ବିଭାଗକୁ ସଚେତନ ରହିବାକୁ କୁହାଯାଇଛି l ଯେଉଁ ସ୍ଥାନରେ ପାଣି ମାଡି ଆସିବାର ସମ୍ଭାବନା ରହିଛି ସେଠାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

Also Read: ଓଡ଼ିଶା ଆସୁଛି ଗଭୀର ଅବପାତ ! ୨୨ରୁ ପ୍ରବଳ ବର୍ଷା, ୨୩ରେ ଉପକୂଳ ଛୁଇଁବା ସମ୍ଭାବନା

ଆବଶ୍ୟକ ହେଲେ ଆସନ୍ତାକାଲି ଠାରୁ ସମସ୍ତ ସ୍କୁଲ କଲେଜ ଛୁଟି କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି l ବିଶେଷ କରି ଲୋକଙ୍କ ଧନ ଜୀବନକୁ ପ୍ରଥମିକତା ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ସଜାଗ ରହିଥିବା ଜିଲ୍ଲପାଳ ଶ୍ରୀ ଭାସନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ସୂଚନାଯୋଗ୍ୟ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରିପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେବ। ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି IMD ।