ଭୁବନେଶ୍ୱର, ୨୦/୦୯: ଥାଇଲାଣ୍ଡରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେଇସାରିଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୧ ତାରିଖ ବେଳକୁ ଏହା ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୨୨ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେଗଭୀର ଅବପାତରେ ପରିଣତ ହୋଇପାରେ। ସମ୍ଭାବ୍ୟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦକ୍ଷିଣ ଓ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେଶେଷରେ ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ପାଖକୁ ଆସିପାରେ। ଏଭଳି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣି ପାଗ ବିଜ୍ଞାନ ବିଭାଗ ( ଆଇଏମଡି )।

ଏହା ପ୍ରଭାବରେ ରାଜ୍ୟରେ ୨୨ ତାରିଖରୁ ବର୍ଷା ରହିପାରେ। ୨୩ରୁ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷା ସମ୍ଭାବନା ଅଛି। ୨୫ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଓ ପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ (ମଙ୍ଗଳବାର) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି।

ଗଜପତି,ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,କେନ୍ଦୁଝର,ମୟୂରଭଞ୍ଜ,ବୌଦ୍ଧ,କନ୍ଧମାଳ,ରାୟଗଡ଼ା,କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ ଓ ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୩ରେ କନ୍ଧମାଳ,ଗଜପତି,ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର କିଛି ଜାଗାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୫ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପଶ୍ଚିମ ଓଡ଼ିଶାର କିଛି ଜାଗାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି,ଗଭୀର ଅବପାତ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ସକାଳ ସୁଦ୍ଧା ଗଞ୍ଜାମରୁ ପୁରୀ ମଧ୍ୟରେ ଓଡ଼ିଶାର ସ୍ଥଳଭାଗ ଛୁଇଁପାରେ। ଏହା ପ୍ରଭାବରେ ୨୨ ତାରିଖ ରାତିରୁ ବର୍ଷା ଆରମ୍ଭ ହେବ।

୨୩-୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ଅଧିକ ରହିବ। ଉତ୍ତରର କିଛି ଜାଗାରେ ବି ବର୍ଷା ଅଧିକ ହୋଇପାରେ। ୨୫-୨୬ରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ। କାରଣ ଓଡ଼ିଶାରେ ପ୍ରବେଶ କରିବା ପରେ ସମ୍ଭାବ୍ୟ ଗଭୀର ଅବପାତ ଛତିଶଗଡ଼ ଦେଇ ଉତ୍ତରପ୍ରଦେଶ ଆଡ଼କୁ ଗତି କରିପାରେ। ତେଣୁ ସେହି ସମୟରେ ପଶ୍ଚିମ ଓଡ଼ିଶା ସହ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇପାରେ।

Also Read :- Horoscope Today : ସେପ୍ଟେମ୍ବର ୨୦ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,୨୨ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। ୨୩ରୁ ୨୫ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାପକ ବର୍ଷା ସହ କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାରେ ଅଧିକ ନଜର ରଖିବା ଆବଶ୍ୟକ। ପାଣିପାଗ ବିଭାଗ ଅନୁସାରେ ୨୧ତାରିଖରୁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟା ପ୍ରତି ପବନର ଝଟକା ୬୫ କିମି ପର୍ଯ୍ୟନ୍ତ ରହିପାରେ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଜାରି ହୋଇଛି