ଭୁବନେଶ୍ୱର: ଭାବି ପତ୍ନୀଙ୍କୁ ଉପହାର ଦେବା ପାଇଁ ପାଖରେ ଟଙ୍କା ନଥିବାରୁ ସାଙ୍ଗଙ୍କ ସହ ମିଶି ମୋବାଇଲ ଲୁଟିଲା । ହେଲେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ହାତରେ ଧରାପଡ଼ି ଜେଲ୍ ଗଲା । ଏଭଳି ଘଟଣା ଘଟିଛି ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ। ପୁଲିସ ଏହି ଯୁବକ ସହ ତା' ସାଙ୍ଗକୁ ଗିରଫ କରିଛି।

ଯୁବକ ଜଣକ ହେଲା ୟୁନିଟ୍-୬ କାଳୀମନ୍ଦିର ବସ୍ତିରେ ରହୁଥିବା ନୟାଗଡ଼ ଓଡ଼ଗାଁର ରଥି ଓରଫ ରାକେଶ ନାୟକ(୨୯) ଓ ତା'ର ସହଯୋଗୀ କ୍ୟାପିଗଲ ମାର୍କେଟ କମ୍ପ୍ଲେକ୍ସରେ ରହୁଥିବା ଜଗତସିଂହପୁର ରଘୁନାଥପୁରର ଟିଙ୍କୁ ଓରଫ ଦେବବ୍ରତ ବରାଳ(୩୪) । ପୁଲିସ ସେମାନଙ୍କଠାରୁ ଲୁଟ୍ ମୋବାଇଲ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ରାକେଶର ବାହାଘର ଠିକ୍ ହୋଇସାରିଛି। ହେଲେ ଭାବି ପତ୍ନୀଙ୍କୁ ସେ ଏକ ଉପହର ଦେବା ପାଇଁ ଚାହିଁଥିଲେ । ଗତ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ଟାରେ ଅଭିଯୋଗକାରିଣୀ ରାଜଶ୍ରୀ ସାହୁ ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ନାଗେଶ୍ୱର ଟାଙ୍ଗୀ ରାଧାବଲ୍ଲଭ ମଠ ନିକଟରୁ ରାକେଶ ଓ ତାଙ୍କ ଦୁଇ ସହଯୋଗୀ ଦେବବ୍ରତ ଏବଂ ସିଟୁ ଏକ ପଲ୍ସର ବାଇକରେ ଆସି ତାଙ୍କ ହାତରୁ ମୋବାଇଲ ଝାମ୍ପି ନେଇ ପଳାଇଥିଲେ।

also read- 'ହୋଟେଲକୁ ନ ଆସିଲେ ସବୁ କିଛି ସାରିଦେବି'... ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ, ବନ୍ଧା ହେଲା ଡେଲିଭରୀ ବଏ ହରେକୃଷ୍ଣ

ରାଜଶ୍ରୀଙ୍କ ଅଭିଯୋଗ ଆଧାରରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ଲୁଟ୍ ମାମଲା ରୁଜୁ କରିଥିଲା । ଲୁଟ୍ ହୋଇଥିବା ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ନେଇ ପୁଲିସ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିଥିଲା। ଆଜି ପୁଲିସ ଗୌତମନଗର ଅଞ୍ଚଳରୁ ପ୍ରଥମେ ରାକେଶକୁ କାବୁ କରିଥିଲା। ପରେ ଦେବବ୍ରତ ଧରାପଡ଼ିଥିଲା। ଲୁଟ୍ ମୋବାଇଲ ଓ ଲୁଟ୍ରେ ବ୍ୟବହୃତ ପଲ୍ସର ବାଇକ ଜବତ କରିଥିଲା।