ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାରୁ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଏକ ହଇଚଇ ସୃଷ୍ଟି କଲା ଭଳି ମାମଲା ସାମ୍ନାକୁ ଆସିଛି । ଭୀମୁନିପାଟଣମ୍ ମଣ୍ଡଳର କୃଷ୍ଣାପୁରମସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀର ୧୦ ଜଣ ଛାତ୍ରୀ ରାତିରେ ଶୋଇଥିବା ବେଳେ ସେମାନଙ୍କ ବେଣୀ କାଟି ଦିଆଯାଇଛି । ସକାଳେ ଯେତେବେଳେ ଛାତ୍ରୀମାନଙ୍କ ନିଦ ଭାଙ୍ଗିଲା ଏବଂ ସେମାନେ ନିଜ ନିଜର ଚୁଟି କଟାଯାଇଥିବା ଦେଖିଲେ, ସ୍କୁଲରେ ଚାଞ୍ଚଲ୍ୟ ଖେଳିଗଲା । ଏହି ଘଟଣା ପରେ ଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କୁହାଯାଉଛି ଯେ ଏହି ଘଟଣା ସେପ୍ଟେମ୍ବର ୧୬ ତାରିଖ ରାତିରେ ଘଟିଥିଲା । ସେହି ରାତିରେ ଛଅ ଜଣ ଛାତ୍ରୀ ଗୋଟିଏ ରୁମରେ ଏବଂ ଚାରି ଜଣ ଛାତ୍ରୀ ଅନ୍ୟ ଏକ ରୁମରେ ଶୋଇଥିଲେ । ସକାଳେ ଉଠିବା ପରେ ସମସ୍ତ ୧୦ ଜଣ ଛାତ୍ରୀ ଦେଖିଲେ ଯେ ସେମାନଙ୍କ ବେଣୀ କଟାଯାଇଛି । ଆରମ୍ଭରୁ ଆଶଙ୍କା କରାଯାଉଥିଲା ଯେ କୌଣସି ଅଜଣା ବ୍ୟକ୍ତି ସ୍କୁଲ ପରିସରରେ ପଶି ଶୋଇଥିବା ଅବସ୍ଥାରେ ଛାତ୍ରୀମାନଙ୍କ ଚୁଟି କାଟିଦେଇଛି । ଏହି ଘଟଣା ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ମାମଲା ଆହୁରି ଗମ୍ଭୀର ରୂପ ନେଇଥିଲା ।

ଘଟଣା ଜାଣିବା ପରେ ଭୀମୁନିପାଟଣମର ବିଧାୟକ ଶ୍ରୀନିବାସ ରାଓ ସ୍କୁଲରେ ପହଞ୍ଚିଥିଲେ । ସେ ସ୍କୁଲ ମ୍ୟାନେଜମେଣ୍ଟ, ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ସହ କଥା ହୋଇ ପୂରା ଘଟଣାର ଜାଣିଥିଲେ । ସେହିପରି ଭୀମୁନିପାଟଣମ୍ ଇନ୍ସପେକ୍ଟର ଜି. ଦିବାକର ପୋଲିସ ଟିମ୍ ସହ ସ୍କୁଲରେ ପହଞ୍ଚି ପରିସରର ଯାଞ୍ଚ କରିଥିଲେ । ପୋଲିସ ଘଟଣା ସହ ଜଡ଼ିତ ଲୋକଙ୍କୁ ପଚରାଉଚରା କରିଥିଲା ଏବଂ ରାତିରେ ସ୍କୁଲ ପରିସରକୁ କୌଣସି ବାହାର ଲୋକ ପଶିଥିଲା କି ନାହିଁ ତାହା ସ୍ପଷ୍ଟ କରିବାକୁ ଚେଷ୍ଟା କରିଥିଲା  ।

କୌଣସି ବାହାର ଲୋକ ସ୍କୁଲ ପରିସରକୁ ପଶିଥିବା ନେଇ ପ୍ରାରମ୍ଭିକ ତଦନ୍ତରୁ ପୋଲିସକୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ । ତଦନ୍ତ ସମୟରେ ଏକ ସମ୍ଭାବନା ସାମ୍ନାକୁ ଆସିଛି ଯେ କିଛି ସହପାଠୀ ଛାତ୍ରୀ ହିଁ ଚୁଟି କାଟିବା ଘଟଣାରେ ସାମିଲ ଥାଇପାରନ୍ତି । ତେବେ ଛାତ୍ରୀମାନଙ୍କ ଚୁଟି କାଟିବା ପଛର କାରଣ କ'ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ସିସିଟିଭି ଫୁଟେଜ୍ ସହ ଅନ୍ୟ ପ୍ରମାଣଗୁଡ଼ିକର ମଧ୍ୟ ଯାଞ୍ଚ କରୁଛି ।

ଘଟଣା ପରେ ସ୍କୁଲରେ ସମ୍ପୃକ୍ତ ଛାତ୍ରୀମାନଙ୍କର କାଉନସେଲିଂ ମଧ୍ୟ କରାଯାଇଛି । ଅନ୍ୟପଟେ, ଅଧିକାରୀମାନେ ରାତି ଡ୍ୟୁଟିରେ ଥିବା ପ୍ରିନ୍ସିପାଲ୍, ଦୁଇଜଣ ଶିକ୍ଷକ ଏବଂ ଜଣେ ନାଇଟ୍-ୱାଚ୍ ମହିଳାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ରାତି ସମୟରେ ଛାତ୍ରୀମାନଙ୍କ ସୁରକ୍ଷାରେ କୌଣସି ଅବହେଳା ହୋଇଛି କି ନାହିଁ, ସେହି ଦିଗ ପ୍ରତି ମଧ୍ୟ ଅଧିକାରୀମାନଙ୍କ ତଦନ୍ତ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ପୋଲିସ ଏବଂ ସ୍କୁଲ ପ୍ରଶାସନ ମାମଲାର ଯାଞ୍ଚ କରୁଛନ୍ତି ।