କୋଲକାତା: ତୃଣ ମୂଳ କଂଗ୍ରେସ ମମତା ବାନାର୍ଜୀ ଗୋଷ୍ଠୀକୁ କୋଲକାତା ହାଇକୋର୍ଟ ସୋମବାର ୩ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମା ରାଶିର ଆଂଶିକ ଓ ସର୍ତ୍ତ ସହିତ ଉପଯୋଗ ଅନୁମତି କାୟମ ରଖିଛନ୍ତି। କୋର୍ଟ ଏହି ଅନୁମତି ସେତେବେଳେ ଦେଇଛନ୍ତି ଯେତେବେଳେ ନିର୍ବାଚନ ଆୟୋଗ ପାର୍ଟିର ନିର୍ବାଚନ ଚିହ୍ନ ଓ ନାମ ଫ୍ରିଜ କରିଦେଇଛନ୍ତି। ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଏକକ ସ୍ପଷ୍ଟ କରିଛନ୍ତି ଯେ ଭାରତର ନିର୍ବାଚନ ଆୟୋଗ (ଇସିଆଇ) କିଛି ସମୟ ଲାଗି ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ଉପରେ ରୋକ ଲଗାଇଛନ୍ତି। ତେବେ ଏହା ଦ୍ୱାରା ମମତା ବାନାର୍ଜୀ ଗୋଷ୍ଠୀଙ୍କୁ ଆକାଉଣ୍ଟ ଉପରେ ଅଧିକାର ଦେଉଥିବା କୋର୍ଟର ପୂର୍ବ ଆଦେଶ ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ।

ହାଇକୋର୍ଟ ବେଞ୍ଚ କହିଛନ୍ତି ଯେ ଆୟୋଗ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଦେଇ ନାହାନ୍ତି। ତେବେ ଆଗାମୀ ମାସରେ ପୂର୍ବ ମେଦିନାପୁର ଜିଲ୍ଲାର ନନ୍ଦୀଗ୍ରାମ ଓ ମୁର୍ଶିଦାବାଦ ଜିଲ୍ଲାର ରେଜି ନଗର ବିଧାନସଭା ଉପନିର୍ବାଚନ ପାଇଁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ନାମ ଓ ନିର୍ବାଚନ ଚିହ୍ନକୁ ନେଇ କେବଳ ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି। ଏଣୁ ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଇସିଆଇଙ୍କ ଅନ୍ତରୀଣ ଆଦେଶ ପରେ କୋର୍ଟ ୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶିକୁ ଆଶିଂକ ଓ ସର୍ତ୍ତ ସହିତ ଉପଯୋଗ ମାମଲାରେ ପୂର୍ବ ଆଦେଶ ଉପରେ କାୟମ ଅଛନ୍ତି।

କୋର୍ଟ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣ ମୂଳ କଂଗ୍ରେସ ନିକଟରେ ଏହି ଅଧିକାର ୨୯ ଜାନୁୟାରୀ୨୦୨୭ ପର୍ଯ୍ୟନ୍ତ ରହିବ। ଗତ ସପ୍ତାହରେ ଆସିଥିବା ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶ ଅନୁସାରେ ମମତା ବାନାର୍ଜୀ ଗୋଷ୍ଠୀ ଓ ଋତବ୍ରତ ବାନାର୍ଜୀ ନେତୃତ୍ୱାଧୀନ ବିଦ୍ରୋହୀ କିନ୍ତୁ ସଂଖ୍ୟାଗରିଷ୍ଠ ଗୋଷ୍ଠୀ କାହାକୁ ବି ହେଲେ ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ଉପଯୋଗ ଅନୁମତି ମିଳିବ ନାହିଁ। ଏଣୁ ରାଜ୍ୟସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ଆଡିଶନାଲ ଆଡଭୋକେଟ ଜେନେରାଲ ରାଜଦୀପ ମଜୁମଦାର ତର୍କ ଦେଇଛନ୍ତି ଯେ ଇସିଆଇଙ୍କ ଅନ୍ତରୀଣ ଆଦେଶକୁ ନଜରରେ ରଖି ପାର୍ଟିର ୩ ବ୍ୟାଙ୍କ ଆକାଉଣ୍ଟ ଉପରେ କାହାର ବି ଅଧିକାର ରହିବା ଉଚିତ ନୁହେଁ। କାରଣ ଏହି ସବୁ ଆକାଉଣ୍ଟ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାମରେ ଥିଲା।

ତେବେ କୋର୍ଟ କହିଛନ୍ତି ଯେ ଯେହେତୁ କମିଶନ ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି ତେଣୁ କୋର୍ଟ ନିଜର ପିଛିଲା ଆଦେଶ ଉପରେ କାୟମ ରହିବୋ। ରାଜ୍ୟ ପୋଲିସ ଏକ ପ୍ରାଇଭେଟ ବ୍ୟାଙ୍କରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାମରେ ଥିବା ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଦେଇଥିଲା। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟ ପାର୍ଟି ଖର୍ଚ୍ଚ ଚଳାଉଥିବା ଆକାଉଣ୍ଟକୁ ମ୍ୟାନେଜ କରିବା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ।

ଗତ ଜୁଲାଇ ୯ ତାରିଖରେ କୋର୍ଟ ଏବେ ବ୍ୟାଙ୍କ ଆକାଉଣ୍ଟ ଉପରେ ମମତା ବାନାର୍ଜୀଙ୍କ ନିୟନ୍ତ୍ରଣ ରହିବ ବୋଲି କହିଥିଲେ। ହେଲେ ଏଥିରୁ ସେ ମନ ଇଛା ଟଙ୍କା ଉଠାଣ କରି ପାରିବେନି ବୋଲି ମଧ୍ୟ କହିଥିଲେ। କୋର୍ଟ ଦ୍ୱାରା ନିଯୁକ୍ତ ଅଧିକାରୀ ମମତାଙ୍କୁ ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ଓ କର୍ମଚାରୀଙ୍କ ବେତନ ଦେବା ପାଇଁ ପାଣ୍ଠି ଉପଯୋଗର ଅନୁମତି ଦେବେ। ସେତେବେଳେ କୋର୍ଟ କହିଥିଲେ ଯେ ଏହି ଆଦେଶ ଆଗାମୀ ବର୍ଷ ଜାନୁୟାରୀ ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଛଡା କୋର୍ଟ ପୋଲିସକୁ ସେହି ଆକାଉଣ୍ଟରୁ ହୋଇଥିବା ଅବୈଧ ନେଣଦେଣର ଯାଞ୍ଚ କରି ରିପୋର୍ଟ ଦେବାକୁ କହିଥିଲେ। ସେହି ଅନୁସାରେ ସୋମବାର ମାମଲାର ଶୁଣାଣି କାଳରେ ପୋଲିସ କୋର୍ଟରେ ଯାଞ୍ଚ ରିପୋର୍ଟ ମଧ୍ୟ ଦାଖଲ କରିଛି।