ଛତ୍ରପୁର ୦୮।୧୧ : ଦୀପ ଜଳିଲା, ହସ ଫୁଟିଲା। ଦୁଃଖ ଓ ଦୁର୍ଦ୍ଦିନ ଭିତରେ ବି ଫିକା ପଡ଼ିଲାନି ଦୀପାବଳିର ଖୁସି। ବନ୍ୟାରେ ସବୁକିଛି ହରାଇଥିବା ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବନ୍ୟା ବିପନ୍ନଙ୍କ ଘରେ ପହଞ୍ଚି ଦୀପାବଳି ପାଳନ ପାଇଁ ଆବଶ୍ୟକୀୟ ସାମଗ୍ରୀ ବାଣ୍ଟିଛନ୍ତି ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ। ଏପରିକି କୁନି କୁନି ପିଲାଙ୍କ ସହ ବାଣ ଫୁଟାଇ ପର୍ବର ଖୁସି ବାଣ୍ଟିଛନ୍ତି ଜିଲ୍ଲାପାଳ।

ବନ୍ୟାର ଦୁଃଖ ଭିତରେ ଦୀପାବଳିର ଆଲୋକ। ବିପନ୍ନଙ୍କ ଘରେ ପହଞ୍ଚିଲା ପ୍ରଶାସନ, ବାଣ୍ଟିଲା ଖୁସି। ଗଞ୍ଜାମ ଜିଲ୍ଲାରେ ନିଆରା ଢଙ୍ଗରେ ଆଲୋକର ପର୍ବ ପାଳନ କରିଛି ଜିଲ୍ଲା ପ୍ରଶାସନ। ଛତ୍ରପୁର, ପୁରୁଷୋତ୍ତମପୁର, ଆସିକା ଓ ଧରାକୋଟ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଥିଲେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ।

Also Read:-ସମୁଦ୍ରରୁ ସିଧା ବେଳାଭୂମିକୁ ମାଡ଼ି ଆସିଲା ୨ ହୋଭରକ୍ରାଫ୍ଟ, ପ୍ରଥମେ ଭୟଭୀତ ହେଲେ ସ୍ଥାନୀୟ ଲୋକେ

ବନ୍ୟା ବିପନ୍ନଙ୍କ ଘରେ ପହଞ୍ଚି ସେମାନଙ୍କୁ ଦୀପାବଳି ପାଳନ ପାଇଁ ଯୋଗାଇ ଦେଇଥିଲେ ଆବଶ୍ୟକୀୟ ସାମଗ୍ରୀ। ଦୀପାବଳି କିଟ୍‌ରେ ରହିଥିଲା ବାଣ, ମିଠା, ନୂଆ ଲୁଗା, ଦୀପ ସମେତ ବିଭିନ୍ନ ସାମଗ୍ରୀ। ବିପଦ ସମୟରେ ପ୍ରଶାସନର ଏହି ପ୍ରୟାସ ବନ୍ୟା ବିପନ୍ନଙ୍କ ପାଇଁ ଆଣିଥିଲା ଆଶ୍ୱାସନା। କେବଳ ସାମଗ୍ରୀ ବାଣ୍ଟି ନଥିଲେ, ବରଂ ବିପନ୍ନ ପରିବାରଙ୍କ ସହ ଦୀପାବଳିର ଖୁସି ବାଣ୍ଟିଥିଲେ ଜିଲ୍ଲାପାଳ। କୁନି କୁନି ପିଲାଙ୍କ ସହ ମିଶି ବାଣ ଫୁଟାଇଥିଲେ। ଜିଲ୍ଲାପାଳଙ୍କୁ ପାଖରେ ପାଇ ପିଲାଙ୍କ ମୁହଁରେ ବି ଫୁଟିଥିଲା ହସ। ବନ୍ୟାରେ ପ୍ରଭାବିତ ପରିବାରଙ୍କ ମନରେ ନୂଆ ଆଶା ଓ ଖୁସି ଭରିଦେବାକୁ ପ୍ରଶାସନର ଏହି ପ୍ରୟାସ ଏକ ଭିନ୍ନ ବାର୍ତ୍ତା ଦେଇଛି। ଦୁର୍ଦ୍ଦିନରେ ବିପନ୍ନଙ୍କ ପାଖରେ ଠିଆ ହୋଇ ଦୀପାବଳିର ଖୁସି ବାଣ୍ଟିବାର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।